ବାରିପଦା(ଦିଲ୍ଲୀପ ମହାନ୍ତି): ସମଗ୍ର ବିଶ୍ୱରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ମହା ଆଡ଼ମ୍ବର ସହିତ ଅହିଂସା ଦିବସ ଭାବେ ପାଳନ କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ଗଡିଛି ସ୍ୱଚ୍ଛତା ସଦ୍ଭାବନା ଓ ଜାତୀୟ ସଂହତିର ବାର୍ତ୍ତା ବହନ କରୁଥିବା ଏକ ସଚେତନତା ରଥ । ଉକ୍ତ ରଥ ମୟୂରଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଶାନ୍ତି ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିଥିଲା । ସୋମବାର ପୂର୍ବାହ୍ନ ସାଢେ ସାତଟା ସମୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରଦୀପ କୁମାର ଚାନ୍ଦ ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଶୁଭ ଉଦ୍ଘାଟନ କରିଥିଲେ । ମହାତ୍ମାଗାନ୍ଧୀ ୧୫୦ତମ ଜୟନ୍ତୀ କମିଟିର ଅଧ୍ୟକ୍ଷା ଡଃ ବନଜା ମହାନ୍ତି, ଉପାଧ୍ୟକ୍ଷା ପ୍ରଫେସର ହିମାବିନ୍ଦୁ, ଜାତୀୟ ସେବା ଯୋଜନାର ସଂଯୋଜିକା ଉଷା ଶତପଥୀ, ଅନ୍ତୋଦୟ ଚେତନା ମଣ୍ଡଳର ଉପାଧ୍ୟକ୍ଷା ଗୀତାଞ୍ଜଳି ପଟ୍ଟନାୟକ, ସର୍ବୋଦୟ ନେତ୍ରୀ ବିରଜା ଦେବୀ, ବରିଷ୍ଠ ସାମ୍ବାଦିକ ଡଃ ବିଜୟ ଅଗ୍ରୱାଲ, ଜିଲ୍ଲା ଶିକ୍ଷାଅଧିକାରୀ ରଞ୍ଜନ କୁମାର ଗିରି, ଆର୍ଯ୍ୟଭଟ୍ଟ ମହାନ୍ତିଙ୍କ ସମେତ ଅନ୍ୟମାନେ ଏହି ସଚେତନତା ରଥ ଏବଂ ଶାନ୍ତି ଶୋଭାଯାତ୍ରାକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ । ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ କଲେଜର ପିଲାମାନଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାଂସ୍କୃତିକ ତଥା ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗାନ୍ଧୀ ବିଚାରଧାରାରେ ବିଶ୍ୱାସ କରୁଥିବା ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ କଲେଜର ପିଲାମାନେ ନିଜକୁ ଗାନ୍ଧୀ ଓ କସ୍ତୁରବା ଏବଂ ଭାରତମାତା ବେଶରେ ସଜ୍ଜିତ କରି ଶୋଭାଯାତ୍ରାରେ ଚାଲିଥିଲେ । ଗାନ୍ଧୀଙ୍କ ଆଦର୍ଶକୁ କାର୍ଯ୍ୟକାରୀ କରିବାକୁ ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଏହି ସଚେତନତା ରଥ ଓ ଶୋଭାଯାତ୍ରା ମାଧ୍ୟମରେ ସହରବାସୀଙ୍କୁୁ ବାର୍ତ୍ତା ଦେବା ସହିତ ପଲିଥିନ ମୁକ୍ତ ସହର ଗଠନ ନିମନ୍ତେ ଆହ୍ୱାନ ଦିଆ ଯାଇଥିଲା । ଶେଷରେ ପୂର୍ବାହ୍ନ ୧୧ଟା ସମୟରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନୂତନ ଅଡିଟୋରିଅମରେ ଗାନ୍ଧୀ ଦର୍ଶନ ଓ ବିଚାରଧାରାକୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ନିଜକୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ କରିବାକୁ ଶପଥ ନେଇଥିବା ବେଳେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ରାଷ୍ଟ୍ରୀୟ ସେବା ଯୋଜନାର ଓପନ ୟୁନିଟ ଦ୍ୱାରା ଗାନ୍ଧୀଙ୍କ ବିଚାରଧାରାକୁ ନେଇ ବିଭିନ୍ନ ପ୍ରକାର ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଗାନ୍ଧୀପ୍ରେମୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ଡଃ ବନଜା ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଡଃ ବିଷ୍ଣୁପ୍ରିୟା ହାଁସଦାଃ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ ଯୋଗ ଦେଇଥିବା ସମୟରେ ମୁଖ୍ୟବକ୍ତାଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅନ୍ତୋଦୟ ଚେତନା ମଣ୍ଡଳର ଗୀତାଞ୍ଜଳି ପଟ୍ଟନାୟକ, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପ୍ରଫେସର ହିମାବିନ୍ଦୁ,ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ, ଆମେ ମୟୂରଭଞ୍ଜିଆର ଆବାହକ ସଞ୍ଜୟ କୁମାର ଚୌଧୁରୀ, ଫରେଷ୍ଟ ଆପେକ୍ସ କମିଟିର ସଂପାଦକ ଡଃ ଶ୍ୟାମସୁନ୍ଦର ଦାସ, ସର୍ବୋଦୟ ନେତ୍ରୀ ବିରଜା ଦେବୀ ପ୍ରମୁଖ ଗାନ୍ଧୀଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଏନଏସଏସ ବ୍ୟୁରୋର ସଂଯୋଜିକା ଉଷାରାଣୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗାନ୍ଧୀଜୀଙ୍କ ଜୀବନୀ ସଂପର୍କିତ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହିତ ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ ସମୂହ ପରିବେଷିତ ହୋଇଥିଲା ।
ରାଜ୍ୟ
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ଗଡିଲା ସ୍ୱଚ୍ଛତା ସଦ୍ଭାବନା ଶାନ୍ତି ରଥ
- Hits: 476