ରାଉରକେଲା, (ବସନ୍ତ କୁମାର ଜେନା): ଜ୍ଞାନ ଠାରୁ ଅଭିଜ୍ଞତା ଅଧିକ ମୂଲ୍ୟବାନ। ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ସମ୍ପତ୍ତି। ବାପା ମା'ଙ୍କ ୠଣ କେହି ସୁଝି ପାରିବେ ନାହିଁ ବୋଲି ଆଲୋଚନାଚକ୍ର ରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ଛେଣ୍ଡ ୱଲଫେୟାର କମିଟି, ମଧୁସୂଦନ ପାଠାଗାର,ଉଇ ଫର ୟୁ ୟୁଥ କ୍ଲବ ଓ ନଟରାଜ ନୃତ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କୀତ ଏକ ଆଲୋଚନାଚକ୍ର ମଧୁସୂଦନ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବରାଳଙ୍କ ସଭାପତିତ୍ବ ଓ ୟୁଥ୍ କ୍ଲବ୍ ର ସାଂଗଠନିକ ଆୟୋଜକ ପ୍ରବୀର କୁମାର ଜେନାଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ରାଉରକେଲା ଶାଖାର ପ୍ରବନ୍ଧକ ବିପିନ ବିହାରୀ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଗିରୀଶ ମହାପାତ୍ର ତଥା ମୁଖ୍ୟବକ୍ତା ଭାବେ ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲର ଉପ ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଏହି ଅବସରରେ କହିଲେ ଯେ ବୟସ୍କ ମାନେ ସମାଜର ପ୍ରମୁଖ ବ୍ୟକ୍ତିତ୍ୱ। ବାପା ମା'ଙ୍କ ୠଣ କେହି ସୁଝି ପାରିବେ ନାହିଁ। ସେମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ଅଭିଜ୍ଞତା କୁ କାର୍ଯ୍ୟରେ ଲଗାଇବା ତଥା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଡ଼ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଜ୍ଞାନ ଠାରୁ ଅଭିଜ୍ଞତା ଅଧିକ ମୂଲ୍ୟବାନ। ବରିଷ୍ଠ ମାନେ ସମାଜର ମୂଲ୍ୟବାନ ସମ୍ପତ୍ତି। ମାନସିକ ଅବସାଦ ହିଁ ବହୁ ରୋଗର କାରଣ। କରୋନା ପରଠାରୁ ବରିଷ୍ଠ ମାନଙ୍କର କେବଳ ଶାରିରୀକ ନୁହେଁ ମାନସିକ, ଆର୍ଥିକ ଓ ସାମାଜିକ ସ୍ଥିତି ସୁସ୍ଥ ନାହିଁ। ବରିଷ୍ଠ ମାନେ ଏବେ ନିଜ ଘରେ ମଧ୍ୟ ଅବହେଳିତ ହେଉଛନ୍ତି। ତେଣୁ ଏହାର ବହୁ ଉଦାହରଣ ଦେଇ ବରିଷ୍ଠ ମାନେ ନିଜ ଅଭିଜ୍ଞତା ଓ ବିଭିନ୍ନ ଗୋଷ୍ଠୀ ସୃଷ୍ଟି କରି କ୍ରୀଡା, ବ୍ୟାୟାମ ମାଧ୍ୟମରେ ବଞ୍ଚିବା ଶିଖନ୍ତୁ ବୋଲି ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ବରିଷ୍ଠ ମାନଙ୍କର ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରି କହିଲେ ଯେ ଯଦି ପୁତ୍ର କନ୍ୟା ବା ନାତିନାତୁଣୀ ମାନେ ବରିଷ୍ଠ ଙ୍କୁ ଅଣଦେଖା କରନ୍ତି ତେବେ ସେମାନଙ୍କ ନାମରେ କେଶ କରାଯାଇପାରିବ। ଉକ୍ତ କେଶ ୩ମାସ ମଧ୍ୟରେ ଫଇସଲା କରାଯିବ ଓ ଏଥିପାଇଁ ଓକିଲ ନିୟୋଜିତ ହେବେ ନାହିଁ। ଏଥିପାଇଁ ସଚେତନତାର ଆବଶ୍ୟକତା ଓ ପିଲାମାନଙ୍କ ମଧ୍ୟରେ ସଂସ୍କାର, ଅନ୍ଧବିଶ୍ୱାସ ଦୂରୀକରଣ ତଥା ବ୍ୟକ୍ତି କୈନ୍ଦ୍ରିକ ନହୋଇ ସମାଜ ପ୍ରତି ଚିନ୍ତନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ ବରିଷ୍ଠ ମାନେ ସମାଜକୁ ଗଢ଼ିଛନ୍ତି। ତେଣୁ ସେମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଦରକାର। ଏହାସହ ସେ ଉତ୍କର୍ଷ ବ୍ୟାଙ୍କର ବରିଷ୍ଠ ବ୍ୟକ୍ତି ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ ବିଶିଷ୍ଟ କଣ୍ଠଶିଳ୍ପୀ ଶରତ ଧଳ ଶ୍ରୀଜଗନ୍ନାଥ ବନ୍ଦନା ଓ କୀର୍ତ୍ତନ ତଥା କଣ୍ଠଶିଳ୍ପୀ ରାଜକୁମାରୀ ଦେବୀ ଓ ସୁଶ୍ରୀ ସୁଚିତ୍ରା ମିଶ୍ର ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହି ଅବସରରେ ସର୍ବଶ୍ରୀ ଭୂପେନ ମହାପାତ୍ର, ନଳିନୀପ୍ରଭା ପଟ୍ଟନାୟକ, ଅଭୟ କୁମାର ଦାସ, ମହେନ୍ଦ୍ର ମହାନ୍ତି, ଆନନ୍ଦ ଚନ୍ଦ୍ର ମହାନ୍ତି, ଜୟନ୍ତ ମିଶ୍ର,ଶରତ ଚନ୍ଦ୍ର ଧଳ, ରବିନ୍ଦ୍ର ନାଥ ପଣ୍ଡା,ରାଖାଲ ମହାନ୍ତି, ଶ୍ରୀଚରଣ ମହାନ୍ତି, ସୂର୍ଯ୍ୟ ନାରାୟଣ ପଣ୍ଡା,ରାଜୀବ ପାଣି ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମ୍ପାଦକ ବ୍ରଜକିଶୋର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଦେବିକା ମିଶ୍ର,ତନୁଶ୍ରୀ ନାୟକ, କୈଳାସ ବେହେରା, ରଶ୍ମି ରଞ୍ଜନ ବାରିକ ଓ ଅନ୍ୟମାନେ ସହଯୋଗ କରିଥିଲେ।








