ହେଡଲାଇନସ୍:

ଟିଟିଲାଗଡ଼କୁ ଜିଲ୍ଲା ଓ କଣ୍ଟାବାଞ୍ଜିକୁ ଉପଖଣ୍ଡ ମାନ୍ୟତା ଦାବି ନେଇ କଣ୍ଟାବାଞ୍ଜି କଂଗ୍ରେସର ଗଣବିକ୍ଷୋଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼/ସୁନୀଲ ବେହେରା :  ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ଓ କଣ୍ଟାବାଞ୍ଜିକୁ ଉପଖଣ୍ଡ ମାନ୍ୟତା ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ମରୁଡ଼ି ଘୋଷଣା ଦାବିରେ କଣ୍ଟାବାଞ୍ଜି କଂଗ୍ରେସ କମିଟି ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଲିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ଓ କଣ୍ଟାବାଞ୍ଜି ଏନଏସି ଅଞ୍ଚଳର ୪ହଜାରରୁ ଉର୍ଦ୍ଧ ଚାଷୀ ଓ କଂଗେସ କର୍ମୀ ରଘୁନାଥ ପଡ଼ା ସ୍ଥିତ ରାମ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ କଣ୍ଟାବାଞ୍ଜିର ପୁର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ସେଠାରେ ମୁରିବାହାଲ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବଘାରଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ପୁର୍ବତନ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସାଲୁଜା, ପିସିସି ସଭ୍ୟ ବିଧୁଭୂଷଣ ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରୁପେଶ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ଛତ୍ରିଆ, ସରପଞ୍ଚ ଉପେନ୍ଦ୍ର ମେହେର, ଜୋନ ନଂ ୨୮ର ସଭାପତି ବେଲାରସେନ ବେହେରା, ପୁର୍ବତନ କଣ୍ଟାବାଞ୍ଜି ନଗରପାଳ ଡମ୍ବରୁ ବେହେରା ପ୍ରମୁଖ ଉଦ୍ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ କଟୁ ସମାଳୋଚନା କରଥିଲେ । ଦୀର୍ଘ ୨୬ ବର୍ଷରୁ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଥିଲେ ମଧ୍ୟ ଯୋଗ୍ୟତା ସମ୍ପନ୍ନ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ନଦିଆଯିବା ପରିତାପର ବିଷୟ ବୋଲି କହି ଟିଟିଲାଗଡ଼କୁ ଜିଲ୍ଲା ଓ କଣ୍ଟାବାଞ୍ଜିକୁ ଉପଖଣ୍ଡ ମାନ୍ୟତା ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ । ନେତୃବୃନ୍ଦ ବିଶୋଦଗାର କରି କହିଥିଲେ ଯେ କଣ୍ଟାବାଞ୍ଜି ଅଞ୍ଚଳ ଏକ ଚିର ମରୁଡ଼ି ପ୍ରପିଡ଼ିତ ଅଞ୍ଚଳ । ପ୍ରତିବର୍ଷ ପ୍ରାକୃତିକ ବିିପର୍ଯ୍ୟ ସହ ପ୍ରଶାସନିକ ଉଦାସୀନତା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଉଛି ଓ କେତେକ ଚାଷୀ  ହତାଶ ହୋଇ ଆତ୍ମହତ୍ୟା ପନ୍ଥା ଅବଳମ୍ବନ କରୁଛନ୍ତି ତ କେତେକ ପେଟ ବିକଳରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଚଳିତ ବର୍ଷ ମଧ୍ୟ କଣ୍ଟାବାଞ୍ଜି  ଅଞ୍ଚଳ ମରୁଡ଼ିର ସମ୍ମୁଖୀନ ହୋଇଛି । କୃଷି ହିଁ କର୍ମ, କୃଷି ହିଁ ଜୀବନ ବୋଳି ନିଜ ଭାଗ୍ୟକୁ ଆଦରି ସମ୍ପୁର୍ଣ୍ଣ ଭାବେ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଜୀବନ ଜୀବିକା ପାଇଁ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ନିଜ ପରିବାର ସହ କେଉଁଆଡେ଼ ଦାଦନ ଖଟିଯିବ ସେ ନେଇ ଭାଲେଣି କଳାଣି । ତଥାପି ରାଜ୍ୟ ସରକାର ଭୃକ୍ଷେପ କରୁନାହାନ୍ତି । ତାହା ଏହି ଅଞ୍ଚଳର ଚାଷୀମାନଙ୍କ ପ୍ରତି ବିଜେଡି ସରକାରଙ୍କ ଆନ୍ତରିକତା କେତେ ତାହା ଦୀର୍ଘ ୧୮ ବର୍ଷ ଶାସନରୁ ବେଷ ସ୍ପଷ୍ଟ ବୋଲି ସମାଲୋଚନା କରିଥିଲେ । ଶେଷରେ ବିକାଶ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଲିତ ଏକ ସ୍ମାରକ ପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ଦେବାଶୀଷ ସାମଲଙ୍କୁ ପ୍ରଦାନ କରିଥିଲେ । ସ୍ମାରକ ପତ୍ର ଗ୍ରହଣ କରି ଶ୍ରୀ ସାମଲ ଏହା ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯଥାବିଧି ପଠାଇ ଦିଆଯିବ ବୋଲି ପ୍ରତିଶୃତି ଦେବାରୁ ଆନେ୍ଦାଲନ ପ୍ରତ୍ୟାହୁତ ହୋଇଥିଲା । ସ୍ମାରକ ପତ୍ରରେ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ଓ କଣ୍ଟାବାଞ୍ଜିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବା, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୬୭ ଗୋଟି ପଞ୍ଚାୟତ ଓ କଣ୍ଟାବାଞ୍ଜି ଏନଏସିର ୧୬ ଗୋଟି ୱାର୍ଡକୁ ଶତକଡ଼ା ୧୦୦ ଭାଗ ମରୁଡ଼ି ଘୋଷଣା କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦ ହଜାର ଲେଖାଏଁ ମୋଟ ୪୦ ହଜାର ଟଙ୍କା କ୍ଷତିପୁରଣ ବାବଦ ଇନପୁଟ ସବ୍ସିଡି କିମ୍ବା ପ୍ୟାକେଜ ଆକାରରେ ସମସ୍ତ ଚାଷୀଙ୍କୁ ପ୍ରଦାନ କରିବା, ସମସ୍ତ ପ୍ରକାର କୃଷି ଋଣ ଛାଡ଼ କରିବା, ଚାଷୀଙ୍କୁ ଶତକଡ଼ା ୧୦୦ ଭାଗ ବୀମା ପ୍ରାପ୍ୟ ପ୍ରଦାନ କରିବା, ସେହିପରି ଅନଲାଇନରେ ବୀମା କରିଥିବା ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ସମସ୍ତ ଚାଷୀ ଓ ଗରିବ ପରିବାରକୁ ରାସନ କାର୍ଡ ଯୋଗାଇ ଦେବା ଦର୍ଶାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ତୁରେକେଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁ ଭୋଇ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସରପଞ୍ଚ ସୁଶ ଯୋଷୀ, ସରପଞ୍ଚ ସସ୍ମିତା ମହାନନ୍ଦ, ସମିତି ସଭ୍ୟା ନମିତା ପୁଟେଲ, ଟିଟିଲାଗଡ଼ର ପୁର୍ବତନ ଉପନଗରପାଳ କେ ତ୍ରିନାଥ ରାଓ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦେବବ୍ରତ ଷଡ଼ଙ୍ଗୀ, ଚଟୁଉନକା ସୋସାଇଟି ସଭାପତି କୁଞ୍ଜ ବିହାରୀ ପନିକା, ଜୋନ ନଂ ୨୯ର ସଭାପତି ବିରାଜ ପୁଟେଲ,୨୧ ନଂ ଜୋନ ସଭାପତି ବିଘ୍ନରାଜ ଭୋଇ, ୧୧ ନଂ ଜୋନ ସଭାପତି କାର୍ତ୍ତିକ ପୁଟେଲ, ୧୦ ନଂ ଜୋନ ସଭାପତି ବାଲ ସେଲମା, ଚନ୍ଦ୍ରଧ୍ୱଜ ବାଗ,  ପ୍ରମୂଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ବେଳେ ୪ ହଜାରରୁ ଉର୍ଦ୍ଧ ଚାଷୀ ଓ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

0
0
0
s2sdefault