ହେଡଲାଇନସ୍:

ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଯୁବ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଲେ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିକଶିତ ଭାରତ ଗଠନରେ ଯୁବ ଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି – ରାଜ୍ୟପାଳ

ଭୁବନେଶ୍ୱର, ତା ୦୨.୧୨.୨୦୨୪- ଭାରତ ଏକ ଯୁବ ରାଷ୍ଟ୍ର । ଯୁବ ଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି । ବିବିଧତାରେ ଏକତା ରାଷ୍ଟ୍ରର ଶ୍ରେଷ୍ଠ ପରିଚୟ । ରାଜ୍ୟ ରାଜ୍ୟ ମଧ୍ୟରେ ସଂପର୍କ ଯେତେ ବୃଦ୍ଧି ପାଇବ ଏବଂ ଜନସାଧାରଣଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଯେତେ ଅଧିକ ହେବ ତାହା ରାଷ୍ଟ୍ରକୁ ସେତେ ସଶକ୍ତ ଓ ସମୃଦ୍ଧ କରିବ । ବିକଶିତ ଭାରତ ଗଠନରେ ଯୁବଗୋଷ୍ଠୀଙ୍କ ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ଆରମ୍ଭ କରାଯାଇଥିବା ଯୁବା ସଙ୍ଗମ କାର୍ଯ୍ୟକ୍ରମ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିପାରିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ ପ୍ରକାଶ କରିଛନ୍ତି ।
ଆଜି ରାଜଭବନର ଅଭିଷେକ ହଲ୍ରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ବାର୍ତା ଓ ସଂକଳ୍ପ ଅଧୀନରେ ଆରମ୍ଭ କରାଯାଇଥିବା ‘ଯୁବା ସଙ୍ଗମ’ କାର୍ଯ୍ୟକ୍ରମର ପଂଚମ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ର ରାଜ୍ୟର ପଚାଶରୁ ଉଦ୍ଧ୍ୱର୍ ଯୁବ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପ୍ରତିନିଧି ଦଳଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ଦେଶରେ ପ୍ରଣୟନ କରାଯାଇଥିବା ଜାତୀୟ ଶିକ୍ଷାନୀତି ୨୦୨୦ ଦେଶର ସମୃଦ୍ଧ ବିବିଧତା ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ଉପରେ ପ୍ରାଧାନ୍ୟ ଦେଇଥିବା ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଦେଶର ଯୁବଗୋଷ୍ଠୀଙ୍କୁ ବର୍ତମାନର ବେଶ୍ୱିକ ଆହ୍ୱାନକୁ ମୁକାବିଲା କରିବା ପାଇଁ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ । ମହାରାଷ୍ଟ୍ର ଯୁବ ପ୍ରତିନିଧି ଦଳ ସେମାନଙ୍କ ଗସ୍ତ ସମୟରେ ସଂସ୍କୃତି ସଂପନ୍ନ ଓଡ଼ିଶା ରାଜ୍ୟ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିପାରିବେ ବୋଲି ରାଜ୍ୟପାଳ କହିଥିଲେ ।
ଏହି କାର୍ଯ୍ୟକ୍ରମର ରାଜ୍ୟରେ ନୋଡ଼ାଲ ଅନୁଷ୍ଠାନ ଆଇଆଇଟି, ଭୁବନେଶ୍ୱରର ଛାତ୍ର ବ୍ୟାପାରର ଡ଼ିନ୍ ପ୍ରଫେସର ରାଜେଶ ରୋଶନ ଦାସ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଓ ମହାରାଷ୍ଟ୍ର ଯୁବ ପ୍ରତିନିଧି ଦଳ ସଂପର୍କରେ ପ୍ରାରମ୍ଭରେ ସଂକ୍ଷିପ୍ତରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ଦୁଇ ଜଣ ପ୍ରତିନିଧି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ଓ ରାଜ୍ୟର ଜନସାଧାରଣଙ୍କ ଆତିଥେୟତାରେ ବେଶ୍ ପ୍ରଭାବିତ ହୋଇପାରିଛନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟଯେ ମହାରାଷ୍ଟ୍ରରୁ ଆସିଥିବା ଯୁବ ପ୍ରତିନିଧି ଦଳ ୨୮ ନଭେମ୍ବରରୁ ୪ ଡ଼ିସେମ୍ବର ପର୍ଯ୍ୟନ୍ତ ଓଡ଼ିଶା ପରିଦର୍ଶନରେ ଅଛନ୍ତି । ଅନୁରୂପଭାବେ ଓଡ଼ିଶାର ପଚାଶରୁ ଉଦ୍ଧ୍ୱର୍ ପ୍ରତିନିଧି ଦଳ ବର୍ତମାନ ଯୁବା ସଙ୍ଗମ କାର୍ଯ୍ୟକ୍ରମ ଅଧୀନରେ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି । ଯୁବା ସଙ୍ଗମ କାର୍ଯ୍ୟକ୍ରମରେ ମୁଖ୍ୟତଃ ପାଂଚୋଟି ବିଭାଗ ଯେପରି ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପରସ୍ପର ସଂପର୍କ ଏବଂ ପ୍ରାଦ୍ୟୋଗିକ ଉପରେ ଗୁରୁତ୍ୱ ଦିଆଯାଇଛି ।

0
0
0
s2sdefault