ଝାରସୁଗୁଡ଼ା, ୧୫ ଜୁନ: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦୁଇଜଣ ହେଲେ ଚୌକିପଡ଼ାର ପଙ୍କଜ କୁମାର ସାହୁ (୨୦) ଓ ଗିରିଜା ଶଙ୍କର ସାହୁ (୧୬)।
ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପଙ୍କଜ ଓ ଗିରିଜା ଇବ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତାବଶତଃ ସେମାନେ ନଦୀର ଗଭୀର ପାଣି ସ୍ରୋତ ଆଡ଼କୁ ଚାଲିଯାଇ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ସଦର ଥାନା ଆଇଆଇସି ଶୋଭାକର ସେଠ ସୂଚନା ଦେଇଛନ୍ତି ଯେ, ଅସାବଧାନତା ଯୋଗୁଁ ଦୁଇ ଯୁବକ ନଦୀର ଗଭୀର ଅଂଶକୁ ଚାଲିଯାଇଥିବାରୁ ଏହି ଅଘଟଣ ଘଟିଛି।
ଏହି ଦୁଃଖଦ ଘଟଣା ପରେ ସୋମବାର ପୂର୍ବାହ୍ନରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଥିଲେ। ସେ ପରିବାର ସଦସ୍ୟମାନଙ୍କ ସହ ଆଲୋଚନା କରି ସମବେଦନା ଜଣାଇବା ସହ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଭଗବାନ ସେମାନଙ୍କୁ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।
ବିଧାୟକ ଶ୍ରୀ ତ୍ରିପାଠୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି।







