ହେଡଲାଇନସ୍:

ଦେଶକୁ ଆଗେଇ ନେବା ପାଇଁ ଅନେକତା ମଧ୍ୟରେ ଏକତାକୁ ବଜାୟ ରଖିବାକୁ ପଡ଼ିବ : ସୁବାରାଓ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋଙ୍କ ଅଟୋବାୟୋଗ୍ରାଫି “ଇଫ୍ ଆଇ ଆମ୍ ଆସାସିନେଟେଡ୍” ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପୁସ୍ତକରେ ଭୁଟ୍ଟୋ ଭାରତ ସମ୍ପର୍କରେ ଲେଖିଥିଲେ ଯେ ଭାରତରେ ଅନେକଗୁଡ଼ିଏ ଭାଷା ଏବଂ ଧର୍ମ ସମ୍ପ୍ରଦାୟ ରହିଥିଲେ ମଧ୍ୟ ପାକିସ୍ତାନ ଅପେକ୍ଷା ଭାରତରେ ଅଧିକ ଏକତା ରହିଛି । ତେବେ ଭାରତ ଯଦି କେବେ କୌଣସି  ଏକଛତ୍ରବାଦୀ ଶାସକ ହାତରେ ପଡ଼ିଯିବ ତେବେ ଏହା ଖଣ୍ଡଖଣ୍ଡ ହୋଇଯିବ

ଭୁବନେଶ୍ୱର : ଦେଶକୁ ଆଗେଇ ନେବାକୁ ହେଲେ ଅନେକତା ମଧ୍ୟରେ ଏକତା ଧର୍ମକୁ ପାଳନ କରିବାକୁ ପଡ଼ିବ ଏବଂ ଏହି ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ନ୍ୟାସନାଲ ସର୍ଭିସ ସ୍କିମ୍ (ଏନ୍ଏସ୍ଏସ୍)ର ଏକ ବଡ଼ ଭୂମିକା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ନେତା ଡକ୍ଟର ଏସ୍.ଏନ୍. ସୁବାରାଓ । 

ଏନ୍ଏସ୍ଏସ୍ ହେଉଛି ଏକ ସ୍ୱୟଂ ଶୃଙ୍ଖଳିତ ସେବା ସଂସ୍ଥା ଯାହାକି କେନ୍ଦ୍ର ସରକାରଙ୍କ ଦ୍ୱାରା ୫୦ ବର୍ଷ ତଳେ ଆରମ୍ଭ ହୋଇଥିଲା । ସାମୁହିକ କାର୍ଯ୍ୟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ୱ  କିପରି ବିକାଶ ହୋଇପାରିବ ତାହା ହିଁ ଏନ୍ଏସ୍ଏସ୍ ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ଥିଲା ବୋଲି ଡ. ସୁବା ରାଓ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଏନ୍ଏସ୍ଏସ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ  ମେଗା ଓରିଏଂଟେସନ୍ କ୍ୟାମ୍ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଡକ୍ଟର ରାଓ ।

୧୯୬୯ ମସିହାରେ ଆରମ୍ଭ ହୋଇଥିବା ଏନ୍ଏସ୍ଏସ୍ ପ୍ରତିଷ୍ଠାର ପ୍ରଚ୍ଛଦପଟ୍ଟର ବିନ୍ଧାଣୀ ହେଉଛନ୍ତି ଡ. ରାଓ । ପରବର୍ତୀ ସମୟରେ ସେ ସ୍ୱର୍ଗତଃ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସହ ମିଶି ଚମ୍ବଲ ଉପତ୍ୟକାରେ ୬୦୦ରୁ ଉର୍ଧ୍ଵ  କୁଖ୍ୟାତ ଡକାୟତଙ୍କୁ ଆତ୍ମସମର୍ପଣ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ସମାଜରେ ଘଟୁଥିବା ହିଂସାତ୍ମକ ଘଟଣା ଓ ବଳାତ୍କାରକୁ ଦୃଢ଼ ନିନ୍ଦା କରିବା ସହ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ୱାଭିମାନର ଅଭାବ ରହିଛି ବୋଲି ଡ. ରାଓ କହିଥିଲେ ।

ଭାରତୀୟମାନେ ଗର୍ବ କରିବା ଉଚିତ୍ ଯେ ସେମାନେ ଏହି ମହାନ ଦେଶର ନାଗରିକ । ତେବେ ଦୁଃଖର କଥା ହେଉଛି ଭାରତୀୟଙ୍କ ମଧ୍ୟରେ ଏହି ସ୍ୱାଭିମାନର ଘୋର ଅଭାବ ରହୁଛି । ନ ହେଲେ ୩ ବର୍ଷ ଶିଶୁ କନ୍ୟାକୁ ବଳାତ୍କାର  କିମ୍ବା ସାମାନ୍ୟ କାରଣ ପାଇଁ ଲୋକଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଆନ୍ତା ନାହିଁ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେ ଯେ ଦେଶକୁ ମହାନ୍ କରି ଗଢ଼ି ତୋଳିବାକୁ ହେଲେ ସ୍ୱାଭିମାନର ବାର୍ତା ଘରେ ଘରେ ପହଂଚିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ ଏନ୍ଏସ୍ଏସର  ରାଜ୍ୟ ଉପଦେଷ୍ଟା ଶ୍ରୀ ମଧୁସୁଦନ ଦାସ, ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ, ଏନଏସ୍ଏସ୍ ସଂଯୋଜକ ଡ. ନଚିକେତା ଶର୍ମା ଓ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଡ. ସରୋଜ କୁମାର ମହାନ୍ତି ବକ୍ତବ୍ୟ ରଖିଥିଲେ ।

ଏନ୍ଏସ୍ଏସ୍ ପ୍ରତିଷ୍ଠା  ସମୟର କଥା ମନେ ପକାଇ ଡ. ରାଓ କହିଥିଲେ ଯେ ସେତେବେଳେ ସରକାରରେ ଥିବା ଅନେକ ବ୍ୟକ୍ତି ଏନ୍ଏସ୍ଏସ୍ ପ୍ରତିଷ୍ଠାର ସପକ୍ଷରେ ନଥିଲେ । ସେମାନଙ୍କର ଯୁକ୍ତି ଥିଲା ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ଶୃଙ୍ଖଳା ଶିକ୍ଷା ପାଇଁ ନ୍ୟାସ୍ନାଲ୍ କ୍ୟାଡେଟ୍ କୋର (ଏନ୍ସିସି) ରହିଥିବା ବେଳେ ଏନ୍ଏସ୍ଏସ୍ର କୋ÷ଣସି ଆବଶ୍ୟକତା ନାହିଁ । ତେବେ ଏନ୍ଏସ୍ଏସ୍ ସପକ୍ଷରେ ସରକାରଙ୍କ ନିକଟରେ ଯୁକ୍ତି ବାଢ଼ିଥିଲେ ଏହି ଗାନ୍ଧିବାଦୀ ନେତା ।

୧୬୦୦ ରୁ ଅଧିକ ଭାଷା ଥିବା ଭାରତରେ ଅନେକତା ମଧ୍ୟରେ ଏକତା ରହିଥିବା କଥା କହିବା ସହ ଡ. ରାଓ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋଙ୍କ ଅଟୋବାୟୋଗ୍ରାଫି “ଇଫ୍ ଆଇ ଆମ୍ ଆସାସିନେଟେଡ୍” ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପୁସ୍ତକରେ ଭୁଟ୍ଟୋ ଭାରତ ସମ୍ପର୍କରେ ଲେଖିଥିଲେ ଯେ ଭାରତରେ ଅନେକଗୁଡ଼ିଏ ଭାଷା ଏବଂ ଧର୍ମ ସମ୍ପ୍ରଦାୟ ରହିଥିଲେ ମଧ୍ୟ ପାକିସ୍ତାନ ଅପେକ୍ଷା ଭାରତରେ ଅଧିକ ଏକତା ରହିଛି । ତେବେ ଭାରତ ଯଦି କେବେ କୌଣସି  ଏକଛତ୍ରବାଦୀ ଶାସକ ହାତରେ ପଡ଼ିଯିବ ତେବେ ଏହା ଖଣ୍ଡଖଣ୍ଡ ହୋଇଯିବ ବୋଲି ଭୁଟ୍ଟୋ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିବା କଥା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଡ. ରାଓ କହିଥିଲେ ।

ବର୍ତ୍ତମାନ ସମୟ ଆସିଛି ଯେ ଆମେ ପରସ୍ପରକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଏହାଦ୍ୱାରା ହିଁ ଅନେକତା ମଧ୍ୟରେ ଏକତା ରହିବା କଥା ଅନୁଭବ କରିହେବ । ଆମ ସମସ୍ତଙ୍କର ବିଶାଳ ହୃଦୟ ରହିଛି ତେଣୁ ଅସହିଷ୍ଣୁତାକୁ ପଛରେ ପକାଇ ଆମ ସମସ୍ତଙ୍କୁ ଏକ ହେବାକୁ ହେବ ବୋଲି ଡ. ରାଓ କହିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଜାତୀୟ ସଂହତି କ୍ୟାମ୍ପରେ  ଯୋଗ ଦେଇ ଖ୍ୟାତି ଅର୍ଜନ କରିଥିବା ସୋଆର ମହିଳା ଟିମକୁ ଡ. ରାଓ ପୁରସ୍କୃତ କରିଥିଲେ । ଏଥିସହିତ ଓଡ଼ିଶାର ଶ୍ରେଷ୍ଠ  ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ତଥା ସୋଆ ନର୍ସିଂ ଛାତ୍ରୀ ଏଲିନା ପ୍ରିୟଦର୍ଶିନୀକୁ ମଧ୍ୟ ଡ. ରାଓ ସମ୍ବର୍ଦ୍ଧିତ କରିଥିଲେ ।

0
0
0
s2sdefault