ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ
ବିଶିଷ୍ଟ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ଗଣକବି ସମ୍ମାନ
ଭୁବନେଶ୍ୱର(ତା.୨୯/୧୧)- ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ, ପ୍ରତିରୂପ ଓ ପ୍ରତିଛବି । ସମାଜର ପ୍ରତ୍ୟେକ ଦୃଶ୍ୟ ଓ ଘଟଣା ସାହିତ୍ୟରେ ପ୍ରତିଫଳିତ ହୋଇଥାଏ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି ।
ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦ ସଭାପତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୌରାହିତ୍ୟ ରେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଗଣକବି ବୈଷ୍ଣବ ପାଣିଙ୍କ ୧୪୧ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି ଯେ ଗଣକବି ଲୋକପ୍ରିୟ କବି, ମହାନ ସାରସ୍ୱତ ସାଧକ ଓ ସଫଳ ଅଭିନେତା ଭାବରେ ବିପୁଳ ଶ୍ରଦ୍ଧା ଓ ସମ୍ମାନରେ ଅଧିକାରୀ ହୋଇପାରିଥିଲେ । ସେ ନିଜ ସର୍ଜନା ମାଧ୍ୟମରେ ସମାଜକୁ ମାର୍ଗଦର୍ଶନ କରାଇବା ସହ ଉଚ୍ଚତର ଚେତନାର ଉତ୍ପ୍ରେରକ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ଶ୍ରୀ ଓ ସମୃଦ୍ଧି ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ । ସମାଜର ସମସ୍ତଙ୍କର ବିକାଶ ଓ ସମସ୍ତଙ୍କୁ ସମାନ ଅଧିକାର ମିଳିବା ପାଇଁ ତାଙ୍କର ଲେଖନୀ କ୍ରିୟାଶୀଳ ଥିଲା । ପ୍ରଧାନମନ୍ତ୍ରୀଙ୍କ "ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସର ମୂଳଭିତ୍ତି ବୈଷ୍ଣବ ପାଣିଙ୍କ ରଚନାର ସାକାର ପ୍ରୟୋଗ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଣକବି ବୈଷ୍ଣବ ପାଣି ଙ୍କ ସ୍ମୃତି ଚାରଣ କରିବା ସହିତ ଗଣକବି ବୈଷ୍ଣବ ପାଣି ଙ୍କ ସାହିତ୍ୟ, ନାଟକ ଏବଂ ପ୍ରତିଭା କୁ ପ୍ରଚାର ପ୍ରସାର କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ l ଏହି ଅବସରରେ ସଂସଦ ର ସମ୍ପାଦକ ନିରଞ୍ଜନ ପ୍ରଧାନ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି ରଜନୀ କାନ୍ତ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଜୟନ୍ତୀ ଉତ୍ସବ ରେ ଗଣ କବିଙ୍କ ଉଦେଶ୍ୟ ରେ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା ଏବଂ ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ ରାଜ୍ୟପାଳ ଶ୍ରୀ ଦାସ ପୁରସ୍କାର ପ୍ରଦାନ କରିଥିଲେ l ବିଶିଷ୍ଟ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ଗଣକବି ସମ୍ମାନ ଓ ପଲ୍ଲୀ ମଙ୍ଗଳ ସାଂସ୍କୃତିକ ସଂସଦକୁ ସମ୍ବର୍ଦ୍ଧିତ କରାଯିବା ସହ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲେ । ବିଶିଷ୍ଟ ସଂଚାଳିକା ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପଲ୍ଲୀ ମଙ୍ଗଳ ସଂସଦ ଅରିଲୋ ପକ୍ଷରୁ ବୈଷ୍ଣବ ପାଣି ଙ୍କ ରଚିତ ଗୀତିନାଟ୍ୟ 'କୁହୁକ ବଂଶୀ' ପରିବେଷଣ କରାଯାଇଥିବା ବେଳେ ସବୁ କଳାକାର ଙ୍କୁ ରାଜ୍ୟପାଳ ଶ୍ରୀ ଦାସ ପୁରସ୍କୁତ ପ୍ରଦାନ କରିଥିଲେ l
ଅନୁଷ୍ଠାନ ର ସଭାପତି ବିଧାୟକ ଶ୍ରୀ ଜେନା ରାଜ୍ୟପାଳ ଶ୍ରୀ ଦାସ ଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ ପ୍ରକାଶ କରିଥିଲେ କି ଗଣକବି ଙ୍କ ନାଟକ କୁ ଅଧିକ ବ୍ୟାପକ କରିବା ପାଇଁ ଆମେ ଏହିଭଳି କାର୍ଯ୍ୟକ୍ରମ କରିଛୁ, ଏପରିକି ବିଧାୟକ ଶ୍ରୀ ଜେନା ଗଣକବି ବୈଷ୍ଣବ ପାଣି ଙ୍କୁ ସେକ୍ସପିୟର ଙ୍କ ସହିତ ତୁଳନା କରିବା ସହିତ ତାଙ୍କର ଆତ୍ମଜୀବନୀ କୁ ଇଂରାଜୀ ଭାଷାରେ ଗୁଗୁଲ ୱେବସାଇଟରେ ସାଇତି ରଖିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ଯାହାଦ୍ୱାରା ଗଣକବି ଙ୍କ ଗୀତିନାଟ୍ୟ କୁ କେବଳ ଓଡିଶା ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଶ୍ରୀ ଦେବଜ୍ୟୋତି ଦାସ ଙ୍କ ସଂଯୋଜନା ରେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ସରପଞ୍ଚ ତଥା ସମାଜସେବୀ କ୍ଷୀରୋଦ ପଣ୍ଡା, ପ୍ରତାପ ନାୟକ, ପ୍ରମୋଦ ମିଶ୍ର, ଧନେଶ୍ୱର ସାମଲ, ତପନ ପଟ୍ଟନାୟକ, ଶରତ ରାଉତ, ମାନସ ବିଶ୍ୱାଳ ଙ୍କ ସମେତ ବହୁ ବିଶିଷ୍ଟ ସାହିତ୍ୟକ, କଳାକାର, ଶିକ୍ଷାବିତ, ସମାଜସେବୀ, ବରିଷ୍ଟ ନାଗରିକ, ମାହାଙ୍ଗା ଗଣକବି ବୈଷ୍ଣବ ପାଣି ଙ୍କ ନାଟ୍ୟ ପ୍ରେମୀ ପ୍ରମୁଖ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ସାହିତ୍ୟିକ, ନାଟ୍ୟକାର ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିହିଲେ l







