ଖୋର୍ଦ୍ଧା ସହରରେ କ୍ୟାବିନ୍ ଉଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା: ସହର ମଧ୍ୟରୁ କ୍ୟାବିନ ଉଚ୍ଛେଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯାଇଥିବା ବେଳେ ଆଜି ସକାଳ ୭ଟାରୁ ରାସ୍ତା କଡରୁ କ୍ୟାବିନ ଉଠେଇବାରେ ଲାଗି ପଡ଼ିଛନ୍ତି ଜିଲ୍ଲା ପ୍ରଶାସନର ଅଧିକାରୀ । ସହର ମଧ୍ୟରେ ଥିବା ସମସ୍ତ ଅସ୍ଥାୟୀ ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭ ଜଣ ବ୍ୟବସାୟୀଙ୍କୁ ହାଇକୋର୍ଟରୁ ଆସନ୍ତା ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ରହିତାଦେଶ ମିଳିଛି । ସେମାନଙ୍କୁ ବାଦ ଦେଇ ଅନ୍ୟ କ୍ୟାବିନ ଗୁଡ଼ିକୁ ଉଚ୍ଛେଦ କରୁଛି ପ୍ରଶାସନ। ଉଛେଦ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ସହର ମଧ୍ୟରେ ଛଅ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ଠାରୁ ନେଇ ତହସିଲଦାର ବିଭାସ ପାଣିଗ୍ରାହୀ ଏଵଂ ପୌର-ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରିଜୱାନା କଅକ୍ୱବ ଉପସ୍ଥିତ ରହିଥିବା ବେଳେ ମାରୱାଡ଼ି ପଟି ଠାରୁ ନେଇ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନକୁ ଉଠାଇବା ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଅନ୍ୟପଟେ ବ୍ୟବସାୟୀଙ୍କ ଦୋକାନକୁ ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ଦୋକାନକୁ ଭାଙ୍ଗି ଦେବାକୁ ବିରୋଧ କରିଛନ୍ତି କ୍ୟାବିନ ବ୍ୟବସାୟୀ ।
ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୧୦ତାରିଖରେ ସହର ମଧ୍ୟରୁ କ୍ୟାବିନ ଉଚ୍ଛେଦ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ବ୍ୟବସାୟୀ ମହସଂଘ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲା। ଆଉ
ଦୋକାନୀଙ୍କୁ ସହଯୋଗ କରିବା ପାଇଁ ମଧ୍ୟ ସେମାନଙ୍କ ସହିତ ଯୋଡିହୋଇ ରାସ୍ତାକୁ ଓହ୍ଲାଇଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହିତ, ସୁରେଶ ରାଉତରାୟ ଏବଂ କଂଗ୍ରେସ ନେତ୍ରୀ ସୋନାଲି ସାହୁ ଓ ଖୋର୍ଦ୍ଧା ପୌରାଧକ୍ଷାଙ୍କ ସହିତ ଅନେକ କାଉନ ସିଲର।
ଶେଷରେ ଦୋକାନୀ ମାନଙ୍କୁ ଦୋକାନ ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ ଡ଼ିସେମ୍ବର ୧୬ତାରିଖ ଯାଏଁ ମିଳିଥିଲା ମହଲତ । ତେବେ ୧୬ତାରିଖରେ ଦୋକାନ ଉଛେଦ ନ କରିଵା ଅନେକ ପ୍ରଶ୍ନବାଚୀ ଏଵଂ ଆଶା ଆଶଙ୍କା ସୃଷ୍ଟି କରିଥିବା ବେଳେ ଉଛେଦ ପ୍ରକ୍ରିୟାକୁ ଦୀର୍ଘ ୧୪ଦିନ ଘୁଞ୍ଚେଇବା ପଛରେ ଡ଼ିସେମ୍ବର ୧୫ତାରିଖ ଠାରୁ ନେଇ ୨୨ତାରିଖ ପର୍ଯ୍ୟନ୍ତ ହାବେଳୀ ପଡ଼ିଆରେ ଚାଲିଥିବା ଖୋର୍ଦ୍ଧା ମହୋତ୍ସବ ମୂଖ୍ୟ କାରଣ ବୋଲି ଶୁଣିବାକୁ ମିଳିଥିଲା । ଦୋକାନ ଉଛେଦ ହେଲେ ବ୍ୟବସାୟୀ ହାବେଳୀ ପଡ଼ିଆରେ ଧସେଇ ପଶି ତାଙ୍କ ଦୋକାନ ପକେଇବେ, ଯାହାକି, କାର୍ଯ୍ୟକ୍ରମ ବେଳେ ମହୋତ୍ସବ କମିଟି କର୍ମକର୍ତ୍ତା ଏବଂ ପ୍ରଶାସନକୁ ଅଡ଼ୁଆ ପରିସ୍ଥିତିରେ ପକାଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା। ତେବେ ଉଛେଦ କାମରେ ବିଳମ୍ବ ପଛରେ ଯାହା ବି କାରଣ ଥାଉ ନା କାହିଁ, କ୍ୟାବିନ ବ୍ୟବସାୟୀ ଓ ପ୍ରଶାସନ ଭିତରେ ଚାଳିଥିବା ଛକାପଞ୍ଝାରେ ପଡ଼ିଛି ଯବନିକା। ଅନେକ ଏହାକୁ ବିରୋଧ କରୁଥିବା ବେଳେ ଅନେକ ପ୍ରଶାସନର ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ଜଣା ପଡିଛି।

0
0
0
s2sdefault