ହେଡଲାଇନସ୍:

ରାଜ୍ୟସ୍ତରୀୟ ନାଟ୍ୟମେଳାର ୪ର୍ଥ ସଂଧ୍ୟା: ପଶାପାଲି ରାଜନୀତିରେ ବାନ୍ଧି ହେଲେ ଦର୍ଶକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗଣତନ୍ତ୍ର ଆଜି ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ତା’ର ଗରିମା ହରାଇବା ସହ ସମ୍ପୂର୍ଣ୍ଣ କଳୁଷିତ । ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଗୋଷ୍ଠୀ ଦ୍ୱାରା ଗଣତନ୍ତ୍ର ଆଜି ନିୟନ୍ତ୍ରିତ । ଯେଉଁ ମାନଙ୍କ ପାଖରେ ପ୍ରଚୁର ଧନ ଅଛି ସେମାନଙ୍କର କ୍ରୀଡ଼ନକ ଭାବରେ ଗଣତନ୍ତ୍ର ନିୟନ୍ତ୍ରିତ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଅଧିକାର ଅଛି ବୋଲି ସମ୍ବିଧାନ କହେ । ମାତ୍ର ସାଧାରଣ ଲୋକଟିର ପ୍ରଚୁର ଅର୍ଥ ନଥିଲେ ନା ସେ ଯଥାଯଥ ପ୍ରତିଦ୍ୱନ୍ଦିତା କରି ପାରିବ ନା ନିର୍ବାଚନରେ ଜୟଯୁକ୍ତ ହୋଇ ପାରିବ । ଏପରି ଏକ କଥା ବସ୍ତୁରେ କୋଟିପତି ସରପଞ୍ଚ ପ୍ରାର୍ଥୀ ସୁଜିତ ସାହାଣୀ ବିରୁଦ୍ଧରେ ସୀମିତ ସମ୍ବଳ ସମ୍ପନ୍ନ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଘନଶ୍ୟାମ ମହାପାତ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପଶାପାଲିରେ ସର୍ବସ୍ୱ ବାଜି ଲଗାଇଲା ପରି ରାଜନୀତି ପଶାପାଲିରେ କିପରି ଦଶା ଭୋଗିଲେ ତାହାକୁ ନେଇ ନାଟକ ‘ପଶାପାଲି’ ମଞ୍ଚସ୍ଥ ହୋଇଥିଲା । ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ଏହି ବୈପ୍ଲବିକ ଧର୍ମି ନାଟକ ‘ପଶାପାଲି’ । ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ କରୁଣାକର ସାମଲ । ସେହିପରି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୟ ଦାଶ ଏବଂ ବ୍ୟବସ୍ଥାପନାରେ ପ୍ରକାଶ ମହାରଣା ରହିଥିଲେ।ପଞ୍ଚଧ୍ୱନୀ ନାଟ୍ୟ ପରିଷଦ,ଭୁବନେଶ୍ୱର ପକ୍ଷରୁ ପରିବେଷିତ ଏହି ନାଟକରେ ଅତିଥି ଭାବେ ସିନେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଶରତ ମାଝି,ନାଟକର ନିର୍ଦ୍ଦେଶକ କରୁଣାକର ସାମଲ, ନାଟ୍ୟକାର ପଞ୍ଚାନନ ଦାଶ ପ୍ରମୁଖ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ,ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault