ହେଡଲାଇନସ୍:

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଡାକ୍ତର ଦଳ ରିପୋର୍ଟ ଅନୁଯାୟୀ ଫୁଡ ପଏଜନିଙ୍ଗ ଯୋଗୁଁ ମୃତ୍ୟୁ ଘଟିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତ ଆକ୍ରାନ୍ତ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ,ନିୟମିତ ଭାବେ ଚାଉଳ ପାଉଛନ୍ତି


FILE PHOTO

ଭୁବନେଶ୍ୱର, ୦୨/୧୧/୨0୨୪: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଆକ୍ରାନ୍ତ ଓ ମୃତବ୍ୟକ୍ତି ମାନେ ତାଙ୍କର ନିୟମିତ ଖାଦ୍ୟ ଅଭ୍ୟାସ ଭାବରେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ। ଫୁଡ ପଏଜନିଙ୍ଗ କାରଣରୁ ସେମାନେ ଅସୁସ୍ଥ ହୋଇ ପଡିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
ଏହି ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଡାକ୍ତରୀ ଦଳ, ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନଭେମ୍ବର ୧ ତାରିଖ ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ସମସ୍ତ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ତର୍ଜମା କରିଥିଲେ । ସମସ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ସେଠାରେ ରମିତା ପାଟମାଝୀ ଓ ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଅନ୍ୟ ଛଅ ଜଣ ପୀଡିତ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କର ଆରୋଗ୍ୟ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ ହଜାର ଟଙ୍କା ଏବଂ ଚିକିତ୍ସାଧୀନ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତ ପ୍ରଦାନ କରାଯାଇଛି ।
ପ୍ରକାଶ ଯୋଗ୍ୟ ଯେ ଆକ୍ରାନ୍ତ ପରିବାର ସମେତ ଏହି ଗ୍ରାମର ସମସ୍ତ ୬୯ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚାଉଳ ପାଉଛନ୍ତି । ରିପୋର୍ଟରୁ ଜଣା ଯାଇଛି ଯେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୃତକଙ୍କ ପରିବାର ସହିତ ଗାଁର ସମସ୍ତେ ଚାଉଳ ପାଇଛନ୍ତି। ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଣ ଚାଲୁ ରହିଛି । ସମସ୍ତ ରିଟେଲରଙ୍କୁ ମଧ୍ୟ ହିତାଧିକାରୀମାନଙ୍କୁ ଚାଉଳ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।
ଏହା ବ୍ୟତୀତ ଆକ୍ରାନ୍ତ ପରିବାରଙ୍କୁ ମଧ୍ୟ ପୂର୍ବରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ମାଣ୍ଡିପଙ୍କା ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏହି ଗ୍ରାମକୁ ଆଶାକର୍ମୀ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧୁକାରୀ ନିୟମିତ ପରିଦର୍ଶନ କରି ଲୋକଙ୍କୁ ସ୍ୱାସ୍ଥ୍ୟରକ୍ଷା ନେଇ ସଚେତନ କରିଥାନ୍ତି । ଏହି ଗ୍ରାମର ବାସିନ୍ଦା ସାବିତ୍ରୀ ପ୍ରଧାନ ଏବଂ ମିନାକ୍ଷୀ ବଳିୟାରସିଂ ନିୟମିତ ଭାବେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚାଉଳ ପାଇଥିବା କଥା ପ୍ରକାଶ କରିଛନ୍ତି ।
ଭବିଷ୍ୟତରେ ଯେପରି ଏହିପରି ଅଭାବନୀୟ ଘଟଣା ନ ଘଟେ, ସେଥିପାଇଁ ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ ଦ୍ଵାରା ଉକ୍ତ ଅଞ୍ଚଳରେ ଅଙ୍ଗନବାଡି କର୍ମୀ ଏବଂ ସ୍ଵାସ୍ଥ୍ୟ ଟିମ ଦ୍ଵାରା ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଲୋକମାନେ ଯେପରି ସଫା ସୁତୁରା ରହିବା ସହ ସୁଷମ ଖାଦ୍ୟ ଗ୍ରହଣ କରିବେ ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପଂଚାୟତ ପ୍ରତିନିଧି ଆଦିଙ୍କ ଦ୍ୱାରା ସଚେତନତାର ବାର୍ତ୍ତା ଦିଆଯାଉଛି ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, କନ୍ଧମାଳ ସୂଚନା ଦେଇଛନ୍ତି ।

0
0
0
s2sdefault