ପୁରୀ, (ଅନିମେଶ ପଟ୍ଟନାୟକ): ସ୍ଥାନୀୟ ପୁରୀ ଠାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିଲେ କଣ୍ଟାବାଞ୍ଝିର ବିଧାୟକ ଲକ୍ଷ୍ମଣ ବାଗ ।ଏହି ଅବସରରେ ସେ କହିଥିଲେ, ବିଶ୍ୱରେ ଗୋମାତାଙ୍କ ସୁରକ୍ଷା କରିବାରେ ଭାରତ ଏକ ନମ୍ବର ଏବଂ ଦେଶରେ ଗୋ-ସୁରକ୍ଷା କ୍ଷେତ୍ରରେ ଓଡିଶା ଏକ ନମ୍ବର । ପୁରୀରେ ଆୟୋଜିତ ଏହି ମହାଯଜ୍ଞ ଗୋସୁରକ୍ଷା କ୍ଷେତ୍ରରେ ସମସ୍ଥଙ୍କୁ ଅନୁପ୍ରାଣିତ କରି ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବ ।
ଅନ୍ୟପଟେ ଯଜ୍ଞସ୍ଥଳରେ ପୁରୀ ଜିଲ୍ଲା ୱାଟକୋର ମହାପ୍ରବନ୍ଧକ ବିକ୍ରମ ରାଉତ ଯୋଗଦେଇ ଯଜ୍ଞକୁଣ୍ଡ ଦର୍ଶନ ସହିତ ଯଜ୍ଞସ୍ଥଳର ପାବନ ବାତାବରଣରେ କିଛି ସମୟ ଅତିବାହିତ କରିଥିଲେ । ଅପରାହ୍ନରେ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜଙ୍କ ଦ୍ୱାରା ସଙ୍ଗୀତମୟ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜୟଶ୍ରୀରାମ ଧ୍ୱନିରେ ଯଜ୍ଞସ୍ଥଳକୁ ରାମମୟ କରିଥିଲେ ।
ସମସ୍ତ ଅତିଥିମାନଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ରଞ୍ଜିତା ପାଢୀ, ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସ୍ୱାଗତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖପାତ୍ର ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।