ହେଡଲାଇନସ୍:

ପ୍ରତିଷ୍ଠା ଦିବସ ପୂର୍ବରୁ ଶଙ୍ଖପତିଙ୍କ ଚିଟାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପ୍ରତିଷ୍ଠା ଦିବସ ପୂର୍ବରୁ ଅନୁଗାମୀଙ୍କୁ ଚିଟାଉ ଲେଖିଛନ୍ତି ଶଙ୍ଖପତି ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ | ବିଜୁ ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା, ସଭ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ସାଂସଦ ପ୍ରାର୍ଥୀ, ବିଧାୟିକା-ବିଧାୟକ, ବିଧାୟିକା-ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି , ସାମ୍ମୁଖ୍ୟ ସଂଗଠନ ମାନଙ୍କର ରାଜ୍ୟ ଓ ଜିଲ୍ଲା ସଭାପତି, ଜିଲ୍ଲାପରିଷଦ ସଭାପତି, ଉପ-ସଭାପତି, ପୌରାଞ୍ଚଳର ମେୟର, ଡେପୁଟି ମେୟର, ଅଧ୍ଯକ୍ଷ, ଉପାଧ୍ଯକ୍ଷ ଏବଂ ବ୍ଲକ ଓ ନଗର ସଭାପତି ପ୍ରମୁଖ ଉଦ୍ଦେଶ୍ୟରେ ଲେଖିଥିବା ଖୋଲା ଚିଠିରେ ଦଳର ୨୭ ତମ ପ୍ରତିଷ୍ଠା ଦିବସର ସ୍ୱରୂପ ବିଷୟରେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି | ଏହି ପ୍ରତିଷ୍ଠା ଦିବସରେ ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ସଫଳ ବିକାଶ ଯାତ୍ରାକୁ ପୂର୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାର ବଦ୍ଧ ହେବାପାଇଁ ଆହ୍ବାନ ଦେଇଛନ୍ତି |
ଚିଠିରେ ଲେଖିଛନ୍ତି ଯେ " ଆସନ୍ତା ଡିସେମ୍ବର ୨୬ ତାରିଖରେ ଓଡ଼ିଶାବାସୀ ଓ ଓଡ଼ିଆଙ୍କ ପ୍ରିୟ ଦଳ ବିଜୁ ଜନତା ଦଳ ତା'ର ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପଦାର୍ପଣ କରୁଛି । ଗତ ୨୬ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନଗଣଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି । ଏହି ୨୬ ବର୍ଷ ଧରି ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ଏହି ଦଳ ରାଜନୈତିକ କାର୍ଯ୍ୟକ୍ରମ ସହିତ ତା'ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳ ମାନଙ୍କ ଭିତରେ ଆମ ପ୍ରିୟ ଦଳକୁ ଏକ ପ୍ରଶଂସନୀୟ ପରିଚିତି ଆଣିଦେଇଛି । ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି।
ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାର ସବୁ କ୍ଷେତ୍ରର ଏବଂ ସବୁ ବର୍ଗର ଲୋକମାନଙ୍କ ବିକାଶ ପାଇଁ ବିଜେଡ଼ିର ଆଭିମୁଖ୍ୟ ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଶୁଭେଚ୍ଛା ପାଇ ଆସିଛି । ଦଳର କର୍ମକର୍ତ୍ତା , ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ଯାଏଁ ଲୋକ ମାନଙ୍କର ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥି ମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜୁ ଜନତା ଦଳକୁ ଲୋକଙ୍କ ନିକଟତର କରିଛି ।"
ନେତା ଓ ଅନୁଗାମୀଙ୍କୁ ମନୋବଳ ବୃଢ଼ହି କରିବା ପାଇଁ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ " ଲଗାତାର ବିଭିନ୍ନ ସାଧାରଣ ନିର୍ବାଚନ, ଉପ-ନିର୍ବାଚନ, ସମବାୟ ନିର୍ବାଚନ ସମେତ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାର ୩୦ଟି ଜିଲ୍ଲାରେ ବିଜେଡ଼ିର ଶତପ୍ରତିଶତ ଜିଲ୍ଲାପରିଷଦ ଅଧକ୍ଷ ପଦବୀ, ୮୦ ପ୍ରତିଶତ ପୌରାଞ୍ଚଳ ଆସନ ପାଇବା ସାଧାରଣ ଲୋକଙ୍କ ବିଜୁ ଜନତା ଦଳ ପ୍ରତି ଥିବା ଆସ୍ଥାକୁ ପ୍ରମାଣିତ କରୁଛି । ଲୋକମାନଙ୍କ ଲଗାତାର ଆଶିଷ, ସମର୍ଥନ ଓ ଶୁଭେଚ୍ଛା ଆମର ବିକାଶ ଆଭିମୁଖ୍ୟକୁ ଆଗେଇ ନେବା ପାଇଁ ପ୍ରେରଣା ଦେଇଛି । ଆମକୁ ଆଗାମୀ ଦିନ ମାନଙ୍କରେ ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି ।
୨୬ ବର୍ଷର ବିଜୁ ଜନତା ଦଳର ସଫଳ ଯାତ୍ରା ଓଡ଼ିଶାବାସୀଙ୍କ ଭଲ ପାଇବା ଆମକୁ ଆମ ବିକାଶର ସଫଳତାକୁ ଶୀର୍ଷ ସ୍ତରକୁ ନେବା ପାଇଁ ପ୍ରେରିତ କରୁଛି । ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡ଼ିର ୨୬ ପୂର୍ତି ସଙ୍ଗେ ସଙ୍ଗେ ୨୭ତମ ପ୍ରତିଷ୍ଠା ସମାରୋହ ନିର୍ବାଚନ ମଣ୍ଡଳୀ/ବ୍ଲକ/ ପୌରାଞ୍ଚଳରେ ପାଳନ କରାଯିବ । ଏହି ଦିବସରେ ଗଣଦୌଡ଼, ସତ୍ତା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ନେବାକୁ ଅନୁରୋଧ । ଏହି ପ୍ରତିଷ୍ଠା ଦିବସରେ ଶ୍ରୀଜଗନ୍ନାଥ ଚେତନା ମୂଳାଧାରରେ ଆମ ସଫଳ ବିକାଶ ଯାତ୍ରାକୁ ପୂର୍ଣ ବିକଶିତ ଓଡ଼ିଶା ଗଠନ ପାଇଁ ପୁନଃ ଅଙ୍ଗୀକାର ନେବା ।" ବୋଲି କହିବା ସହ ବିଜେଡ଼ିର ୨୭ତମ ପ୍ରତିଷ୍ଠା ଦିବସ ପାଇଁ ସେମାନଙ୍କୁ ଓ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ଓ ନୂଆବର୍ଷ ୨୦୨୪ ମସିହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି |

0
0
0
s2sdefault