ରାଉରକେଲା/ ସୁଶାନ୍ତ ବେହେରା : ସାରା ବିଶ୍ଵକୁ ସତ୍ୟ, ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୪୯ ତମ ଜନ୍ମ ତିଥି ଗାନ୍ଧୀ ଜୟନ୍ତୀ ରାଉରକେଲା ଠାରେ ଅକ୍ଟୋବର ୨ ତାରିଖ ଦିନ ଭଜନ, ସର୍ବ ଧର୍ମ ସମନ୍ଵୟର ପାର୍ଥନା ଏବଂ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ସ୍ମୃତିଚାରଣ ତଥା ସମବେତ ଜନସାଧାରଣଙ୍କ ଦ୍ଵାରା ସ୍ଵଚ୍ଛତା ଶପଥ ଗ୍ରହଣ ସହ ପାଳିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସିଭିକ ସେଣ୍ଟର ଠାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ରାଉରକେଲାର ବହୁ ବିଶିଷ୍ଟ ବ୍ୟକ୍ତି ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଅଶ୍ଵିନୀ କୁମାର, ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦେଶକ, ଶ୍ରୀ ପି କେ ପ୍ରଧାନ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦେଶକ ,ଶ୍ରୀ ରାଜୀବ ଅଗ୍ରୱାଲ, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ମିନାକ୍ଷୀ ପ୍ରଧାନ ଏବଂ ଶ୍ରୀମତୀ ରେଖା ଅଗ୍ରୱାଲ ତଥା ଆରଏସପି ର ବହୁ ଅନ୍ୟ ବରିଷ୍ଠ ଅଧିକାରୀ, ଓଡିଶା ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଏବଂ ରାଉରକେଲା ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଊପସ୍ଥିତ ଥିଲେ। ସହରର ଜଣାଶୁଣା କଣ୍ଠଶିଳ୍ପୀ ଶ୍ରୀମତୀ ଆଶାଲତା ଷଡଙ୍ଗୀ ଏବଂ ସିଂହାରୀ କଳା ନିକେତନର କଳାକାରଙ୍କ ଦ୍ଵାରା ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଭଜନ ବୈଷ୍ଣବ ଜନତୋ ସଙ୍ଗୀତ ପରିବେଷଣ ସହିତ ସମାରୋହ ଆରମ୍ଭ ହୋଇଥିଲା |
ଏକ ସର୍ବଧର୍ମ ସଦଭାବନା ସଭା ଉକ୍ତ ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୁରୁ ସିଂହ ସଭାର ସଦସ୍ୟଙ୍କ ଦ୍ଵାରା ପବିତ୍ର ଗୁରୁ ଗ୍ରନ୍ଥ ସାହେବ, ସେକ୍ରେଡ଼ ହାର୍ଟ କାଥେଡ୍ରାଲ ଚର୍ଚ୍ଚ ହମୀରପୁରର ସଦସ୍ୟଙ୍କ ଦ୍ଵାରା ପବିତ୍ର ବାଇବେଲ, ଇସ୍ପାତ ଅଞ୍ଜୁମନ, ସେକ୍ଟର -୧୫ ର ସଦସ୍ୟଙ୍କ ଦ୍ଵାରା ପବିତ୍ର କୋରାନ ଏବଂ ଚିନ୍ମୟ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ଵାରା ପବିତ୍ର ଭଗବତ ଗୀତାରୁ କିଛି ପଂକ୍ତିର ଆବୃତ୍ତି ଓ ବାପୁଙ୍କର ଅତି ପ୍ରିୟ “ରାମଧୁନ”ର ଗାନ ସମାରୋହର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା। ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ “ସ୍ଵଚ୍ଛତା ହିଁ ସେବା” ଅଭିଯାନର ଉଦଯାପନୀ ଅବସରରେ ସ୍ଵଚ୍ଛତା ଶପଥପାଠ ଅନୁଷ୍ଠିତ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କର ଆଦର୍ଶ ଥିବା ସ୍ଵଚ୍ଛତାକୁ ସମସ୍ତେ ନିଜର ଜୀବନରେ ପରିସ୍ଫୁଟିତ କରିବା ପାଇଁ ପ୍ରତିବଦ୍ଧ ହୋଇଥିଲେ। ଲୋକ ସମ୍ପର୍କ ବିଭାଗର ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିପୂର୍ବରୁ ନେହେରୁ ପାର୍କ ନିକଟରେ ଏକ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଭିଯାନରେ ଶ୍ରୀ ଅଶ୍ଵିନୀ କୁମାର, ଶ୍ରୀ ପି କେ ପ୍ରଧାନ ଓ ଶ୍ରୀ ରାଜୀବ ଅଗ୍ରୱାଲ ତଥା ଆରଏସପିର ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।