ହେଡଲାଇନସ୍:

ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀ କାମାକ୍ଷାନଗରରେ ପୁଣି ଗୁଳିକାଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଓ ପ୍ରତ୍ୟେକ ହତ୍ୟା ବା ଗୁଳିକାଣ୍ଡ ପଛରେ ପ୍ରତ୍ୟକ୍ଷ ବା ପରୋକ୍ଷ ରାଜନୈତିକ ସମ୍ପୃକ୍ତି ରହୁଥିବା ବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ମନ୍ତ୍ରୀ ନୀରବତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ??


ଢ଼େଙ୍କାନାଳ / ରବିନ୍ ଦାସ ; ସ୍ଥାନୀୟ ନେତୃତ୍ୱଙ୍କ ଇଛାଶକ୍ତି ଅଭାବ ହେଉ ବା ଅନ୍ୟ କିଛି ଗୋପନ କାରଣ ପାଇଁ ଗତ କିଛି ବର୍ଷ ହେଲା ଅଶାନ୍ତ ହୋଇପଡିଥିବା କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ପୁଣି ଘଟିଛି ହତ୍ୟାକାଣ୍ଡ | ଚର୍ଚ୍ଚିତ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରାକାର ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଠାବ ହୋଇଛି । ଖବର ପାଇ କାମାକ୍ଷାନଗର ଏସଡିପିଓ ଶ୍ରୀ ପ୍ରଭାତ ରଞ୍ଜନ ତ୍ରିପାଠୀ ଓ ଥାନା ଅଧିକାରୀ ଶ୍ରୀ ଶରତ ମହାଳିକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉ କି ୨୦୨୧ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତଙ୍କୁ ଏହିଭଳି ନିର୍ମମ ଭାବେ ହତ୍ୟା କରାଯାଇଥିଲା । କାମାକ୍ଷାନଗର ପଣ୍ଡୁଆ-ଜିରାଳ ରାସ୍ତାର ଜାମୁନାଳୀ ନିକଟରେ ତାଙ୍କ କାର୍ କୁ ଅଟକାଇ ଅତର୍କିତ ଗୁଳି କରି ହତ୍ୟା କରାଯାଇଥିଲା । ସେହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରାକାର ସାହୁ ଗିରଫ ହୋଇ ଗତ କିଛି ମାସ ତଳୁ ଜାମିନରେ ଆସିଥିଲେ । ଗତ କାଲି ବାଲି ଘାଟ କାମରେ କାମାକ୍ଷାନଗର ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବଡ଼ ଭାଇ ସର୍ବେଶ୍ୱର ସାହୁ କହିଛନ୍ତି । ତେବେ କାମାକ୍ଷାନଗରରେ ଏଭଳି ଘଟଣା ସାଧାରଣ ହୋଇଗଲାଣି କାରଣ ଅପରାଧୀମାନେ ନିର୍ଭୟରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟାଉଛନ୍ତି । ଲଗାତାର ଏଭଳି ଅନେକ ଥର ଦେଖିବାକୁ ମିଳୁଛି ତାହା ପୁଣି ଖୋଦ ଖଣି ମନ୍ତ୍ରୀଙ୍କ ଇଲାକାରେ ଯାହାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜେଡ଼ି ଦଳ ଶାସନରେ ଥିବାବେଳେ ସେହି ଦଳର ଦୃଢ଼ ସମର୍ଥକ ମାନଙ୍କ ହତ୍ୟା ଓ ତାଙ୍କ ଉପରେ ଅତର୍କିତ ଆକ୍ରମଣ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଛି । ପ୍ରଥମେ ରାଜ୍ୟ ରାଜନୀତିରେ ନିଜର ଦବଦବା ଜାହିର କରିଥିବା ଯଶୋବନ୍ତ ପରିଡାଙ୍କୁ କାମାକ୍ଷାନଗର ବଜାର ଉପରେ ଦିନ ଦ୍ବିପହରରେ ଗୁଳି କରି ହତ୍ୟା କରାଗଲା । ପରେ ବାରୁଆଁ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତଙ୍କୁ ଗୁଳି କରି ହତ୍ୟା କରାଗଲା । ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଠିକାଦାର ଓ ବିଜେଡ଼ି ନେତା କାହ୍ନୁଚରଣ ସାହୁଙ୍କୁ ମଧ୍ୟ ବାରମ୍ବାର ତିନିଥର ଅପହରଣ ସହିତ ହତ୍ୟା ଉଦ୍ୟମ କରାଗଲା । ଦିଘୀ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ତଥା ବିଜେଡ଼ି ନେତା ସର୍ବେଶ୍ଵର ରାଉତଙ୍କୁ ମଧ୍ୟ ଅତର୍କିତ ଆକ୍ରମଣ କରି ହତ୍ୟା କରାଗଲା । ଏବେ ପୁଣି ନିରଞ୍ଜନ ସାହୁଙ୍କୁ ଗୁଳି କରି ହତ୍ୟା ଘଟଣା ଏବେ ସ୍ଥାନୀୟ ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ନିଜ ନିର୍ବାଚନ ମଣ୍ଡଳୀରେ ନିଜ ଦଳୀୟ ନେତା ମାନଙ୍କ ଏଭଳି ହତ୍ୟା ହେଉଛି ହେଲେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ କେତେ ଚିନ୍ତିତ ଅଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲଗାତାର ଶାସକ ଦଳର ନେତା ମାନଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ପ୍ରଶାସନ କାହା ଚାପରେ ରହିଥିବା ସନ୍ଦେହ ସୃଷ୍ଟି ହୋଇଛି । ସ୍ପଷ୍ଟ ଦିବାଲୋକରେ ନିର୍ଭୟରେ ଅପରାଧୀମାନେ ଲଗାତାର ଗୁଳିକାଣ୍ଡ ଓ ଅପରାଧ ଘଟାଇ ଚାଲିଛନ୍ତି ହେଲେ ମନ୍ତ୍ରୀ ଏନେଇ କେବେ ମୁହଁ ଖୋଲୁନାହାନ୍ତି । ପୂର୍ବରୁ ଆକ୍ରମଣର ବା ହତ୍ୟା ହୋଇଥିବା ବ୍ୟକ୍ତି ମାନେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ରହି ଆସିଥିବା ବେଳେ, ମନ୍ତ୍ରୀ ମହୋଦୟଙ୍କ ଏଭଳି ନିରବତା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ଯାହାକୁ ନେଇ ସବୁ ମହଲରୁ ନିନ୍ଦା କରାଯାଉଛି । ତେବେ ସ୍ଥାନୀୟ ଜନପ୍ରତିନିଧି ଓ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ହିସାବରେ ନିଜ ନିର୍ବାଚନ ମଣ୍ଡଳୀର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ସେ କେବେ ନଜର ଦେଉଛନ୍ତି ଦେଖିବାକୁ ବାକି ରହିଲା ।

0
0
0
s2sdefault