ହେଡଲାଇନସ୍:

ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମତା-ଭି.କେ. ପାଣ୍ଡିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଚେତନତା ସ୍ରୁଷ୍ଟି ଦିଗରେ ଲୋକକଳା ସବୁଠାରୁ ପ୍ରଭାବୀ ମାଧ୍ୟମ .ଶ୍ରୀ ପାଣ୍ଡିଆନ୍

ଭୁବନେଶ୍ୱର :ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ବ୍ଲକ୍‌ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି । ସଂସ୍କୃତିକୁ ଗତିଶୀଳ କରିବା ନିମନ୍ତେ ଲୋକକଳା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ । ଲୋକକଳା ବଞ୍ଚିବାକୁ ହେଲେ କଳାକାରମାନଙ୍କ ଉନ୍ନତି ହେବା ଉଚିତ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ । ଏଥି ନିମନ୍ତେ ସରକାର ଆସନ୍ତା ୩ରୁ ୪ ମାସ ମଧ୍ୟରେ କଳାକାରମାନଙ୍କୁ ଖୁସି ଖବର ଦେବେ ବୋଲି ସେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଣେ କଳାପ୍ରେମୀ ହୋଇଥିବାରୁ କଳାକାରମାନଙ୍କ ଉନ୍ନତି ନିମନ୍ତେ ସେ ସର୍ବଦା ଗୁରୁତ୍ୱାରୋପ କରୁଥିବା କହିଥିଲେ । ମିଶନ ଶକ୍ତି ଯେପରି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ଅନୁରୂପ ଢାଞ୍ଚାରେ କଳାକାର ସଂଘକୁ ସଶକ୍ତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ସେ କହିଥିଲେ । ସମସ୍ତ ସଂଘକୁ ୫-‘ଟି’ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବା ସହ ବ୍ଲକ୍‌ ଏବଂ ଜିଲ୍ଲାସ୍ତରୀୟ ସଂଘ କାର୍ଯ୍ୟାଳୟ ଖୋଲାଯିବ । ଓଡ଼ିଶାକୁ ଆଗେଇ ନେବା ସହ ସଶକ୍ତ ରାଜ୍ୟରେ ପରିଣତ କରିବା ନିମନ୍ତେ ସେ ଆହ୍ୱାନ ଦେଇଥିଲେ । ନବୀନ ଓଡ଼ିଶା ଗଠନ ନିମନ୍ତେ କଳାକାରମାନଙ୍କ ଗୁରୁ ଭୂମିକା ଥିବା ସେ କହିଥିଲେ ।
ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଥିବାବେଳେ ଏକ ଅଭିଜ୍ଞତାକୁ ଭିତ୍ତି କରି ଶ୍ରୀ ପାଣ୍ଡିଆନ୍‌ କହିଲେ ଯେ ପନ୍ଦର ବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଏଡସ୍‌ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା । ଏଥି ନିମନ୍ତେ ଲୋକକଳାର ଭୂମିକା ପ୍ରଶଂସନୀୟ ଥିଲା ଓ ଦୁଇବର୍ଷ ମଧ୍ୟରେ ଏହାର ସୁଫଳ ମିଳିଥିଲା ବୋଲି ସେ କହିଥିଲେ । ଲୋକକଳାର ପ୍ରଭାବୀ ସଚେତନତା ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖକୁ ତୃଣମୂଳ ସ୍ତରରେ ପହଞ୍ଚାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ଆଜିର ସମ୍ମିଳନୀରେ ଅଭିଜ୍ଞତାସଂପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ କଳାକାରମାନଙ୍କୁ ପରାମର୍ଶ ଦିଆଯିବା ସହ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ମିଶନ ଶକ୍ତି ଯୁଗ୍ମ ଶାସନ ସଚିବ ଶ୍ରୀ ବିନୋଦ ଜେନା, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଅତସୀ ଦାସ, ସୁବୋଧ ଆଚାର୍ଯ୍ୟ, ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନର ପରାମର୍ଶଦାତା ଶ୍ରୀ କୃଷ୍ଣଚନ୍ଦ୍ର ନିଶାଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault