ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ମଙ୍ଗଳବାର କିଟ୍ ଓ କିସ୍ରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱଚ୍ଛତା ଅଭିଯାନରେ କିଟ୍ ଓ କିସ୍ର ହଜାର ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀ ସାମିଲ୍ ହୋଇ ନିଜ କ୍ୟାମ୍ପସ୍ ସହ ସ୍ଥାନୀୟ ଅଞ୍ଚଳ ଓ ରାସ୍ତା ସଫେଇ କରିଥିଲେ । ସକାଳେ କିସ୍ ପରିସରରେ ଥିବା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । କିସ୍ର ଛାତ୍ରଛାତ୍ରୀମାନେ ରାମଧୂନ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ଗ୍ଲୋବାଲ୍ ଫ୍ୟାମିଲିର ଡ. ବିମଳେନ୍ଦୁ ମହାନ୍ତି, ଅଶୋକ ପାଣ୍ଡେ, ଦିଲିପ ହାଲି, ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରିଥିଲେ । ପରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସ୍ୱଚ୍ଛତା ନେଇ ଶପଥପାଠ କରିଥିଲେ । କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଓ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତଙ୍କ ନେତୃତ୍ୱରେ କିଟ୍ର ଛାତ୍ରଛାତ୍ରୀ ଓ କର୍ମଚାରୀ ବିଭିନ୍ନ କ୍ୟାମ୍ପସ ସଫେଇ କରିବା ସହ ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମରେ ଭାଗନେଇ ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ଉପରେ ସଚେତନତା କରିଥିଲେ । ସେହିପରି କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍ ଲାକ୍ରା ଓ କିସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ସଫେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ଅପରାହ୍ନରେ କିସ୍ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତିସଂଘ ସହକାରୀ ମହାସଚିବ ତଥା ନିଉୟର୍କସ୍ଥିତ ଜାତିସଂଘ ପରିବେଶ କାର୍ଯ୍ୟାଳୟ ମୁଖ୍ୟ ସତ୍ୟ ସୁନ୍ଦର ତ୍ରିପାଠୀଙ୍କ ଦ୍ୱାରା ଇଣ୍ଟରନ୍ୟାସ୍ନାଲ୍ ୟୁଥ କ୍ୟାମ୍ପେନ୍ ଫର୍ କାଇଣ୍ଡନେସ୍ ଅନ୍ ସଷ୍ଟେନେବଲ୍ ଗୋଲ୍ସ ଉଦ୍ଘାଟିତ ହୋଇଥିଲା । ଶ୍ରୀ ତ୍ରିପାଠୀ ମଧ୍ୟ କିଟ୍ ଓ କିସ୍ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛତା ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର ସଂପାଦକ ଆର ଏନ୍ ଦାଶଙ୍କ ସମେତ କିସ୍ର ପଦାଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ, ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନଷ୍ଟିଟ୍ୟୁଟ ଅଫ୍ ଏଜୁକେସନ୍ ଫର୍ ପିସ୍ ଆଣ୍ଡ ସଷ୍ଟେନେବଲ୍ ଡେଭେଲପ୍ମେଣ୍ଟ (ଏମ୍ଜିଆଇଇପି) ଦ୍ୱାରା ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ, ଦକ୍ଷିଣ ଆଫ୍ରିକା , ପାକିସ୍ତାନ ଓ ମେକ୍ସିକୋରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭାରତରେ କିଟ୍ ଓ କିସ୍ ସମେତ ୧୨ଟି ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ଭାରତୀୟ ରେଡ୍କ୍ରସ ସୋସାଇଟି ଓ ଆଫ୍ରିକୀୟ ସଂଘ ମଧ୍ୟ ଏହି ଅଭିଯାନରେ ସାମିଲ୍ ହୋଇଛନ୍ତି । ମହାତ୍ମା ଗାନ୍ଧୀ ୧୫୦ତମ ଜୟନ୍ତୀ ପାଳନର ଏହା ହେଉଛି ଏକ ଅଂଶ ବିଶେଷ । ସହୃଦୟପୂର୍ଣ୍ଣ ପରିବର୍ତ୍ତନକାରୀ କାର୍ଯ୍ୟ ମାଧ୍ୟମରେ ୧୭ଟି ଶତତ ବିକାଶ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବିଶ୍ୱର ଯୁବଗୋଷ୍ଠୀଙ୍କୁ ସଂଗଠିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ରାଜ୍ୟ
ଗାନ୍ଧୀ ଜୟନ୍ତୀରେ କିଟ୍ ଓ କିସ୍ ପକ୍ଷରୁ ସ୍ୱଚ୍ଛତା ଅଭିଯାନ : ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେଲେ ଜାତିସଂଘ ସହକାରୀ ମହାସଚିବ ଶ୍ରୀ ତ୍ରିପାଠୀ
- Hits: 559
