ହେଡଲାଇନସ୍:

ଯାଜପୁର ସଡକ ସୁରକ୍ଷା ବୈଠକ: ମଦ୍ୟପ ଓ ବେପରୁଆ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ଜୟଶଙ୍କର ଦାଶ : ନିଶାସକ୍ତ ଅବସ୍ଥାରେ ବେପରୁଆ ଭାବେ ଅତି ଦ୍ରୁତ ବେଗରେ ଗାଡି ଚାଳନା ପାଇଁ ମର୍ମୁଦନ୍ତ ସଡକ ଦୁର୍ଘଟଣାରେ ବ୍ୟାପକ ଧନଜୀବନ କ୍ଷତି ହେବା ସହ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହେଉଛି । ସଡକ ସୁରକ୍ଷା ପାଇଁ ଏଭଳି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ସଡକ ସୁରକ୍ଷା ବୈଠକରେ ଦୃଢ ଦାବି କରାଯାଇଥିଲା ।

/ ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସଡକ ସୁରକ୍ଷା ନେଇ ଆଲୋଚନା ହୋଇଥିଲା । କେବଳ ହେଲମେଟ ଚେକିଂ ଉପରେ ପୋଲିସ ଏବଂ ପ୍ରଶାସନ ତରଫରୁ ଅଧିକ ଗୁରୁତ୍ୱ ଦିଆଯାଇ ସଡକ ଦୁର୍ଘଟଣାର ମୂଳ କାରଣ ବେପରୁଆ ଏବଂ ମଦ୍ୟପ ଗାଡି ଚାଳକ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ କମିଟିରେ ବାରମ୍ବାର ଦାବିକୁ ଅଣଦେଖା କରାଯାଉଛି ବୋଲି କମିଟିର ସଭ୍ୟ ସତୀଶ ବିଶ୍ୱାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିନେଇ ସମୀକ୍ଷା ପରେ ଏ କ୍ଷେତ୍ରରେ ଜରିମାନା ଆଦାୟ ଓ ରୁଜୁ ହୋଇଥିବା କେସ ଅତି ନଗଣ୍ୟ ହୋଇଥିବା ବେଳେ ଦୀର୍ଘ ୧୦ ବର୍ଷ ପୂର୍ବରୁ ଥାନାକୁ ମଦ୍ୟପ ଚାଳକ ଧରିବା ନେଇ ଦିଆଯାଇ ଥିବା ଯନ୍ତ୍ରର ସଠିକ କାର୍ଯ୍ୟକାରୀ ନହେବା ନେଇ ମଧ୍ୟ ବିଶ୍ୱାଳ ଉନବେଗ ପ୍ରକାଶ କରିଥିଲେ । ଏପରିକି କେବଳ ହେଲମେଟ ଚେକିଂରେ ସଡକ ସୁରକ୍ଷା ସୀମିତ ରହିବା କେବଳ କାଣି ବିଲେଇ ଉପରେ କୁଜି ଅସରପା ଉପରେ ରଜା ହେବା ସଦୃଶ ବୋଲି ମଧ୍ୟ ଅଭିଯୋଗ କରିଥିଲେ ।

ତେବେ ଏଥିନେଇ ଆଗାମୀ ଦିନରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲାର ଚଣ୍ଡୀଖୋଲ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକରେ ଆଲୋକିକରଣ ବ୍ୟବସ୍ଥା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ହେବ । ଜିଲ୍ଲାର ସ୍କୁଲ ବସ ଗୁଡିକ ସରକାରୀ ନିୟମକୁ ପାଳନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ, ଜାତୀୟ ରାଜପଥରେ ଥିବା ବଡ ବଡ ଖାଲ ଗୁଡିକ ପାଇଁ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏଗୁଡିକୁ ସମତଳ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଯତ୍ନବାନ ହେବା, ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଥିବା ବିପଦଜନକ ହମ୍ପ୍ସ ଗୁଡିକୁ ଉଚ୍ଚେଦ କରାଯିବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବା, ଚଣ୍ଡୀଖୋଲ- ଡୁବୁରୀ ଜାତୀୟ ରାଜପଥରେ ଅଧିକ ସଂଖ୍ୟାରେ ବେଗଗାମୀ ଓ ବେପରୁଆ ଗାଡି ଚାଳକଙ୍କ ଉପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା କାର୍ଯ୍ୟାନୁଷ୍ଠାନ , ଜାତୀୟ ରାଜପଥ ଆମ୍ବୁଲାନ୍ସକୁ ଦୁର୍ଘଟଣା ସମୟରେ ଅଧିକ କାର୍ଯ୍ୟରେ ଲଗାଇବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବା ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଯାଜପୁର ଆରଟିଓ ଇନ୍ଦ୍ରମଣୀ ନାୟକ, ଚଣ୍ଡୀଖୋଲ ଆରଟିଓ ଲାଲ ମୋହନ ସେଠୀ, ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଯାଜପୁର ଅତିରିକ୍ତ ଆରଟିଓ ସଚ୍ଚିଦାନନ୍ଦ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପଦ୍ମନାଭ ଜେନା, ବିଜୟାନନ୍ଦ ମହାନ୍ତି, ବିଷ୍ଣୁ ଚରଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault