ଭୁବନେଶ୍ୱର (୨୦/୧୧): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗରେ ଆସନ୍ତା ନଭେମ୍ବର ୨୧ ତାରିଖ ଠାରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳନ କରାଯିବ। ଜନନାୟକ ଡ଼ଃ ହରେକୃଷ୍ଣ ମହତାବଙ୍କ ଏହି ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେବ।
ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ମହତାବଙ୍କ ସ୍ମୃତିଚାରଣ କରାଯିବା ସହିତ ବିଭିନ୍ନ ପୁସ୍ତକ ଉନ୍ମୋଚନ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପକ୍ଷରୁ ପୁସ୍ତକ ପ୍ରଦର୍ଶନୀ, ବିଭୂତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ତରଫରୁ ତୈଳଚିତ୍ର ପ୍ରଦର୍ଶନୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫୋଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ଏଥିସହିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ହରେକୃଷ୍ଣ ମହତାବଙ୍କ ଉପନ୍ୟାସ "ପ୍ରତିଭା" ଉପରେ ଆଧାରିତ ଏକ ନାଟକ ମଧ୍ୟ ପରିବେଷଣ କରାଯିବ।
ଏଥିସହ ତିନିଦିନର ଏହି କାର୍ଯ୍ୟକ୍ରମର ଶୀର୍ଷକକୁ ବିଭିନ୍ନ ବିଷୟବସ୍ତୁ ଯଥା ନବ ଉତ୍କଳର ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ, ଡ଼ଃ ହରେକୃଷ୍ଣ ମହତାବ: ଏକ ତତ୍ତ୍ୱ ଏବଂ ରାଷ୍ଟ୍ର ନୀତିଜ୍ଞ ଡ଼ଃ ମହତାବ ଉପରେ ଆଧାରିତ କରି ରଖାଯାଇଛି।
ପ୍ରକାଶଯୋଗ୍ୟ ଯେ, ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଓଡିଶା ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ବିଗତ ନଭେମ୍ବର ୧୦ ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶାର ସୁନାମଧନ୍ୟ ୩୦ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ହରେକୃଷ୍ଣ ମହତାବଙ୍କ ଜୀବନୀ ଉପରେ ଆଧାରିତ ଏକ ଚିତ୍ରକଳା ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା। ଆଗାମୀ ଦିନରେ ଏହି ଚିତ୍ରକଳା ଗୁଡ଼ିକୁ ବିଭିନ୍ନ ପ୍ରତିଷ୍ଠିତ ପ୍ରଦର୍ଶନୀ ମାନଙ୍କରେ ମଧ୍ୟ ପ୍ରଦର୍ଶିତ କରାଇବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ନବ ଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଅବଦାନ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ନେତୃତ୍ୱ ଜନମାନସରେ ଏକ ନୂତନ କ୍ରାନ୍ତି ଆଣି ଦେଇଥିଲା। ଏଥିସହ ତାଙ୍କର ସାହିତ୍ୟ ସର୍ଜନା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପରିପୁଷ୍ଟ କରିଛି। ସେହି ମହାପୁରୁଷଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶିତ ହୋଇଛି।