ଅସଜଡ଼ା କାମାକ୍ଷାନଗରରେ କିଏ ହେବେ ପ୍ରଫୁଲ୍ଲଙ୍କ ବିକଳ୍ପ !
ଭୁବନେଶ୍ୱର(ଗିରିଜା ଦାଶ):: ଓଡ଼ିଶା ରାଜନୀତିରେ ବିଜେଡ଼ି ଗଡ଼ ଭାବେ ପରିଚିତ ହୋଇ ଆସୁଥିବା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ହେଉଛି ଅନ୍ୟତମ । ଏହି ନିର୍ବାଚନ ମଣ୍ଡଳୀରେ ୨୦୦୦ ମସିହା ଠାରୁ ଲଗାତାର ବିଜୟ ହାସଲ କରି ଆସୁଛି ବିଜେଡ଼ି । ବିଧାୟକ ସହିତ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ମଧ୍ୟ ହାତେଇବାର ସୁବର୍ଣ୍ଣ ସୁଯୋଗ ପାଇଛି ଏହି ନିର୍ବାଚନ ମଣ୍ଡଳୀ । ଏଠାରେ ବ୍ରହ୍ମାନନ୍ଦ ବିଶ୍ଵାଳଙ୍କ ପରଠାରୁ ଲଗାତାର ୨୦ ବର୍ଷ ହେବ ଶାସନ କ୍ଷମତାରେ ରହି ଆସୁଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ । ଶ୍ରୀଯୁକ୍ତ ମଲ୍ଲିକ ରାଜ୍ୟର ଖଣି, ଇସ୍ପାତ ଓ ପୁର୍ତ୍ତ ବିଭାଗ ମନ୍ତ୍ରୀପଦ ସହିତ କ୍ୟାବିନେଟରେ ମଧ୍ୟ ସ୍ଥାନ ପାଇଛନ୍ତି । ହେଲେ ନିର୍ବାଚନମଣ୍ଡଳୀର ସ୍ଥିତି, ଗତି ଓ ଅତୀତକୁ ପର୍ଯ୍ୟାଲୋଚନା କଲେ ଜଣାପଡିବ ଯେ ନିର୍ବାଚନମଣ୍ଡଳୀରେ ବିକାଶ ଲୋକଙ୍କ ଆଶାନୁରୂପ ହୋଇପାରିନାହିଁ | ବିକାଶ ଅପେକ୍ଷା ବିବାଦରେ ଛନ୍ଦି ହୋଇପଡିଛନ୍ତି ସ୍ଥାନୀୟ ବିଧାୟକ ବିଭିନ୍ନ ପ୍ରସଙ୍ଗରେ | ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଚରମସୀମାରେ | ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ମନ୍ତ୍ରୀତ୍ୱର ସୁଯୋଗରେ କିଛି ସମର୍ଥକ ଯଦିଓ ଖୁସି ଅଛନ୍ତି, ହେଲେ ଦଳର ଅନେକ କର୍ମୀଙ୍କ ଭିତରେ ଅସନ୍ତୋଷ ଚାପିହୋଇ ରହିଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ ହତ୍ୟାକାଣ୍ଡ, ମରଣାନ୍ତକ ଆକ୍ରମଣ ଆଦିକୁ ନେଇ ନିର୍ବାଚନମଣ୍ଡଳୀ ରାଜ୍ୟରେ ନିନ୍ଦିତ ହୋଇଆସୁଛି ଗଣମାଧ୍ୟମରେ | ଯେଉଁମାନଙ୍କ ହତ୍ୟାକାଣ୍ଡ ଘଟୁଛି ବା ଯେଉଁମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି ସେମାନେ ଶାସକ ଦଳ ସହିତ ଜଡିତ ଥିବାବେଳେ ତଥା ମନ୍ତ୍ରୀଙ୍କ ଖାସ ଅନୁଗତ ଭାବେ ଜଣାଶୁଣା ଥିବା ବେଳେ ସେମାନଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ମନ୍ତ୍ରୀ ମହୋଦୟ ତତ୍ପରତା ନ ଦେଖାଇବା ଘଟଣା ମନ୍ତ୍ରୀଙ୍କ ଭୂମିକାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ | ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ସ୍ଥାନୀୟ ନେତୃତ୍ୱ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହୋଇଥିଲା | ଏପରି ଅଘଟଣ କିଏ ଘଟାଉଛି ଓ କାହିଁକି ଘଟାଉଛି ତାହା ଲୋକଙ୍କୁ ବିସ୍ମିତ କରୁଛି | କ୍ଷମତା ରାଜନୀତିର ଉପରକୁ ଉଠିବାକୁ ଚାହୁଁଥିବା ତଥା ବିଧାୟକଙ୍କ ବିକଳ୍ପ ହେବା ପାଇଁ ଆଶା ବାନ୍ଧୁଥିବା ବା ଚାଲେଞ୍ଜ ସୃଷ୍ଟି କରୁଥିବା ନୂଆ ନେତାମାନଙ୍କ ଗତିରୋଧ ବା କଣ୍ଟା ସଫା ଅଭିଯାନ ଇଏ ନୁହେ ତ ବୋଲି ଲୋକଙ୍କ ଭିତରେ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି ହେଉଛି |
ସୂଚନାଯୋଗ୍ୟ ଯେ, ବିଜେଡ଼ି ଦଳର ବହୁ ଆଗଧାଡିର ନେତା ଓ ତାଙ୍କ ସମର୍ଥକ ଶ୍ରୀଯୁକ୍ତ ମଲ୍ଲିକଙ୍କ ବିକଳ୍ପ ଚାହୁଁଥିବା ଅନୁଧ୍ୟାନରୁ ଜଣାପଡିଛି । ଶ୍ରୀଯୁକ୍ତ ମଲ୍ଲିକ କ୍ଷମତା ଲୋଭରେ ଦଳୀୟ ନେତା ଓ କର୍ମୀଙ୍କୁ ହତାଦର କରୁଥିବା ଅଭିଯୋଗ ଉଠିଛି । କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ଯୋଗ୍ୟ, ଗ୍ରହଣୀୟ ଓ ନିର୍ବିବାଦୀୟ ଯୁବନେତାଙ୍କ ଅଭାବ ନ ଥିଲେ ମଧ୍ୟ ନିର୍ବାଚନମଣ୍ଡଳୀ ଭିତରେ କେହି ଜଣେ ଶକ୍ତିଶାଳୀ ବିକଳ୍ପ ହୋଇ ଉଭା ହେଉ ତାହା ବିଧାୟକ ଚାହୁଁନାହାନ୍ତି ବୋଲି ଦଳୀୟ କର୍ମୀଙ୍କ ଭିତରେ ଆଲୋଚନା ହେଉଛି | ବିଜେଡ଼ି ଦଳର ସ୍ଥାନୀୟ ବହୁ ନେତାମାନଙ୍କୁ ଦଳୀୟ କାର୍ଯ୍ୟକ୍ରମ ଠାରୁ ମନ୍ତ୍ରୀ ଦୂରେଇ ରଖୁଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁ ପୁରୁଣା ଦଳୀୟ ନେତାଙ୍କୁ ଅଣଦେଖା କରି ଆମଦାନୀ ନେତାଙ୍କୁ ବିଶେଷ ଗୁରୁତ୍ଵ ଦିଆଯାଉଥିବା କୁହାଯାଉଛି । ଦଳୀୟ କନ୍ଦଳ କଥା ସୁପ୍ରିମୋ କାଳେ ଜାଣିବେ ସେଥିପାଇଁ ବେଶ୍ ସତର୍କତା ଅବଲମ୍ବନ କରି ଆଗେଇ ଚାଲିଛନ୍ତି ମନ୍ତ୍ରୀ । ତଥାପି ନିଜ ନିର୍ବାଚନ ମଣ୍ଡଳୀରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରୁ ନାହାନ୍ତି । କାମାକ୍ଷାନଗର ଅଞ୍ଚଳରେ ବେଆଇନ ବନ୍ଧୁକ କାରବାର ବୃଦ୍ଧି ହେବା ସହିତ ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଦେଖିବାକୁ ମିଳୁଛି । କାମାକ୍ଷାନଗର ଏନଏସି ପୁର୍ବତନ ନଗରପାଳ ଯଶୋବନ୍ତ ପରିଡ଼ାଙ୍କ ହତ୍ୟାକାଣ୍ଡ ଏବେବି ସନ୍ଦେହ ଘେରରେ ରହିଛି । ଶ୍ରୀ ପରିଡ଼ା ପ୍ରଫୁଲ୍ଲ ମଲ୍ଲିକଙ୍କ ଅତି ନିକଟତମ ସହଯୋଗୀ ଥିଲେ ଏବଂ ଖୁବ୍ କମ୍ ଦିନରେ ସେ ରାଜ୍ୟ ରାଜନୀତିରେ ନିଜର ଦବଦବା ସୃଷ୍ଟି କରିଥିଲେ । ସେ ବହୁ ପ୍ରଭାବଶାଳୀ ଥିବା ସତ୍ତ୍ବେ ବି ତାଙ୍କୁ କାମାକ୍ଷାନଗର ବଜାର ଉପରେ ଦିନ ଦ୍ବିପହରରେ ଗୁଳି କରି ହତ୍ୟା କରାଗଲା । ନିଜ ଦଳର ଜଣେ ପ୍ରଭାବ ଶାଳୀ ନେତାଙ୍କ ହତ୍ୟାକାଣ୍ଡ ଏବେ ବି ବାସ୍ତବରେ ରହସ୍ୟ ହୋଇ ରହିଛି | ଅଂଚଳର ଲୋକମାନେ ବିସ୍ମିତ ତଥା ଆତଙ୍କିତ ହୋଇପଡିଥିଲେ | କେବଳ କ୍ଷମତା ସିଡିରେ ଉପରକୁ ଚଢ଼ିବାକୁ ବା ଆଗକୁ ବଢିବାକୁ ଚାହୁଁଥିବା ଯଶୋବନ୍ତଙ୍କ ହତ୍ୟା ନୁହେ ଏପରି ଆଉ କିଛି ରାଜନୈତିକ ହତ୍ୟା(ଶାସକ ଦଳର ନେତାଙ୍କ) ଓ ଆକ୍ରମଣ ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ମନ୍ତ୍ରୀଙ୍କ ପlରିବାର ପଣିଆ ଓ ଭୂମିକାକୁ ନେଇ ବିଶାଳ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସ୍ଥାନୀୟ ଅଞ୍ଚଳର ବାରୁଆଁ ପଞ୍ଚାୟତର ସମିତି ସଭ୍ୟ ତଥା ମନ୍ତ୍ରୀଙ୍କ ଦୃଢ଼ ସମର୍ଥକ ଓ ସହଯୋଗୀ ଭାବେ ପରିଚିତ ଥିବା ଦୀପକ୍ ମାହୁନ୍ତଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଗଲା । ଭୁବନ ବ୍ଲକ ଦିଘୀ ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ସର୍ବେଶ୍ଵର ରାଉତଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଗଲା । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଆଉ ଜଣେ ସହଯୋଗୀ ତଥା ବିଜେଡ଼ି ନେତା କାହ୍ନୁଚରଣ ସାହୁ ଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ତିନି ତିନି ଥର ଆକ୍ରମଣ କରାଗଲାଣି । ପ୍ରଥମେ ଶ୍ରୀ ସାହୁଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଥିଲା, ଦ୍ବିତୀୟ ଥର ଢ଼େଙ୍କାନାଳ ସରକାରୀ ଡାକ ବଙ୍ଗଳା ସମ୍ମୁଖ ରୁ ଅପହରଣ ଉଦ୍ୟମ ଓ ପରେ ତାଙ୍କ ଘର ସମ୍ମୁଖରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ସୌଭାଗ୍ୟବଶତଃ ତିନି ଥର ଆକ୍ରମଣ ପରେ ବି ବର୍ତ୍ତି ଯାଇଛନ୍ତି କାହ୍ନୁଚରଣ ସାହୁ । ପୋଲିସ କାର୍ଯ୍ୟାନୁଷ୍ଠାନ ଆଶାନୁରୂପ ନ ଥିବା ବେଳେ ମନ୍ତ୍ରୀ ଉପରୋକ୍ତ ହତ୍ୟା ଓ ଆକ୍ରମଣ ଘଟଣାର ତଦନ୍ତ ନେଇ ତତ୍ପରତା ନ ଦେଖାଇବା ଲୋକଙ୍କ ମନରେ ମନ୍ତ୍ରୀଙ୍କ ଆନ୍ତରିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଲୋକଙ୍କ ଭିତରେ ପ୍ରଶ୍ନ, ଶାସକ ଦଳର ଏ ନେତାଙ୍କ ହତ୍ୟା ବା ଆକ୍ରମଣ ପଛରେ କାହାର ହାତ | ସେମାନେ କାହାପାଇଁ ସାଜିଥିଲେ କଣ୍ଟା ! ଖାଲି ସେତିକି ନୁହେଁ ବର୍ତ୍ତମାନ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବେଆଇନ ବନ୍ଧୁକ କାରବାର, ଡ୍ରଗ୍ସ ବେପାର ଆଦି ବିଭିନ୍ନ ପ୍ରକାରର ବେଆଇନ କାରବାର ଚାଲିଛି । ନିର୍ଭୟରେ ଅପରାଧୀମାନେ ଅପରାଧ ଘଟାଇ ଚାଲିଛନ୍ତି । ଏହିପରି ଭାବେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ।
ଲୋକଙ୍କ ଅଭିଯୋଗ ଅନୁଯାୟୀ , ରାଜ୍ୟର ଅନେକ ସ୍ଥାନ ଶିଳ୍ପ ସମୃଦ୍ଧ ହେଉଥିବା ବେଳେ ଶ୍ରୀଯୁକ୍ତ ମଲ୍ଲିକ ଖଣି ଇସ୍ପାତ ବିଭାଗରେ ଦୀର୍ଘ ଦିନ ଥାଇ ସୁଦ୍ଧା ଅଦ୍ୟାବଧି ନିଜ ନିର୍ବାଚନ ମଣ୍ଡଳୀ ପାଇଁ ସେମିତି କିଛି ନିଯୁକ୍ତି ବା ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିଲେ ନାହିଁ , ଯାହା ତାଙ୍କର ଅପାରଗତାକୁ ଦର୍ଶାଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ପ୍ରବାସୀ ଓଡ଼ିଆ ଶିଳ୍ପପତି ବେହେରା ବ୍ରଦର୍ସ କାମାକ୍ଷା ନଗର ଅଂଚଳରେ ଏକ କାରଖାନା ବି ବସାଇବା ପାଇଁ ଜମି ଅଧିଗ୍ରହଣ କରି ବହୁ ବାଟ ଆଗେଇଯାଇଥିବା ବେଳେ କଣପାଇଁ ସେ ବେଡିଙ୍ଗ ବାନ୍ଧି ଫେରିଗଲେ, ସରକାରଙ୍କ ଓଟିପିସିଏଲ ପ୍ରତିଷ୍ଠା ପାଇଁ ସବୁ ବ୍ୟବସ୍ଥା ଜମି ଅଧିଗ୍ରହଣ ସାରି କାମ ବହୁତ ଆଗେଇ ଥିଲା ବେଳେ ସେଟା ବି କାହିଁକି ଏବେ ଆଇସିୟୁକୁ ପଳାଇଛି ତାହାର ଉତ୍ତର ମନ୍ତ୍ରୀ ଦେବା ଉଚିତ ନିର୍ବାଚନମଣ୍ଡଳୀ ବାସୀଙ୍କୁ | ଲୋକଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଆଶାରେ ଲୋକମାନେ ଦେଇଥିବା ଜମିର ସ୍ଥିତି କଣ,ତାହା ବି ଏବେ ଲୋକଙ୍କୁ ଉତ୍ତର ଦେବାକୁ ପଡିବ ମନ୍ତ୍ରୀଙ୍କୁ | କେବଳ ସେତିକି ନୁହଁ କୈଳାସ ମହାପାତ୍ର ବିଧାୟକ ଥିବା ଯାଏ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଠପାଳ ଖଣି ନିର୍ବାଚନମଣ୍ଡଳୀ ବାସୀଙ୍କ ଦାନାପାଣି ଥିଲା ଓ ସେଠାରେ କାମାକ୍ଷାନଗର ବାସୀଙ୍କ ଦବଦବା ରହିଥିଲା | ହେଲେ କାହାର ଅପାରଗତା ପାଇଁ ସେଇ କ୍ରୋମାଇଟ ଖଣିରେ ଯାଜପୁର ନେତାଙ୍କ ଦବଦବା ଚାଲିଲା ଓ କାମାକ୍ଷାନଗର ବାସୀଙ୍କୁ କାହିଁକି ଵ୍ୟାକଫୁଟକୁ ଆସିବାକୁ ପଡିଲା ତାହା ନିର୍ବାଚନମଣ୍ଡଳୀ ନେତା ଭାବେ ନବୀନ ମନ୍ତ୍ରିମଣ୍ଡଳର କ୍ଷମତାଶାଳୀ ମନ୍ତ୍ରୀ ଭାବେ ଶ୍ରୀ ମଲ୍ଲିକଙ୍କୁ ଉତ୍ତର ଦେବାକୁ ପଡିବ ନିର୍ବଚନମଣ୍ଡଳୀ ବାସୀଙ୍କୁ | ଆରଏସବି ଫେରିଯିବା, ଓଟିପିସିଏଲ ନ ହେବା ତଥା କାଠପାଳ ଖଣି ଦବଦବା ଯାଜପୁର ଜିଲ୍ଲା ନେତାଙ୍କ ହାତକୁ ଚାଲିଯିବା କାରଣରୁ ନିର୍ବାଚନମଣ୍ଡଳୀରେ ବେକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ପରେ ସେମାନଙ୍କୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ କରାଯାଉଛି । ଚାଷ ପ୍ରଧାନ ଏ ଅଂଚଳରେ ସ୍ଥାନୀୟ ଚାଷୀମାନଙ୍କ ଉନ୍ନତି ଦୃଷ୍ଟିରୁ ନିର୍ବାଚନ ମଣ୍ଡଳୀରେ ଗୋଟିଏ ହେଲେ ଶୀତଳଭଣ୍ଡାର ନିର୍ମାଣ କରିପାରି ନାହାଁନ୍ତି । ଫଳରେ ଅନେକ ଚାଷୀ ଅକ୍ଳାନ୍ତ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ କରି କ୍ଷତି ସହୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଜନପ୍ରତିନିଧି ଭାବରେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଡ଼ାକ୍ତରଖାନାର ବିକାଶ ଉପରେ କେବେ ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକେ କୁହନ୍ତି । ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ନିଜ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସମ୍ପର୍କରେ କେବେହେଲେ ବୁଝିବାକୁ ଚାହିଁ ନାହାନ୍ତି ମାନ୍ୟବର ମନ୍ତ୍ରୀ ବୋଲି ଅଭିଯୋଗ ହେଉଛି । ଦୀର୍ଘ ଦିନ କ୍ଷମତାରେ ରହିବା ପରେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ଯୁବକ, ମହିଳା ଓ ଚାଷୀ ମାନଙ୍କ ରୋଜଗାର ପାଇଁ କିଛି କରି ନ ଥିବା କହିଛନ୍ତି କାମାକ୍ଷାନଗର ଜନତା । ଆଗରୁ ନିର୍ବାଚନମଂଡଳୀରେ ମନ୍ଦିର ଗୁଡାକ ଅବହେଳିତ ଅବସ୍ଥାରେ ବି ରହିଆସିଥିଲେ | ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନଙ୍କ ଗସ୍ତ ପରେ ରାଜ୍ୟର ସବୁ ପଞ୍ଚାୟତକୁ ଧର୍ମାନୁଷ୍ଠାନ ପାଇଁ ଆର୍ଥିକ ଅନୁଦାନ ବ୍ୟବସ୍ଥା କଲା ପରେ ଏବେ ମନ୍ତ୍ରୀ ମହୋଦୟ ଏବେ ମାଛ ତେଲରେ ମାଛ ଭାଜିବା ପାଇଁ ତାଙ୍କ ପ୍ରଚେଷ୍ଟାରେ ଏସବୁ ହୋଇଛି ବୋଲି କହି ବୁଲୁଥିବା ଲୋକଙ୍କ ଭିତରେ ଚର୍ଚା ହେଉଛି | ଲୋକ କହୁଛନ୍ତି ଅକାଳେ ନାହିଁ କି ସକାଳେ ନାହିଁ, ଗହ୍ମା ପୁନେଇଁ ରେ ମାଇଁ ମାଇଁ ଭଳି !!! ଦଳର ସୁପ୍ରିମୋ ଜାଣିପାରୁଛନ୍ତି ନl ନାହିଁ ତାହା ଲୋକଙ୍କୁ ବିସ୍ମିତ କରିଛି | ଲୋକେ ଅସନ୍ତୁଷ୍ଟ ଥିଲେ ବି ବିଗତ ଦିନର ଆକ୍ରମଣ,ହତ୍ୟା ତଥା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପରିପ୍ରେକ୍ଷୀରେ ଭୟରେ ମୁହଁ ଖୋଲୁନାହାନ୍ତି | ଅପେକ୍ଷା କରିଛନ୍ତି ନିର୍ବାଚନ ଯାଏଁ | ଅପରପକ୍ଷରେ ୨୦୨୪ ନିର୍ବାଚନରେ ପ୍ରଫୁଲ୍ଲ ମଲ୍ଲିକଙ୍କ ବିକଳ୍ପ ବା ତାଙ୍କ ଜାଗାରେ ନୂଆମୁହଁ ଚାହୁଁଛନ୍ତି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଜନତା । ବିଜେଡ଼ି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଯଦି ନୂଆ ଚେହେରା ଦିଆ ନ ଯାଏ ତେବେ ପ୍ରଫୁଲ୍ଲଙ୍କ ପାଇଁ ଆଗାମୀ ନିର୍ବାଚନ ବିଜୟ ଆଶଙ୍କା ଭିତରକୁ ଠେଲି ହେବା ନିଶ୍ଚିତ | ଚାରି ଥରର ବିଧାୟକ ସହିତ କ୍ୟାବିନେଟ୍ ମନ୍ତ୍ରୀ ଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିକଳ୍ପ କିଏ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଣେ ଆଗକୁ ନିଜର ବୟସ ଓ ସ୍ଵାସ୍ଥ୍ୟଗତ ସମସ୍ୟା ବାଧକ ସାଜିପାରେ ବୋଲି ମନ୍ତ୍ରୀ ଅତି ଚତୁରତାର ସହିତ ନିଜ ବୋହୂକୁ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରିବାକୁ ଚାହୁଁଛନ୍ତି । ପରିବାର ଭିତରେ କ୍ଷମତା ରଖିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜୋରଦାର ଉଦ୍ୟମ ଚଳାଇଛନ୍ତି | ହେଲେ ଯିଏ ନିଜେ ମନ୍ତ୍ରୀ ହୋଇ କିଛି କରିପାରିଲେ ନାହିଁ ବୋହୂ ଜରିଆରେ କ'ଣ ଅଧିକ କରିଦେବେ ବୋଲି ତାଛଲ୍ୟ କରୁଛନ୍ତି ଜନତା । ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଏଥର ନୂଆ ଚେହେରା ନ ଦେଲେ ଦଳ ବଦଳ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଦଳୀୟ ଦୃଢ଼ ସମର୍ଥକମାନେ ।
ଏସବୁ ଭିତରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ମାନେ ଧିରେଧିରେ ଆଗକୁ ଆସିଲେଣି । ମନ୍ତ୍ରୀଙ୍କ ବୋହୁଙ୍କୁ ଛାଡି ଆଉ ଯେଉଁମାନଙ୍କ ନାମ ଚର୍ଚାକୁ ଆସୁଛି ସେମାନେ ହେଲେ ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ ସାହୁ, ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, କାମାକ୍ଷାନଗର ଏନଏସି ନଗରପାଳ ଧର୍ମାନନ୍ଦ ପରିଡ଼ା ଓ ବିଜେଡ଼ି ରାଜ୍ୟ ସମ୍ପାଦକ ଓ ରାଜ୍ୟ ପରିଷଦ ସଭ୍ୟ ତପନ କୁମାର ଦାସ । ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ ସାହୁ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଅନୁଗତ ଭାବେ ଜଣାଶୁଣା ଓ ବିଜେଡିରେ ନୂଆକରି ସାମିଲ ହୋଇ ଏନଏସି ଅଧ୍ୟକ୍ଷ ହୋଇଛନ୍ତି ବିଜେଡି ଟିକଟରେ. ତାଙ୍କର ପତିଆରା ଭୁବନ ଏନଏସି ଅଂଚଳରେ ଭଲ ରହିଥିବା ବେଳେ ତାହା ସେହି ଏନଏସି ମଧ୍ୟରେ ଭିତରେ ସୀମିତ. ସେ ମନ୍ତ୍ରୀଙ୍କ ବିକଳ୍ପ ଭାବେ ଟିକେଟ ହାସଲ କରିବା ପାଇଁ ଆଶାୟୀ ଥିବା ଜଣାପଡିଛି | ସେହିପରି ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଅଧ୍ୟକ୍ଷାଙ୍କ ସ୍ୱାମୀ ଧର୍ମାନନ୍ଦ ବରାଳଙ୍କ ପତିଆରା ସେଇ ଭୁବନ ବ୍ଲକ ଭିତରେ ସୀମିତ. ମନ୍ତ୍ରୀଙ୍କ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବା ପାଇଁ ସେ ଉଦ୍ୟମ କରୁଥିବା ଚର୍ଚା ହେଉଛି | ସେହିପରି ଅନ୍ୟଜଣେ ଦାବିଦାର ଯୁବନେତା କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ମଧ୍ୟ ବିଧାୟକ ଟିକଟ ଦୌଡରେ ରହିଥିବା ଶୁଣିବାକୁ ମିଳୁଛି | ତାଙ୍କ ଦବଦବା କାମାକ୍ଷାନଗର ଏନଏସି ଭିତରେ ସୀମିତ . ନିଜ ନିଜ ଏରିଆ ବାହାରେ ଏମାନଙ୍କ ସାଙ୍ଗଠନିକ ପତିଆରା ଓ ଗ୍ରହଣୀୟତା ଦେଖିବାକୁ ମିଳେନି | ଲଗାତାର ଦ୍ଵିତୀୟ ଥର ପାଇଁ ବିଜେଡି ସମ୍ପାଦକ ଓ ରାଜ୍ୟ ପରିଷଦ ସଦସ୍ୟ ଥିବା ତପନ କୁମାର ଦାସ ରାଜ୍ୟ ରାଜନୀତିରେ ବେଶ୍ ପରିଚିତ ଚେହେରା । ଦୀର୍ଘ ୨୦ ବର୍ଷ ହେବ ରାଜନୀତି କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିଥିବା ତପନ 2017 ମସିହାରୁ ବିଜେଡିର ଜଣେ ସକ୍ରିୟ ଯୁବ ନେତା ଭାବେ କାର୍ଯ୍ୟ କରି ଆସୁଛନ୍ତି | ଦଳର ସୁପ୍ରିମୋଙ୍କର ଆସ୍ଥା ଭାଜନ ହୋଇ ଲଗାତାର ଭାବେ ଦ୍ଵିତୀୟ ଥର ପାଇଁ ଦଳର ରାଜ୍ୟ ସମ୍ପାଦକ ଓ ଏହାସହିତ ସମ୍ପ୍ରତି ଦଳର ରାଜ୍ୟ ପରିଷଦ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି | କେବଳ ରାଜ୍ୟସ୍ତରରେ ନୁହେଁ , ନିର୍ବାଚନମଣ୍ଡଳୀ ସ୍ତରରେ ନିଜର ଲୋକସମ୍ପର୍କ ବୃଦ୍ଧି କରିବା ସହ ଲୋକଙ୍କ ଭିତରେ ନିଜ ଗ୍ରହଣୀୟତା ବୃଦ୍ଧି କରିପାରିଛନ୍ତି | ଆଉ ମନ୍ତ୍ରୀ ଶ୍ରୀ ମଲ୍ଲିକ ମଧ୍ୟ ତାଙ୍କୁ ଜଣେ ପୋଟେନ୍ସିଆଲ ପ୍ରତିଦ୍ବନ୍ଦ୍ବୀ ଭାବେ ବିବେଚନା କରିଆସୁଥିବା ତାଙ୍କ ନିକତମ ମହଲରୁ ଶୁଣିବାକୁ ମିଳିଛି | ଅନ୍ୟ ଜଣେ ପ୍ରାର୍ଥୀ ଭାବେ ମନ୍ତ୍ରୀଙ୍କ ବୋହୁ ଲିପ୍ସା ପ୍ରଧାନଙ୍କ ନାମ ଶୁଣିବାକୁ ମିଳୁଛି | ଲଗାତାର ବିବାଦ, ନିର୍ବାଚନମଣ୍ଡଳୀ ଅଶାନ୍ତ ହୋଇପଡିବା ତଥା ବୟସାଧିକ୍ୟ କାରଣରୁ ଯଦି ମନ୍ତ୍ରୀ ଶ୍ରୀ ମଲ୍ଲିକ ଟିକଟ ନ ପାଆନ୍ତି ତେବେ ମନ୍ତ୍ରୀ ଆଉ କୌଣସି ନେତାଙ୍କ ଉପରେ ଭରସା ନ କରି ନିଜ ପରିବାର ଭିତରେ କ୍ଷମତା ରଖିବା ପାଇଁ ବୋହୁ ଙ୍କୁ ପ୍ରାର୍ଥୀ କରିବାକୁ ମନସ୍ଥ କରିନେଇଛନ୍ତି | ହେଲେ ତାଙ୍କ ବୋହୁ ବି ବିବାଦ ମୁକ୍ତ ନୁହନ୍ତି | ଲଗାତାର କଲେଜ ନ ଯାଇ ଓ କ୍ଳାସ ନ କରି ଦରମା ନେଉଥିବା ଅଭିଯୋଗରେ ଛନ୍ଦି ହୋଇପଡିଥିଲେ ମନ୍ତ୍ରୀ ଓ ତାଙ୍କ ଅଧ୍ୟାପିକା ବୋହୁ ଶ୍ରୀମତୀ ପ୍ରଧାନ |
ତେଣୁ ଦେଖାଯାଉ , ବିଭିନ୍ନ ସମୟରେ ରାଜନୈତିକ ଇଛାଶକ୍ତି ଅଭାବରୁ ଅଶାନ୍ତ ହୋଇପଡୁଥିବା କାମାକ୍ଷାନଗରର ଭାଗ୍ୟ ଡ଼ୋରୀ କାହାକୁ ଦେଉଛନ୍ତି ବିଜେଡି ସୁପ୍ରିମୋ | ବୟସାଧିକ୍ୟ ଓ ତଥା ବିବାଦୀୟ ହୋଇପଡିଥିବା କାରଣରୁ ମନ୍ତ୍ରୀ ପ୍ରଫୁଲ୍ଲଙ୍କ ବିକଳ୍ପ ଭାବେ ତାଙ୍କ ପରିବାର ସଦସ୍ୟ ନା ଦଳ ପାଇଁ ନିରବଛିନ୍ନ କାର୍ଯ୍ୟ କରି ଆସୁଥିବା ଯୁବ ନେତାଙ୍କୁ | କାହାମୁଣ୍ଡରେ ବିଜେଡି ସୁପ୍ରିମୋ ଢାଲୁଛନ୍ତି ଆଶୀର୍ବାଦ , ପୁଣି ପ୍ରଫୁଲ୍ଲ ନା ଲିପ୍ସା...ତପନ....ଶୁଭେନ୍ଦୁ ନା ଧର୍ମାନନ୍ଦ !!!!








