ହେଡଲାଇନସ୍:

ହକ ମାଗିଲେ ଗନ୍ଧମାର୍ଦ୍ଦନ ଲୁହା ଖଣି ପ୍ରଭାବିତ ଲୋକେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବଫର୍ ଜୋନ ଟ୍ରକ୍ ମାଲିକଙ୍କୁ ସ୍ବତନ୍ତ୍ର ଲୋଡ଼ିଂ କୋଟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

  • ତା୨୭/୧/୨୫ ରିଖରୁ ଶୁଆକାଟୀ ଅଞ୍ଚଳରେ ଲୁହାପଥର ଖନନ ବନ୍ଦ ଲାଗି ଚେତାବନୀ।

କେନ୍ଦୁଝର ,ତା୨୦/୧(ଦିଲ୍ଲୀପ ସାହୁ /ସ୍ୱତନ୍ତ୍ର ପ୍ରତିନିଧି )- କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦୁହାଁଳିଆ ମାଲଦାର୍ ନବରତ୍ନ ରାଜ୍ୟ ଖଣି ନିଗମର ଗନ୍ଧମାର୍ଦ୍ଧନ ଲୌହ ଖଣି ଶୁଆକାଟୀ ଠାରେ ରହିଛି। ଏଠାରେ ସର୍ବମୋଟ ୨୨୦୯ ହେକ୍ଟର ପାହାଡ଼ ଜମିରୁ ଉକୃଷ୍ଟ ମାନର ଲୌହ ପଥର ଖୋଳା ଚାଲିଛି। ଏଠାରେ ବ୍ଲାଷ୍ଟିଂ ହେଲେ କେନ୍ଦୁଝର ସହରକୁ ଶୁଭା ଯାଏ। ହଜାର ହଜାର ଟ୍ରକ୍ ବର୍ଷ ବର୍ଷ ଧରି ଏଠାରୁ ବାହାରି କେନ୍ଦୁଝର ସହର ଦେଇ ପାରାଦୀପ ସମେତ ବିଭିନ୍ନ ଅଞ୍ଚଳ ସାଇଡିଂ ତଥା କାରଖାନାକୁ ଯାଆନ୍ତି। ତେଣୁ କେନ୍ଦୁଝର ସହରରେ ଅନେକ ଲୋକ ଟ୍ରକ୍ ଚକା ତଳେ ପଡି ପ୍ରାଣ ହରାଇ ସାରିଲେଣି। ଅନେକ ଆହତ ପଙ୍ଗୁ ହୋଇ ପଡ଼ି ରହିଛନ୍ତି ଅନେକ ପରିବାର ଉଜୁଡ଼ି ଯାଇଛି। ତେବେ ଲୋକେ ଉପଯୁକ୍ତ କ୍ଷତିପୂରଣ ପାଇ ପାରୁନାହାନ୍ତି। ଅହରହ ଟ୍ରକ୍ ଚଳାଚଳ ଲାଗି କେନ୍ଦୁଝର ସହରରେ ଋତୁଚକ୍ରର ପରିବର୍ତ୍ତନ ହୋଇ ସାରିଲାଣି। ଲୋକେ ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଶ୍ୱାସ ଆଲର୍ଜି ରୋଗରେ ମରି ଚାଲିଛନ୍ତି। ଗୋଟେ ପଟରେ ନିଯୁକ୍ତି ନାହିଁ ଲୁହା ପଥରର ମୂଲ୍ୟଯୁକ୍ତ ବ୍ୟବହାର ହୋଇ କୌଣସି ଇସ୍ପାତ କାରଖାନା ହୋଇ ପାରିଲାନି। ଶୁଆକାଟୀ ଗନ୍ଧମାର୍ଦ୍ଦନ ଖଣି ଜିଲ୍ଲାର ବେକାରୀ ଶିକ୍ଷିତ ପିଲାଙ୍କୁ କୌଣସି ପ୍ରଶିକ୍ଷଣ କରୁ ନାହିଁ। ପୁଣି ଘରୋଇ ଅର୍ଥ ଲଗାଣ ସଂସ୍ଥା ମାନେ ଚଢ଼ା ସୁଧ ନେଇ ଟ୍ରକ୍ ମାଲିକମାନଙ୍କ ଅବସ୍ଥା ଖରାପ କରୁଛନ୍ତି। ବେକାର ପିଲା ଚାକିରୀ ନପାଇ ଜମିରେ ଫସଲ ନକରି ପାରି ଟ୍ରକ୍ ଆଣିଲା ବେଳେ ଏହିପରି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଆସୁଛି। ତେଣୁ ନିୟମ ଅନୁସାରେ ଶୁଆକାଟୀ ଗନ୍ଧମାର୍ଦ୍ଦନ ଖଣିରୁ କେନ୍ଦୁଝର ସହରର ଏୟାର ଡିଷ୍ଟାନ୍ସ ୧୦ କିଲୋମିଟରରୁ କମ ହେବ ଯାହାଦ୍ଵାରା ସହରକୁ ବଫର ଜୋନ ଭାବେ ବିବେଚନା କରିବା ଉଚିତ୍। ହେଲେ ଆଜିଯାଏ ସଡକର ବଙ୍କାଡଙ୍କା ରାସ୍ତାକୁ ଦୂରତା ମାପ ଦର୍ଶାଇ ଓଏମସି କର୍ତ୍ତୃପକ୍ଷ କେନ୍ଦୁଝର ସହର ଯୁବକ ମାନଙ୍କୁ ପ୍ରତାରଣା କରି ଠିକ୍ ଭାବେ ଲୋଡିଂ ଦେଇନାହାନ୍ତି। ଏବେ ଟ୍ରକ୍ ଯୋଗେ ଲୁହାପଥର ଲୋଡ଼ କରିବା କାଠିକର ପାଠ ହେଲାଣି ତେଣୁ କେନ୍ଦୁଝର ସହରର ଯୁବ ଟ୍ରକ ମାଲିକ ମାନେ ଏକାଠି ହୋଇ ଏହାର ପ୍ରତିବାଦ କଲେଣି। ସେମାନେ ଖଣି କର୍ତ୍ତୃପକ୍ଷ କେନ୍ଦୁଝର ସହରର ପ୍ରଭାବିତ ପିଲାଙ୍କୁ ସ୍ବତନ୍ତ୍ର କୋଟା ଦେଇ ଲୋଡ଼ିଂ ଦେବାକୁ ଦାବି କରିଛନ୍ତି କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଆଇନଗତ ଭାବେ ଏହି ହକ ଦାବି ପ୍ରତି ସବୁ ମହଲରୁ ସମର୍ଥନ ମିଳିଛି, ମାଫିଆଙ୍କ ଶହ ଶହ ଟ୍ରକ୍ ଏଠାରୁ ବନ୍ଦ କରିବାକୁ ଲୋକେ ମତ ଦେଇଛନ୍ତି। ବିଭିନ୍ନ ଅଂଚଳରୁ ହଜାର ହଜାର ଟ୍ରକ୍ ଏଠାରେ ଭିଡ଼ ନକରି କେବଳ ସ୍ଥାନୀୟ ବେକାର ପ୍ରଭାବିତଙ୍କୁ ଲୋଡିଂ ଦେବାକୁ ଜୋରଦାର ଦାବି ଉଠିଛି। ପୂର୍ବରୁ ଏବାବଦରେ ସେମାନେ ସଂଗଠିତ ହୋଇ ପ୍ରଶାସନକୁ ଜଣାଇଥିଲେ। ତେବେ ଆଜି ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳବାସୀ ବ୍ୟାନରରେ ସବୁ ଏକଜୁଟ ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ନ୍ୟାୟ ଲାଗି ଏହି ଦାବିପତ୍ର ସେମାନେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦେଇଛନ୍ତି। ଏଥି ସହ ଓଏମସି ଓ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ବିରୋଧ କରି ଆସନ୍ତା ତା୨୭/୧/୨୫ ରିଖରୁ ଶୁଆକାଟୀ ସ୍ଥିତ ଖଣି କାର୍ଯ୍ୟାଳୟ ସମ୍ମୁଖରେ ସମୂହ ବିକ୍ଷୋଭ କରି ଖଣିଜ ଉତ୍ତୋଳନ ବନ୍ଦ କରିଦେବେ ବୋଲି ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛନ୍ତି। ଏହି ପ୍ରଭାବିତ ଟ୍ରକ୍ ମାଲିକ ମଧ୍ୟରେ ନିହାର ରଞ୍ଜନ ଦାସ,ଦୀପ୍ତି ରଞ୍ଜନ ପଟ୍ଟନାୟକ, ଅମର ପଟ୍ଟନାୟକ,ଶିବବ୍ରତ ଧିର, ତୁତୁରୁ ସାହୁ,ପାର୍ଥ ରଂଜନ ମିଶ୍ର,ପ୍ରଭାତ କୁମାର ରାଉତ, ସୁଦୀପ ସାହୁ ଆଦି ଉପସ୍ଥିତ ରହି ଏହି ଦାବିପତ୍ର ସହ ଚରମପତ୍ର ପ୍ରଶାସନକୁ ଦେଇଥିଲେ।

0
0
0
s2sdefault