ହେଡଲାଇନସ୍:

ଟଳିଲା ସାମୁଦ୍ରକି ଝଡ଼ ‘ତିତଲି’ର ଭୟ : ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବାଲେଶ୍ୱର ସାଂସଦଙ୍କ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର/ଉଜ୍ଜ୍ୱଳ କର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା “ତିତଲି”ର ରୂପ ନେବା ସହ ଆନ୍ଧ୍ର ପ୍ରଦେଶର ପାଲାସାଠାରେ ସ୍ଥଳଭାଗ ଛୁଇଁବା ପରେ ନିଷ୍କ୍ରିୟ ହୋଇ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଅଭିମୁଖେ ପାସ୍ କରିଛି । ଏହାର ପ୍ରଭାବରେ ଗତକାଲି ସକାଳଠାରୁ ଦୀର୍ଘ ୨୪ ଘଣ୍ଟା ଧରି ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ସାଙ୍ଗକୁ ଅବିରାମ ବର୍ଷା ଲାଗି ରହିଥିଲା । ତେବେ ବାଲେଶ୍ୱରରେ ଏହି ବର୍ଷାର ପରିମାଣ ସର୍ବାଧିକ ୧୧୨ ମିଲିମିଟର ରେକଡର଼୍ କରାଯାଇଛି । ବାତ୍ୟାର ଭୟ ଟଳି ଯାଇଥିଲେ ବି ପାଣିପାଗ ବିଭାଗର ସତର୍କ ସୂଚନାନୁସାରେ ବର୍ଷା ପରିମାଣ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ପ୍ରଶାସନିକ ଅଧିକାରୀଙ୍କୁ ନେଇ ଆଜି ସକାଳେ ଏକ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ଜରୁରି ବୈଠକରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢ଼ୀ, ବାଲେଶ୍ୱର ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର, ସଦର ବିଡିଓ ଶଙ୍କର୍ଷଣ ବେହେରା, ଜିଲ୍ଲା ଜରୁରିକାଳୀନ ଅଧିକାରୀ କମଳାକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ‘ତିତଲି’ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସାଂସଦଙ୍କୁ ଅବଗତ କରିଥିଲେ । ପବନର ଭୟ ନଥିଲେ ବି ବର୍ଦ୍ଧିତ ବର୍ଷାର ପରିମାଣକୁ ଗୁରୁତ୍ୱ ଦେଇ ସମ୍ଭାବ୍ୟ ବନ୍ୟାକୁ ସାମ୍ନା ପାଇଁ ପ୍ରତ୍ୟେକ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ହୋଇଥିବା ଅଧିକାରୀମାନେ ପ୍ରକାଶ କରିଥିଲେ । ବିଶେଷ କରି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଶୁଖିଲା ଚୁଡ଼ା ଓ ଗୁଡ ମହଜୁଦ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ସମ୍ପାଦନ ପାଇଁ ଏନ.ଡି.ଆର.ଏଫ., ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଶାସନିକ ପ୍ରସ୍ତୁତିକୁ ନେଇ ସାଂସଦ ଶ୍ରୀ ଜେନା ସନ୍ତୋଷ ପ୍ରକାଶ କରିଥିଲେ । ଫାଇଲିନ୍ ଓ ହୁଡ଼ୁହୁଡ଼ୁ ଭଳି ସିଭିଅର ସାଇକ୍ଲୋନ୍କୁ ସଫଳ ମୁକିବିଲା ଭଳି ତିତଲିକୁ ସାମ୍ନା କରିବାରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇ ପାରିଛନ୍ତି ବୋଲି ସାଂସଦ ଶ୍ରୀ ଜେନା କହିଥିଲେ । ତେବେ ଜନସାଧାରଣ ଭୟଭୀତ ନହେବାକୁ ସେ ଆହ୍ୱାନ ଦେଇଥିଲେ । ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ନ ଟଳିବା ପର୍ଯ୍ୟନ୍ତ ପ୍ରଶାସନ ସଜାଗ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

0
0
0
s2sdefault