ଜାରି କଲେ ମାର୍ଗଦର୍ଶିକା, କେମିତି ପାଳିବ ଜନ ସଂପର୍କ ପଦଯାତ୍ରା, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର : ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ମାର୍ଗଦର୍ଶନ ସୂଚକ ପତ୍ର ବିଜୁ ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା/ ଜିଲ୍ଲା ପର୍ଯ୍ୟବେକ୍ଷକ/ ସଂଯୋଜକ/ ସାଂସଦ/ ବିଧାୟିକା/ ବିଧାୟକ, ବିଧାୟକ ପ୍ରାର୍ଥୀ/ଜିଲ୍ଲା ସଭାପତି/ ଛାମୁଆ ସଂଗଠନଙ୍କର ରାଜ୍ୟ ସଭାପତି ଓ ବିଜେଡି ବ୍ଳକ ଓ ନଗର ସଭାପତିଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ !
ତାଙ୍କ ପତ୍ରରେ ବିଜେଡି ସୁପ୍ରିମୋ ଉଲ୍ଲେଖ କରିଛନ୍ତି ଯେ " ପ୍ରତି ବର୍ଷ ଭଳି ଚଳିତ ବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ତାରିଖ ‘ଗାନ୍ଧୀ ଜୟନ୍ତୀ’ଠାରୁ ଅକ୍ଟୋବର ୧୧ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ‘ଜନ ସଂପର୍କ ପଦଯାତ୍ରା’ ପାଳନ କରିବାକୁ ଯାଉଛି। ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ‘ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ’ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ ସହିତ ଏ ବର୍ଷର ‘ ଜନ ସଂପର୍କ ପଦଯାତ୍ରା’ ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ।"
ଚିଠିରେ ମଧ୍ୟ ଆହୁରି ଉଲ୍ଲେଖ ଅଛି ଯେ " ଅକ୍ଟୋବର ୧୨ ଠାରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡ଼ରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ । ଏହା ସହିତ ବିଜୁ ଜନତା ଦଳର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ ଓ ଏହି ଅବସରରେ ମହାନ ସ୍ଵାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ ।
ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ତଦବିର କରିବେ । ଏହି ସାଙ୍ଗଠନିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ, ବିଧାୟିକା, ଦଳୀୟ ସଭାପତି, ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ଓ ଯୁବ, ଛାତ୍ର ଓ ମହିଳା ପ୍ରଭୃତି ବିଭିନ୍ନ ଛାମୁଆ ସଂଗଠନ ଓ କୃଷକ, ଶ୍ରମିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ, ସମବାୟ, ଆଇନ, ସଂସ୍କୃତି ପ୍ରଭୃତି ବିଭିନ୍ନ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ଏଥିରେ ସାମିଲ୍ ହେବେ । ଏହି ସମସ୍ତ କାର୍ଯ୍ୟକ୍ରମ କିଭଳି ସୂଚାରୁରୂପେ ପ୍ରତ୍ୟେକ ସ୍ତରରେ ସମ୍ପନ୍ନ ହେଲା ତା’ର ସବିଶେଷ ବିବରଣୀ ମୋ ଅବଗତି ନିମନ୍ତେ ଜଣାଇବେ ।"









