-
-ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୧୮ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ନାମଲେଖା
-
-ସ୍ୱାବଲମ୍ବୀ କରାଉଛି ୯୬୦ଧନ୍ଦାମୂଳକ ବିଦ୍ୟାଳୟ
-
-ପ୍ରତ୍ୟେକ ଶନିବାରରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିିତ ପ୍ରତିଭା ବିକାଶ ପାଇଁ ଦିଗଦର୍ଶନ
-
-ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ମିଳୁଛି ଗୁଣାତ୍ମକ ଶିକ୍ଷା
ଭୁବନେଶ୍ୱର,୨୬ା୯: ରାଜ୍ୟର ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ନିଆଯାଉଛି କିଛି ଅଭିନବ ପଦକ୍ଷେପ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ଏହି ପ୍ରୟାସରେ ଏବେ ସକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଉଛି । କେବଳ ଶୈକ୍ଷିକ ବାତାବରଣ ସହ ଜଡିତ ଛାତ୍ରଛାତ୍ରୀ ନୁହନ୍ତି ଅଧାରୁ ପାଠ ଛାଡି଼, ଶିକ୍ଷାର ମୁଖ୍ୟ ସ୍ରୋତରୁ ଦୁରେଇ ଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଣିଥରେ ମୁଖ୍ୟସ୍ରୋତରେ ସାମିଲ କରାଯାଉଛି । “ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ” ଓ “ଧନ୍ଦାମୂଳକ ବିଦ୍ୟାଳୟ” ସହ ଯୋଡି ହୋଇ ଛାତ୍ରଛାତ୍ରୀମାନେ ନିରନ୍ତର ଶିକ୍ଷା ପାଇବାକୁ ସକ୍ଷମ ହୋଇପାରୁଛନ୍ତି । ନିଜ ମଧ୍ୟରେ ଥିବା ପ୍ରତିଭା ଅନୁସାରେ ଉପଯୁକ୍ତ ତାଲିମ ନେଇ ସ୍ୱାବଲମ୍ବୀ ହୋଇପାରୁଛନ୍ତି ।
ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଅଧାରୁ ପାଠଛାଡିିଥିବା ୩୯୨୬ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ (୧୪ରୁ ୧୮ ବର୍ଷ) ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ସଫଳ ପ୍ରଚଳନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା । ଏହି ପର୍ଯ୍ୟାୟରେ ୧୮ ହଜାର ୬୪୪ ଜଣ ଛାତ୍ରଛାତ୍ରୀ ମାଗଣାରେ ନାମ ଲେଖାଇଛନ୍ତି । ମାଗଣା ପାଠ୍ୟପୁସ୍ତକ ସହ ସମ୍ପୂର୍ଣ୍ଣ ଦେୟମୁକ୍ତ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏହାସହ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁଳ୍କରେ ପରୀକ୍ଷା ମଧ୍ୟ ଦେବେ । ଏଥିପାଇଁ ବିଭାଗ ତରଫରୁ ୩୧୪ଟି ବ୍ଲକ୍ ସ୍ତରାୟ ଓ ୩୦ଟି ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କ୍ୟାମ୍ପ୍ର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପ୍କୁ ଆସି ସୁବିଧାରେ ନାମ ଲେଖାଇ ପାରିଥିଲେ । ଜିଲ୍ଲାସ୍ତରୀୟ ପିରାମଲ୍ ଫାଉଣ୍ଡେସନ୍ର ଭଳି କିଛି ସ୍ୱଚ୍ଛାସେବୀ ଅନୁଷ୍ଠାନର ସହଭାଗିତାରେ ଅଧାରୁ ପାଠ ଛାଡିଥିବା ବା ଶିକ୍ଷାବ୍ୟବସ୍ଥା ବାହାରେ ଥିବା ପିଲାମାନଙ୍କୁ ଶୈକ୍ଷିକ ବାତାବରଣ ସହ ସାମିଲ କରାଯାଉଛି ।
ଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଦେବାକୁ ବର୍ତ୍ତମାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୯୬୦ଟି ଧନ୍ଦାମୂଳକ ବିଦ୍ୟାଳୟ କାର୍ଯ୍ୟ କରୁଛି । ଏହି ସବୁ ବିଦ୍ୟାଳୟରେ ୧୯ଟି କର୍ମବିଦ୍ୟାରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି । ଅଧାରୁ ପାଠ ଛାଡିଥିବା ବା ଶିକ୍ଷାବ୍ୟବସ୍ଥା ବାହାରେ ଥିବା ପିଲାଙ୍କୁ ସ୍ୱାବଲମ୍ବୀ କରିବାକୁ ଉଦ୍ଦେଶ୍ୟରେ ଓଡି଼ଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର ଓ ଝାରସୁଗୁଡାରୁ ୧୦୦ ଜଣ ପିଲାଙ୍କ କାଉନ୍ସେଲିଂ ସହ ନାମ ଲେଖାଯାଇଛି । ଏହା ସହ ଭୁବନେଶ୍ୱରର ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏବଂ ଟ୍ରେନିଂ ସେଣ୍ଟର (ସିଟିଟିସି)ର ସହଭାଗିତାରେ ଶିକ୍ଷା ବ୍ୟବସ୍ଥ୍ା ବାହାରେ ଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ମଧ୍ୟ ଶିକ୍ଷା ବ୍ୟବସ୍ଥ୍ା ବାହାରେ ଥିବା ଛାତ୍ରଛାତ୍ରୀଙ୍କୁ ସିଟିଟିସିରେ ଧନ୍ଦାମୂଳକ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାସହ ଲେଣ୍ଡ-ଏ-ହ୍ୟାଣ୍ଡ ଭଳି ଆନ୍ତର୍ଜାତିକ ଅନୁଷ୍ଠାନ ସହ ସହଭାଗିତାରେ ଧନ୍ଦାମୂଳକ ଶିକ୍ଷାର ରୂପାୟନ କରାଯାଉଛି ।
୯୬୦ଟି ଧନ୍ଦାମୂଳକ ବିଦ୍ୟାଳୟ ମଧ୍ୟରୁ ୨୩୧ଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାର୍ଯ୍ୟ କରୁଛି । ଏହା ମଧ୍ୟରୁ ୧୭୪ଟି ବିଦ୍ୟାଳୟରେ ୧୯ଟି କର୍ମବିଦ୍ୟା ମଧ୍ୟରୁ ୭ଟି କର୍ମବିଦ୍ୟା ଭାରତ ସରକାରଙ୍କ ଷ୍ଟାରସ୍ ଯୋଜନାରେ ପୁର୍ନବିନ୍ୟାସ କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦରୁ ପ୍ରମାଣପତ୍ର ପାଇବା ସହିତ ଜାତୀୟ ଦକ୍ଷତା ପରିଷଦରୁ ମଧ୍ୟ ସେମାନଙ୍କର ଦକ୍ଷତାର ପ୍ରମାଣପତ୍ର ପାଇବେ । ଓସେପାର ଷ୍ଟାରସ୍ କାର୍ଯ୍ୟକ୍ରମରେ ୧୭୪ଟି ଧନ୍ଦାମୂଳକ ମାଧ୍ୟମିକ ବିଦ୍ୟାଳୟକୁ ପ୍ରତି କର୍ମବିଦ୍ୟାର ଆନୁସଙ୍ଗିକ ଉପକରଣ ପାଇଁ ୨.୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି ଏବଂ ୭୪ଟି ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ବ୍ୟବସ୍ଥା ଓକାକ୍ ମାଧ୍ୟମରେ କରାଯିବାର ବ୍ୟବସ୍ଥା ହୋଇଛି ।
ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନର ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନ୍ୟ ବିଭାଗ ଯଥା; ଦକ୍ଷତା ଓ ବୈଷୟିକ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ବିଭିନ୍ନ ଅନୁଷ୍ଠାନ ଆଇଟିଆଇ, ପଲିଟେକ୍ନିକ୍, କୃଷି ବିଜ୍ଞାନ କେନ୍ଦ୍ର, ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଇତ୍ୟାଦି ସହିତ ସହଭାଗିତାରେ କାର୍ଯ୍ୟ କରିବାର ପ୍ରୟାସ ଜାରି ରଖିଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଜିଲ୍ଲାର ସେହି ଅନୁଷ୍ଠାନରେ ନିଜର ଦକ୍ଷତା ବୃଦ୍ଧି ସହ ଆତ୍ମନିର୍ଭରଶୀଳ ଓ କାର୍ଯ୍ୟକ୍ଷମ ହେବା ପାଇଁ ଉତ୍ସାହିତ ହେବେ । ଏହା ବ୍ୟତୀତ ଅଧ୍ୟାପକମାନଙ୍କୁ ପ୍ରତି କର୍ମବିଦ୍ୟାରେ ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ ଅନୁଷ୍ଠାନରେ ତାଲିମ ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ।
ଚଳିତ ଗୁରୁଦିବସରେ ସମସ୍ତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ବିଭିନ୍ନ ସାଧାରଣ ବିଷୟ ଯଥା-ସାଇବର ସୁରକ୍ଷା ଇତ୍ୟାଦି ଉପରେ ଦିଗଦର୍ଶନ ଦେବାକୁ ୱେବିନାର ସିରିଜ୍ର ଶୁଭାରମ୍ଭ କରାଯାଇଛି । ଏହି ୱେବିନାର ପ୍ରତି ମାସର ପ୍ରଥମ ଓ ତୃତୀୟ ଶନିବାର ଦିନ କରାଯାଉଛି । ପ୍ରଥମ କାର୍ଯ୍ୟସୂଚୀରେ ଶୀର୍ଷକ ଥିଲା “ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା” । ଏଥିରେ ୧୬ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ୟପକ୍ଷରେ, ସମସ୍ତ ୧୯ଟି କର୍ମବିଦ୍ୟାର ପୁସ୍ତକ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଚଳିତ ଶିକ୍ଷାବର୍ଷ ଦିଆଯିବା କାର୍ଯ୍ୟକ୍ରମ ରହିଛି ।








