ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସମ୍ପର୍କରେ କଳଙ୍କ l ଅତିଥି ହୋଇ ଘରକୁ ବୁଲିବାକୁ ଆସଥିଲେ । ସୁନା ଖଡ଼ୁ ଉପରେ ପଡ଼ିଲା ନଜର l ଆଉ ଲୁଟି ନେଲେ ପ୍ରାୟ ୨୪୦ ଗ୍ରାମର ସୁନା ଗହଣା l ବିଶ୍ୱାସଘାତକତା କରି ପୁଲିସ ହାତରେ ବନ୍ଧା ହେଲେ ସମ୍ପର୍କୀୟ । କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳର ଜଣେ ବିଧବା ବୃଦ୍ଧା ଏସ୍ତେରା ଶୋଭାସୁନ୍ଦର ନିଜ ସମ୍ପର୍କୀୟ ପୁତୁରା ଘରକୁ ଭଲ ମନ୍ଦ ବୁଝିବା ସହ ତାଙ୍କୁ ଭେଟିବା ପାଇଁ ଆସିଥିଲେ । ହେଲେ ସେହି ସମ୍ପର୍କୀୟମାନେ ବୃଦ୍ଧା ପିନ୍ଧିଥିବା ସୁନା ଗହଣା ଉପରେ ଲୋଭ ରଖିଥିଲେ । ପ୍ରାୟ ୨ ଶହ ୪୦ଗ୍ରାମ ସୁନା ଗହଣାକୁ ଚୋରି କରିନେଇଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ଦାରିଙ୍ଗବାଡି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା l ପୁଲିସ ପକ୍ଷରୁ ୨୦୧/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ପୁଲିସ ଭୟରେ ଜଣେ ଫେରାର ହୋଇଯାଇଥିବା ବେଳେ ୨ ଜଣ ମହିଳାଙ୍କୁ ଗିରଫ କରିଥିବା ନେଇ ଆଇଆଇଆସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଗିରଫ ୨ ଜଣ ହେଲେ ଅମିତା ନାୟକ ଏବଂ ମେନକା ସିଂ। ଏଥିରେ ସମ୍ପୃକ୍ତ ସୁନୀଲ କୁମାର ସିଂ ଫେରାର ହୋଇଯାଇଥିବା ପୁଲିସ କହିଛି । ଫେରାର ଲୁଟେରାକୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଚୋରି ହୋଥିବା ସମସ୍ତ ୨ ଶହ ୪୦ ଗ୍ରାମ ସୁନାକୁ ପୁଲିସ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ଗାଁ କାଟିଙ୍ଗିଆ ଅଞ୍ଚଳରୁ ପୁତୁରା ଓ ପୁତୁରା ବୋହୂଙ୍କୁ ଦେଖିବା ପାଇଁ ୨୮ ତାରିଖରେ ଦାରିଙ୍ଗବାଡ଼ି ଚାଲିଆସିଥିଲେ । ତାଙ୍କ ଘରେ ରାତିରେ ରହିଥିଲେ । ସମସ୍ତେ ଖାଇ ପିଇ ଶୋଇପଡ଼ିଥିଲେ ମଧ୍ୟ ଅତିଥି ଭାବେ ଆସିଥିବା ବୃଦ୍ଧାଙ୍କ ସୁନା ଗହଣା ଉପରେ ନଜର ରଖିଥିବା ପୁତୁରା ଓ ପୁତୁରା ବୋହୂ ବୃଦ୍ଧା ଶୋଇପଡ଼ିବା ପରେ ଚୋରି କରି ନେଇଥିଲେ । ବୃଦ୍ଧା ଜଣକ ସକାଳୁ ନିଜେ ପିନ୍ଧିଥିବା ସୁନା ଗହଣା ନ ଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଘଟଣା ସମ୍ପର୍କରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ବୀକାର କରିଥିବାର ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟ
ସମ୍ପର୍କୀୟଙ୍କ ସୁନା ଅଳଙ୍କାର ଲୁଟି ବନ୍ଧା ହେଲେ ସମ୍ପର୍କୀୟ ମହିଳା, ସୁନା ଅଳଙ୍କାର ଜବତ..
- Hits: 47