ସୁନ୍ଦରଗଡ:(ବସନ୍ତ କୁମାର ଜେନା): ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଉପଲକ୍ଷେ ଆଜି ସୁନ୍ଦରଗଡରେ ସଡକ ସୁରକ୍ଷା ରଥ ର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଡ଼ା .ପରାଗ ଗାଭାଲୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଏହି ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ରାଜ୍ୟରେ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ( ୧ ରୁ୭ ଡିସେମ୍ବର ୨୦୨୩) ପାଳନ ହେଉଥିବାବେଳେ ଏହି ସଡକ ସୁରକ୍ଷା ରଥ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ବୁଲି ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସର ରେ ଜିଲ୍ଲା ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଏକ ବାଇକ୍ ରାଲିରେ ସହର ପରିକ୍ରମା କରି ସଡକ ସୁରକ୍ଷା ସମ୍ବନ୍ଧୀୟ ବାର୍ତା ପ୍ରଚାର ପ୍ରସାର କରିଥିଲେ । ସେମାନେ ବିଶେଷକରି ବିନା ହେଲମେଟରେ ଗାଡ଼ି ନ ଚଲେଇବା, ଗାଡ଼ି ଚାଳନା ସମୟରେ ସିଟ ବେଲ୍ଟ ବ୍ୟବହାର କରିବା, ମଦ୍ୟ ପାନ କରି ଗାଡ଼ି ନ ଚଲେଇବା, ଅତ୍ୟଧିକ ବେଗ ରେ ଗାଡ଼ି ନ ଚଲେଇବା, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ନ କରିବା, ୧୮ ବୟସ ହୋଇ ନଥିବା ପିଲା ଙ୍କ ଗାଡ଼ି ଯେପରି ଗାଡ଼ି ନ ଚଲାନ୍ତି, ଗାଡ଼ି ର ଅବସ୍ଥା ଯେମିତିକି ଗାଡ଼ି ର କ୍ଷମତା, ଗାଡ଼ି ର ଉଚିତ୍ ଲାଇଟ୍ ବ୍ୟବସ୍ଥା, ଇଣ୍ଡିକେଟର ଲାଇଟ୍ ତଥା ଅନ୍ୟାନ୍ୟ କାଗଜ ପତ୍ର ଆଦି ଏବଂ ଗାଡ଼ି ର ଫିଟନେସ, ବିପରୀତ ପାର୍ଶ୍ବରେ ଗାଡ଼ି ଚଳାଇବା, ବିପଦପୂର୍ଣ୍ଣ ପାର୍କିଂ ବା ବେଆଇନ ପାର୍କିଂ ଆଦି ବିଷୟରେ ଲୋକଙ୍କୁ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଏମଭିଆଇ
ଦଲାନୀ ସା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ମୁକେଶ କୁମାର ମିଶ୍ର ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।







