ହେଡଲାଇନସ୍:

ବେଆଇନ୍ ଭାବେ ଖଣିଜ ସମ୍ପଦର ଲୁଟ୍ କରୁଥିବା କମ୍ପାନୀମାନଙ୍କ ଏଜେଂଟ ସାଜିଛନ୍ତି ସରକାର - ପ୍ରଶାନ୍ତ ଭୂଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀ ଜଗନ୍ନାଥ ଓ ଚାଷୀଙ୍କର ଜମି ୭ ଦିନ ଭିତରେ ଫେରସ୍ତ ନ କଲେ ସରକାରଙ୍କୁ ନୋଟିସ୍ ଦିଆଯିବା ସହିତ ଅଦାଲତ ଅବମାନନା କେସ୍ ଦାଖଲ କରାଯିବ

ଭୁବନେଶ୍ୱର - ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ ହଜାର ଏକର ଚାଷଜମିକୁ ହଡ଼ପ କରିବାପାଇଁ ଯୋଜନାବଦ୍ଧ ଷଡଯନ୍ତ୍ରକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଭତ୍ସନା କରିବା ସହିତ ବେଦାନ୍ତ କମ୍ପାନୀକୁ ୫ଲକ୍ଷ ଟଙ୍କା ଜୋରିମାନା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ କମ୍ପାନୀ ଓ ସରାକାରଙ୍କ ବନ୍ଧୁତା ହେତୁ ପ୍ରାକୃତିକ ଖଣିଜ ସମ୍ପଦ ହରିଲୁଟ୍ ଚାଲିଛି । ଖୋଦ୍ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏଥିରେ ଏଜେଂଟ ସାଜିଛନ୍ତି । ବେଦାନ୍ତ ଭଳି ଗୋଟିଏ ଠକ କମ୍ପାନୀ ଯାହାର ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତିଆରି କରିବାର ଅଭିଜ୍ଞତା ନାହିଁ ତାକୁ ବିଶ୍ୱ ବିଦ୍ୟାଳୟ ତିଆରି କରିବା ଆଳରେ ପୁରୀ କୋର୍ଣାକ ବେଳାଭୂମି ଅଂଚଳରେ ସମସ୍ତ ନିୟମ କାନୁନ୍କୁ ଜଳାଞ୍ଜଳି ଦେଇ ଜଙ୍ଗଲ ଏବଂ ପରିବେଶକୁ ବାଜି ଲଗାଇ ଦୁଇଟି ନଦୀ ସମେତ ୧୦ ହଜର ଏକର ଚାଷଜମି ବେଆଇନ୍ ଭାବେ ଅଧିଗ୍ରହଣ କରିଥିଲେ । ଯାହାଦ୍ୱାରା ୬ ହଜାର ପରିବାର ଏବଂ ୩୦ ହଜାର ଲୋକ ପ୍ରତ୍ୟକ୍ଷ ଭାବରେ ଏହି ବେଆଇନ କାର୍ଯ୍ୟଦ୍ୱାରା ପ୍ରଭାବିତ ହୋଇଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ କାର୍ଯ୍ୟାଳୟ, ତତ୍କାଳୀନ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସମସ୍ତ ଆଇନ କାନୁନକୁ ଜଳାଞ୍ଜଳି ଦେଇ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଯେଉଁ ଅଧିଗ୍ରହଣ କରିଥିଲେ ତାକୁ ସୁପ୍ରିମକୋର୍ଟ ଖାରଜ କରିବା ସହିତ ସମସ୍ତ ଜମିକୁ ଚାଷୀଙ୍କୁ ଫେରାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦୀର୍ଘ ୫ ମାସ ବିତିଯିବା ସତ୍ୱେ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରୁନାହାନ୍ତି । ତେଣୁ ଆଜିଠାରୁ ୭ ଦିନ ଭିତରେ ଯଦି ସରକାର ଚାଷିଙ୍କୁ ତାଙ୍କ ଜମି ଫେରସ୍ତ ନ କରିବେ ତାହାଲେ ତାଙ୍କୁ ଲିଗାଲ ନୋଟିସ୍ ଦିଆଯିବା ସହିତ ସୁପ୍ରିମକୋର୍ଟ ରେ ଅଦାଲତ ଅବମାନନା କେସ୍ କରାଯିବ ବୋଲି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଶାନ୍ତ ଭୂଷଣ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି |
ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ସରକାରଙ୍କର ଅହେତୁକ ଅନୁକମ୍ପା ହେତୁ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ ଆଜି କର୍ପୋରେଟ ଦ୍ୱାରା ଲୁଣ୍ଠିତ ହେଉଛି । ଆଦାନୀ, ବେଦାନ୍ତ, ଜିନ୍ଦଲ ଓ ରିଲାଏନ୍ସ୍ ଭଳି ବଡ଼ ବଡ଼ କମ୍ପାନୀ ସବୁ ସରକାରଙ୍କ ଦ୍ୱାରା ବେଆଇନ୍ ଖଣି ଲୁଟ୍ କରିବାର ଠିକା ନେଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତି ଏବଂ ବେଆଇନ୍ ଖଣି ଉତୋଳନ ଯୋଗୁଁ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ହାନିକୁ ଭରଣା କରିବା ପାଇଁ ଯେଉଁ ନିଦେ୍ର୍ଧଶ ଦେଇଥିଲେ ସେଥିରେ ଆଜି ପର୍ଯ୍ୟନ୍ତ ବେଆଇନ୍ ଖଣି ଉତୋଳନ କରିଥିବା କମ୍ପାନୀମାନେ ମାତ୍ର ୧୭ ହଜାର କୋଟି ଦାଖଲ କରିଛନ୍ତି ଏବଂ ଆହୁରି ୩୦୦୦ କୋଟି ବାକି ଅଛି । ଏଥିପାଇଁ ଆମେ ସୁପ୍ରିମକୋର୍ଟ ଯାଇଛୁ ଏବଂ ଏହାକୁ ତୁରନ୍ତ ଦାଖଲ କରିବା ପାଇଁ ନିର୍ଦ୍ଦେଶନାମା ଆସିଛି । ସୁପ୍ରିମକୋର୍ଟ ଖଣି ଉତୋଳନ ପାଇଁ ଏକ ସୀମାରେଖା ଧାର୍ଯ୍ୟ କରାଯିବା ଯାଚିକା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ମାଟିତଳେ ଖଣିଜ ସମ୍ପଦ ସୃଷ୍ଟି ହେବା ପାଇଁ ହଜାର ହଜାର ବର୍ଷ ସମୟ ନେଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସରକାରଙ୍କର ଅତ୍ୟଧିକ କମ୍ପାନୀ ପ୍ରୀତି ଯୋଗୁଁ ଆସନ୍ତା ୨୦ ବର୍ଷ ଭିତରେ ଖଣିଜ ପଦାର୍ଥ ଶେଷ ହୋଇଯିବ । ଆମର ଭବିଷ୍ୟତ ବଂଶଧର ପାଇଁ କିଛି ଖଣିଜ ସମ୍ପଦକୁ ସଂରକ୍ଷଣ କରିବାକୁ ପଡ଼ିବ । ଆଜିର ଦିନରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଡ଼ କମ୍ପାନୀମାନଙ୍କର ଏଜେଂଟ ଭଳି କାର୍ଯ୍ୟ କରୁଛନ୍ତି । ଖଣିଜ ସମ୍ପଦର ବେଆଇନ୍ ଉତୋଳନ ଦ୍ୱାରା ପ୍ରତ୍ୟେକ୍ଷ ଭାବରେ ଚାଷି ଓ ଆଦିବାସୀ ସମୂହ ପ୍ରଭାବିତ ହେଉଥିବାବେଳେ ଅନ୍ୟସମସ୍ତ ବର୍ଗର ବ୍ୟକ୍ତିବିଶେଷ ପରୋକ୍ଷ ଭାବରେ ପ୍ରଭାବିତ ହୁଅନ୍ତି । ଖଣି ହେଉଛି ଆମର ରାଷ୍ଟ୍ରୀୟ ସମ୍ପତି । ଏହାର ଲୁଟ୍ ବିରୁଦ୍ଧରେ ସମସ୍ତ ଜନସାଧାରଣ ସ୍ୱର ଉତୋଳନ କରିବାର ଆବଶ୍ୟକତା ରହିଛି ଓ ଏହା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ।
ଦୀର୍ଘ ୧୭ ବର୍ଷର ଲଢେ଼ଇ, ୨୨ ମୌଜା, ୨୭୫ ଗାଁ ଏବଂ ହଜାର ହଜାର କୃଷକଙ୍କର ଜୀବନ ଜୀବିକାକୁ ବାଜିରେ ଲଗାଇ ଠକ ବେଦାନ୍ତ କମ୍ପାନୀକୁ ୧୦ ହଜାର ଏକର ଚାଷଜମି ସହିତ ଦୁଇଟି ନଦୀକୁ ଟେକି ଦେବାପାଇଁ ଯେଉଁ ଗଭୀର ଷଡଯନ୍ତ୍ର ଓ ଅହେତୁକ ଅନୁକମ୍ପା କରାଯାଇଥିଲା ତାହାର ତଦନ୍ତ ପାଇଁ ମାନ୍ୟବର ଅଦାଲତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ଏସ୍ଆଇଟି ଗଠନ କରାଯାଉ କିମ୍ବା ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ । ଓଡ଼ିଶାରେ ସରକାର ପ୍ରଫୁଲ ସାମନ୍ତରାୟଙ୍କ ଭଳି ସାମାଜିକ କର୍ମୀ ଯିଏ କି ବେଆଇନ୍ ଖଣିଖାଦାନ ଲୁଟ୍ ବିରୁଦ୍ଧରେ ସ୍ୱର ଉତୋଳନ କରନ୍ତି ତାଙ୍କୁ ନିର୍ଯ୍ୟାତନା ଦେବା ଅତ୍ୟନ୍ତ ନିନ୍ଦନୀୟ ।
ପୂର୍ବତନ ବିଧାୟକ ତଥା ଆବାହକ ଉମାବଲ୍ଲଭ ରଥ କହିଥିଲେ ଯେ, ଦୀର୍ଘ ୧୭ବର୍ଷ ଧରି ଯେଉଁ ନ୍ୟାୟୀକ ଲଢେ଼ଇ ଆମେ ଲଢ଼ିଥିଲୁ ସେଥିରେ ଶ୍ରୀଜଗନ୍ନାଥଙ୍କ କୃପାରୁ ଆମେ ଜୟଲାଭ କରିଛୁ ଏବଂ ଏଥିରେ ଗୋଟିଏ ଟଙ୍କାର ପାରିଶ୍ରମିକ ନନେଇ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଶାନ୍ତ ଭୁଷଣ ୨୦୧୧ ମସିହାରୁ ଆମକୁ ନ୍ୟାୟୀକ ସହାୟତ ପ୍ରଦାନ କରିଥିବାରୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ଥିଲେ ।

 

0
0
0
s2sdefault