ହେଡଲାଇନସ୍:

ପୂଜାକୁ ସଦ୍ଭାବନାର ସହ ପାଳନ କରିବାକୁ ପ୍ରଶାସନର ଅନୁରୋଧ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରେ ଦୁର୍ଗା ପୂଜା ଓ ଭଷାଣ ନିମିତ୍ତ ପ୍ରସ୍ତୁତି ବୈଠକ

ଯାଜପୁର(ଜୟଶଙ୍କର ଦାଶ): ଯାଜପୁରରେ ବିଭିନ୍ନ ପୂଜା, ମହୋତ୍ସବ ବେଶ ଶୃଙ୍ଖଳାର ସହ ସମ୍ପନ୍ନ ହୋଇ ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଛି । ତେଣୁ ଆଗାମୀ ପୂଜା ଓ ବିଭିନ୍ନ ମହୋତ୍ସବରେ ଯେପରି ତାହାର ପୁନରାବୃତ୍ତି ଘଟେ ସେଥିପ୍ରତି ସମସ୍ତେ ସହଯୋଗ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଅନୁରୋଧ କରିଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଆଗାମୀ ଦୁର୍ଗାପୂଜା, ଭଷାଣ ଓ ମା’ ବିରଜାଙ୍କ ରଥଯାତ୍ରା ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ ଯଦିଓ କାଳୀପୂଜା ଯାଜପୁରର ଗଣପର୍ବ ଭାବେ ସୁଖ୍ୟାତି ଅର୍ଜନ କରିଛି ଓ ଏହା ବେଶ ଜନଗହଳିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥାଏ ତେବେ ଦଶହରାର ମାହୋଲ ମଧ୍ୟ କିଛି କମ୍ ନଥାଏ । ତେଣୁ ଉଭୟ ପୂଜାକୁ ସଦ୍ଭାବନାର ସହ ପାଳନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସବୁବେଳେ ପୂଜା ଓ ମହୋତ୍ସବ ଆନନ୍ଦ ଦେବା ସହ ସଦ୍ଭାବନାର ସହ ପାଳନ ପାଇଁ ବାର୍ତ୍ତା ଦେଇଥାଏ । ଯାଜପୁରର ଐତିହ୍ୟ ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖି ସମସ୍ତେ ଶୃଙ୍ଖଳାର ସହ ଆଗାମୀ ପୂଜା ପାଳନ ପାଇଁ ପ୍ରତିଶୃତିବଦ୍ଧ ହେବାକୁ ସେ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷର ବିବରଣୀ ପାଠ କରି ଚଳିତ ବର୍ଷ ପାଇଁ କାର୍ଯ୍ୟ ନିର୍ଘଂଟ ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତ ବର୍ଷ ଦୁର୍ଗାପୂଜା ଅକ୍ଟୋବର୧୬ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨୦ ଓ ୨୧ ତାରିଖରେ ଭଷାଣ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା । ପ୍ରତ୍ୟେକ ପୂଜା କମିଟି ଉପଯୁକ୍ତ ଅନୁମତି ନେଇ ପୂଜା ଓ ଭଷାଣ କରିବେ । ଭଷାଣରେ ସର୍ବାଧିକ ୬ଟି ସାଉଣ୍ଡ ବକ୍ସ ବ୍ୟବହାର କରାଯାଇ ପାରିବ । କୌଣସି ପରିସ୍ଥିତିରେ ଡିଜେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ସର୍ବସମ୍ମତ ନିଷ୍ପତି ନିଆଗଲା । ପୂଜା ଓ ଭଷାଣରେ କୌଣସି ଅଶ୍ଳୀଳ ନୃତ୍ୟ, ଅଶ୍ଳୀଳ ସଙ୍ଗୀତ ପରିବେଷଣ କରାଯିବ ନାହିଁ କିମ୍ବା ଅଶ୍ଲୀଳ ଅଙ୍ଗଭଙ୍ଗି ପ୍ରଦର୍ଶିତ କରାଯାଇ ପାରିବ ନାହିଁ । ଭଷାଣରେ ନିଶ୍ଚିତ ଭାବେ ସମସ୍ତ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ରହିବେ । ମାଦକ ଦ୍ରବ୍ୟ ସେବନକୁ କଡ଼ାକଡ଼ି ଭାବେ ନିଷେଧ କରିବା ପାଇଁ ଅବକାରୀ ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଗଲା । ପୂଜା କମିଟି ଗୁଡ଼ିକ ଅଗ୍ନି ନିର୍ବାପକ ବ୍ୟବସ୍ଥା ପୂଜା ସ୍ଥଳରେ କରିବା ସହ ତାହାର ଉପଯୁକ୍ତ ରକ୍ଷଣବେକ୍ଷଣ ମଧ୍ୟ କରିବେ । ଯାଜପୁର ପୌର ପ୍ରଶାସନ ଦେବୀଗଡ଼ା ଠାରେ ଥିବା ନଦୀ ଭିତରର ବିସର୍ଜନ ସ୍ଥଳରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରିବେ ଯେଉଁଥିରେ ମୂର୍ତ୍ତି ଗୁଡ଼ିକ ବିସର୍ଜନ ହେବ ଓ ଜଳ ପ୍ରଦୂଷିତ ହେବ ନାହିଁ । ରାସ୍ତା ମରାମତି, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ଆଇନ ଶୃଙ୍ଖଳା, ଟ୍ରାଫିକ୍ ବ୍ୟବସ୍ଥା ଇତ୍ୟାଦିକୁ ସୁନିୟନ୍ତ୍ରିତ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଗଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡି.ଏସ୍.ପି ସୁଧାକର ସାହୁ, ରିଜର୍ଭ ଇନ୍ସପେକ୍ଟର କାହ୍ନୁ ଚରଣ ମାରାଣ୍ଡି, ଯାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲ, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault