ଧନୁଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଜୟଯାତ୍ରା : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରଥମଥର ପାଇଁ ଏଲ. ଇ. ଡ଼ି. ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ହେବ ସିଧାପ୍ରସାରଣ

  • ଧନୁଯାତ୍ରାରେ ଭାଗନେଉଥିବା ପ୍ରାୟତଃ ୧୭୦ ଜଣ କଳାକାରମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି

  • ଜାତୀୟ ନାଟ୍ୟ ବିଦ୍ୟାଳୟ ଟିମ୍ ପକ୍ଷରୁ ଧନୁଯାତ୍ରା ଉପରେ ନିର୍ମାଣ କରାଯିବ ପ୍ରାମାଣିକ ବୃତ୍ତଚିତ୍ର

  • ଧନୁଯାତ୍ରା ପାଇଁ ନିର୍ମିତ ହେବ ସ୍ୱତନ୍ତ୍ର ୱେବସାଇଟ, ୟୁନେସ୍କୋ ଇନ୍‌ଟାଞ୍ଜିବୁଲ୍ କଲଚରାଲ୍ ହେରିଟେଜ୍‌ର ମାନ୍ୟତା ପ୍ରଦାନ କରିବା ପାଇଁ ଗଠିତ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର, (୨୯/୧୨): ଆସନ୍ତା ୩ ଜାନୁଆରୀ, ୨୦୨୫ ରିଖ ଠାରୁ ୧୩ ଜାନୁଆରୀ, ୨୦୨୫ ରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଧନୁଯାତ୍ରା ମହୋତ୍ସବ-୨୦୨୫ ପାଳିତ ହେବ। ଆମ ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟର ପ୍ରତୀକ ଭାବେ ଧନୁଯାତ୍ରା ମହୋତ୍ସବକୁ ଦିବ୍ୟ, ଭବ୍ୟ ଏବଂ ଆଡ଼ମ୍ବରର ସହ ପାଳନ କରିବା ସହ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଇଛି, ଯାହାର ସବିସ୍ତୃତ ବିବରଣୀ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଦାନ କରିଥିଲେ।

ଶ୍ରୀ ସୂରଜ କହିଥିଲେ ଯେ, ଧନୁଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଜୟଯାତ୍ରା। ଏହି ଯାତ୍ରା ସମୟରେ ବରଗଡ଼ର ବିଭିନ୍ନ ଅଞ୍ଚଳ ମଥୁରା ନଗରୀ, ଗୋପପୁର, କଂସଙ୍କ ଦରବାର ଆଦିରେ ରୂପାନ୍ତରିତ ହୋଇଥାଏ। ଧନୁଯାତ୍ରା ମହୋତ୍ସବ-୨୦୨୫ କୁ ଦିବ୍ୟ, ଭବ୍ୟ ଏବଂ ଆଡ଼ମ୍ବରର ସହ ପାଳନ କରାଯିବା ସହ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅନୁଷ୍ଠାନିକ ଭାବେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହି ଅନୁଦାନ ରାଶିକୁ ପୂର୍ବରୁ ପ୍ରଦାନ କରାଯାଉଥିବା ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବାଦ, ଧନୁଯାତ୍ରାର ସିଧାପ୍ରସାରଣ, ଧନୁଯାତ୍ରା ନିମନ୍ତେ ସ୍ୱତନ୍ତ୍ର ୱେବସାଇଟ କରିବା ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ଖର୍ଚ୍ଚ ନିମନ୍ତେ ୫୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯିବାର ନିଷ୍ପତ୍ତି ନିଆଯାଇଛି।ଏଥିସହ ଧନୁଯାତ୍ରାରେ ଭାଗନେଉଥିବା ପ୍ରାୟତଃ ୧୭୦ ଜଣ କଳାକାରମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବ। ପୂର୍ବବର୍ଷ ମାନଙ୍କରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା ବହୁ ଅଭିନେତାମାନଙ୍କୁ ମଧ୍ୟ ସମ୍ମାନିତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯିବ।

ଧନୁଯାତ୍ରାର ବ୍ୟାପକ ପ୍ରଚାର-ପ୍ରସାର ନିମନ୍ତେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମଥର ପାଇଁ ଏଲ. ଇ. ଡ଼ି. ପରଦା ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମତେ ଓଡ଼ିଶାର ବିଭିନ୍ନ ପ୍ରମୁଖ ସ୍ଥାନ ମାନଙ୍କରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ଧନୁଯାତ୍ରା ଚାଲୁଥିବା ସମୟରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ଏଲ. ଇ. ଡ଼ି ପରଦାରେ ଧନୁଯାତ୍ରାର ପ୍ରସାରଣ ହେବା ଫଳରେ ଏହି ଭବ୍ୟ ଯାତ୍ରାର ଐତିହ୍ୟ ଏବଂ ବିଶେଷ୍ଵତ ସମ୍ବନ୍ଧରେ ଅବଗତ ହୋଇପାରିବେ ବୋଲି ଲକ୍ଷ୍ୟ ରଖା ଯାଇଛି ।

ଏଥିସହିତ ଧନୁଯାତ୍ରା ମହୋତ୍ସବ-୨୦୨୫ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ ମଧ୍ୟ କରାଯାଉଛି ଯେଉଁଥିରେ ଧନୁଯାତ୍ରାର ଚିତ୍ରାୟନ, ପ୍ରାମାଣିକ ଦସ୍ତାବିଜ, ସମସ୍ତ ଦୃଶ୍ୟାବଳୀ, ସହରରେ ଥିବା ପ୍ରମୁଖ ହୋଟେଲ, ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥାନ ସମ୍ବନ୍ଧୀୟ ବିବରଣୀ ଏବଂ ଜିପିଏସ ସିଷ୍ଟମକୁ ମଧ୍ୟ ସ୍ଥାନିତ କରାଯିବ ଯାହା ଦ୍ୱାରା କି ସମସ୍ତ ଜନସାଧାରଣମାନେ ଅତି ସହଜରେ ସମସ୍ତ ତଥ୍ୟ ପାଇପାରିବେ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧନୁଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱେବସାଇଟରେ ଏକ ଡିଜିଟାଲ କୁଇଜ ଅନୁଷ୍ଠିତ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଧନୁଯାତ୍ରାକୁ ୟୁନେସ୍କୋ ଇନଟାଞ୍ଜିବୁଲ୍ କଲଚରାଲ୍ ହେରିଟେଜ୍‌ (UNESCO Intangible Cultural Heritage)ର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯିବ। ବିଶିଷ୍ଟ ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ସାଂସଦ ଅରୁଣ ଗୋଭିଲ ଓ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ନୀତିଶ ଭାରଦ୍ଵାଜ, ମଥୁରାର ସାଂସଦ ହେମାମାଳିନୀଙ୍କୁ ମଧ୍ୟ ଧନୁଯାତ୍ରାରେ ଆମନ୍ତ୍ରିତ କରାଯିବ । ଏଥିସହ ଧନୁଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ସମସ୍ତ ପ୍ରଶାସନିକ ଏବଂ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

0
0
0
s2sdefault