ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନିକଟରେ ଓଡ଼ଗାଁ ବାହାଡାଝୋଲା ରାସ୍ତାକୁ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ପ୍ରଶସ୍ତିକରଣ ଚାଲିଥିବା ବେଳେ ଓଡ଼ଗାଁ ଠାରୁ ୨ କି.ମି ପରେ ବାହାଡ଼ଝୋଲା ରାସ୍ତାର ମଶାବାରୀ ଠାରେ ଥିବା କୁସୁମୀ ନଦୀ ଉପରେ ନୂତନ ପୋଲ ନିର୍ମାଣ ନିଶ୍ଚିତ ଭାବେ ଗମନାଗମନ କ୍ଷେତ୍ରକୁ ନିଶ୍ଚିତ ଭାବେ ଅଧିକ ପ୍ରଶସ୍ତ କରିପାରିବ । ରାଜ୍ୟ ଯୋଜନା ଅର୍ଥ ପାଣ୍ଠି ୨୦୨୩-୨୪ ଆର୍ଥିକ ବର୍ଷରୁ ୮ କୋଟି ୫୩ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟରେ ନୂତନ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ସମ୍ପର୍କରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଓଡ଼ଗାଁ ଠାରୁ ବାହାଡାଝୋଲା ଦେଇ ଗୁମି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ସେତୁ ନିର୍ମାଣ ଆଗାମୀ ଭବିଷ୍ୟତର ଗମନାଗମନରେ ଉନ୍ନତି ଆଣିବା ନିଃସନ୍ଦେହ । ସମ୍ପ୍ରତି ଦ୍ରୁତ ଜନସଂଖ୍ୟା ବୃଦ୍ଧି ସହିତ ଯାନବାହାନ ବୃଦ୍ଧିକୁ ଲକ୍ଷ୍ୟ କରି ଆଗାମୀ ଶହେ ବର୍ଷ ନିମନ୍ତେ ଏହା ଉତ୍ତମ ଗମନାଗମନକୁ ସୁଗମ କରିପାରିବ ।








