ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୦୯/୦୪ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ସଦର ମହକୁମାରେ ପାଣି ପାଇଁ ହାହାକାର ସ୍ଥିତି ଉପୁଜିଛି। ପଞ୍ଚାୟତ ସଦର ମହକୁମାରେ ପାଣି ପାଇଁ ମହିଳା ମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ି କରି ଛିଡା ହେଉଥିବା ବେଳେ ଆଉ କେତେକ ନାଳ ଓ ଗାଡ଼ିଆ ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି । ସୁଚନା ଅନୁଯାୟୀ ମାଟେରୁ ପଞ୍ଚାୟତ ସଦର ମହକୁମାରେ ପ୍ରାୟ ୧୧୦ ଟି ପରିବାରର ୪ ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ୬ ଟି ନଳକୁପ ରହିଛି । ଏଥି ମଧ୍ୟରୁ ୨ ନଳକୁପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବା ବେଳେ ଆଉ ଦୁଇଟିର ପାଣି ଗୋଳିଆ ବାହାରୁଛି। ଯାହାଫଳରେ ପୁରା ଗ୍ରାମବାସୀ ଦୁଇଟି ନଳକୁପ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଛନ୍ତି। ଏଥିପାଇଁ ଗାଁର ମହିଳା ମାନେ ଘଣ୍ଟା ଘଣ୍ଟା ଧରି ନଳକୂପରେ ଧାଡ଼ି ଲଗାଇ ଜଳ ସଂଗ୍ରହ କରୁଥିବା ବେଳେ କିଛି ମହିଳା ନିକଟସ୍ଥ ନାଳ ଓ ଗାଡ଼ିଆ ରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଗାଁରେ ଏଭଳି ପାଣି ସମସ୍ୟା ଲାଗି କୁନି କୁନି ପିଲା ଓ ମହିଳାଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଥିବାରୁ ସ୍ଥାନୀୟ ସରପଞ୍ଚ ବିଭିନ୍ନ ବୈଠକ ମାଧ୍ୟମରେ ଲୋକଙ୍କୁ ସ୍ଵଚ୍ଛ ପାନୀୟ ଜଳ ବ୍ୟବହାର ପାଇଁ ସଚେତନ କରୁଥିବା ଜଣାପଡ଼ିଛି। ଅନ୍ୟପଟେ ଗାଁ ରେ ୪୦ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ଯୋଗେ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ସ୍ଥାନୀୟ ଲୋକ ବାରମ୍ବାର ବିଭାଗୀୟ ଯନ୍ତ୍ରିଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସେ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାଟେରୁ ପଞ୍ଚାୟତ ସଦର ମହକୁମାର ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ବିଭାଗୀୟ ଯନ୍ତ୍ରି ଙ୍କ ସହ ଆଲୋଚନା କରିବାରୁ ସେ କିଛି କର୍ମଚାରୀ ଷ୍ଟ୍ରାଇକରେ ଥିବାରୁ ପାଣି ଟାଙ୍କି ରୁ ଜଳ ଯୋଗାଣ ବନ୍ଦ ରହିଥିବା କହିଥିଲେ। ଏଥିସହ ଆସନ୍ତାକାଲି ସକାଳେ ମାଟେରୁ ଗ୍ରାମକୁ ଏକ ଟିମ୍ ପଠାଇ ଜଳଯୋଗାଣ ବ୍ୟବସ୍ଥାକୁ ସୁରୁଖୁରୁ କରାଯିବ ବୋଲି କହିଛନ୍ତି। ତେବେ ମାଟେରୁ ପଞ୍ଚାୟତ ସଦର ଜଳ ଯୋଗାଣର ଏଭଳି ସଙ୍ଗୀନ ସ୍ଥିତି ଆାଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଳ ଯୋଗାଣର ବାସ୍ତବ ଚିତ୍ରକୁ ଦର୍ଶାଉଥିବା କୁହାଯାଇଛି। ମାଟେରୁ ପଞ୍ଚାୟତ ସଦର ମହକୁମାରେ ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସରପଞ୍ଚ ଲଛମନ ମାଡକାମି, ଏରା କମରାମ, ସୋମା ମାଡକାମି, ଦେବା ମାଡକାମି ସମେତ ଗ୍ରାମବାସୀ ଦାବୀ କରିଛନ୍ତି।
ରାଜ୍ୟ
ପାଣି ପାଇଁ ଡହଳବିକଳ ସ୍ଥିତି, ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦୃଷ୍ଟି ଦେଉନି ବିଭାଗ ।
- Hits: 11








