ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମା ଠାରେ ଆଜି ( ରବିବାର ଦିନ) ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଆଜି ସକାଳ ୮ ଘଣ୍ଟା ସମୟରେ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ହାତରେ ପ୍ଲାସ କାର୍ଡ ଧରି ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ।
ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ ବିଭାଗ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନର ଜନସାଧରଣଙ୍କୁ ବିପର୍ଯ୍ୟୟ ସମୟରେ କିପର ଉଦ୍ଧାର କରାଯାଇ ପାରିବ ତାହାର ଏକ ମୋକୄ ଡ୍ରିଲ୍ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ କାହ୍ନୁ ଚରଣ ପାତ୍ରଙ୍କ ତତ୍ୱାବୋଧାନରେ ମୋକ୍ ଡ୍ରିଲ୍ ଦେଖାଇଥିଲେ।
ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ ପ୍ରମୁଖ ଯୋଗଦେଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ମାଝୀ ଏବଂ ଶ୍ରୀ ପ୍ରଦୋଷ କୁମାର ଶତପଥୀ , ଜିଲ୍ଲା ଜରୁରକାଳୀନ ପ୍ରୋଗ୍ରାମ୍ ମେନେଜର ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସତର୍କତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ସଚେତନତାର ବାର୍ତ୍ତା ଦେଇଥିଲେ।
ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଗଜପତି ଜିଲ୍ଲାରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସବୁ ଅଞ୍ଚଳରେ ବିପର୍ଯ୍ୟୟର ପ୍ରାକ୍ ପ୍ରସ୍ତୁତି ତାଲିମ୍ ପ୍ରଦାନ କରାଯାଉଅଛି ଏବଂ ବିପର୍ଯ୍ୟୟ ପରେ କିଭଳି ରକ୍ଷଣା ବେକ୍ଷଣ କରାଯିବ ଏବଂ ଜନସାଧାରଣଙ୍କୁ କିଭଳି ସାହାଯ୍ୟ କରିବା ସେ ବିଷୟରେ ତାଲିମ ପ୍ରଦାନ କରାଯାଉଛି ବୋଲି କହିଛନ୍ତି।
ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ଯେ ଜିଲ୍ଲାରେ ବିପର୍ଯ୍ୟୟ ସମୟରେ ସମସ୍ତେ ସଜାଗ ଓ ସତର୍କ ରହି ବିପର୍ଯ୍ୟୟ ସମୟରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନସାଧାରଣ ମିଳିତ ସହଯୋଗରେ ଗୋଟାଏ ଟିମ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ସେହିପରି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍.ଆନନ୍ଦ କହିଥିଲେ ବିପର୍ଯ୍ୟୟ ସମୟରେ ମଣିଷ ସମେତ ନିଜର ପଶୁପକ୍ଷୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତରିତ କରି ରଖିବା ପାଇଁ ବାର୍ତ୍ତା ଦେଇଥିଲେ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକୃତା , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା , ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଡ଼.ସୁଶାନ୍ତ ରଞ୍ଜନ ଦାସ , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ଛାୟା ଶ୍ରୀ ସୁରେଶ କୁମାର ପଟ୍ଟନୟକ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ , ବିଭାଗୀୟ ସମସ୍ତ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦାନ କରିଥିଲେ।

0
0
0
s2sdefault