ରାଇଘର/ନରସିଂ ବାଘ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଓଡ଼ିଶାର ସୀମାନ୍ତ ଗାଁରେ ଆଜି ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେବଡ଼ଧରଣର ଚଢ଼ଉ ହୋଇଛି। ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତର କଲମଡଙ୍ଗରି ଗାଁରୁ ଗୋଟିଏ ବାଘଛାଲ, ବିରଳ ବନ୍ୟଜନ୍ତୁଙ୍କ ଅବଶେଷ ସହ ଶିକାରରେ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।ବେଆଇନ ଭାବେ ଘରେ ଏସବୁ ରଖିଥିବା ଉକ୍ତ ଗାଁର କୁଶ ଭତରା, ଡମାର ମାଝୀ ଏବଂ ମୋହନ ସିଂ ରାଉତଙ୍କୁ ଗିରଫ କରାଯାଇଛି।ବନବିଭାଗପକ୍ଷରୁ ଖୋଳତାଡ଼ ଜାରି ରହିଛି।
ରାଜ୍ୟର ବନ ବିଭାଗ କର୍ମଚାରୀ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି ଆଜି କଲମଡଙ୍ଗରି ଗ୍ରାମର ପ୍ରାୟ ୧୦ରୁ ୧୫ଟି ଘରେ ଅତର୍କିତ ତଥା ଏକକାଳୀନ ଚଢ଼ଉ କରିଥିଲେ । କୁଶ ଭତରା, ଡମାର ମାଝୀ ଓ ମୋହନ ସିଂ ରାଉତଙ୍କ ଘରୁ ଗୋଟିଏ କଲରାପତରିଆ ବାଘଛାଲ, ହରିଣ ଶିଙ୍ଗ, କୁଟୁରା ଓ ମୟୂର ଭଳି ବିରଳ ବନ୍ୟଜନ୍ତୁଙ୍କ ଅବଶେଷ ମଧ୍ୟ ଠାବ କରାଯାଇଥିଲା।
ଚଢ଼ଉ ସମୟରେ ତୀର ଓ ବର୍ଚ୍ଛା ଭଳି କିଛି ଅସ୍ତ୍ରଶସ୍ତ୍ର ଘରୁ ଳିଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ରାଇଘର ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି। ପଚରାଉଚୁରା ସୂଚନା ଅନୁଯାୟୀ, ବେଆଇନ ଶିକାର ପରେ ବାଘଛାଲ ସହ ହରିଣ ଶିଙ୍ଗ ଏବଂ ଅନ୍ୟ କିଛି ଅବଶେଷ ରହିଥିବା ବନ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ।
ସୀମାନ୍ତ ଗାଁ ହୋଇଥିବାରୁ ଅଭିଯୁକ୍ତମାନେ ଛତିଶଗଡ଼ରେ ଆତ୍ମଗୋପନ କରିବାର ସମ୍ଭାବନା ରହିଥିଲା। ତେଣୁ ରାଇଘର ଏବଂ ଛତିଶଗଡ଼ର ଇନ୍ଦଗାଁଓ ବନ ବିଭାଗ ମିଳିତ ଭାବେ ଚଢ଼ଉ କରିବାକୁ ଯୋଜନା ହୋଇଥିଲା | କୌଣସି ପରିସ୍ଥିତିରେ ବି ଅଭିଯୁକ୍ତ ଯେମିତି ଖସି ନଯିବେ ସେଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ଦୁଇ ଚାଲିଥିବା ବେଳେ ପୃଥକ ପୃଥକ ତିନୋଟି ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନବରଙ୍ଗପୁର ଉପ ବନ ସଂରକ୍ଷକ ଧନୁର୍ଜ୍ୟୟ ମହାପାତ୍ର ଓ ଉପ ବନ ସଂରକ୍ଷକ ମନ୍ମୁନ୍ ଖେମୁଡୁ ପ୍ରକାଶ କରିଛନ୍ତି। ଚଢଉରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ତନୁଜା କାର୍ତ୍ତିକ, ବନପାଳ କାମାକ୍ଷା ପ୍ରସାଦ ସ୍ବାଇଁ, ବନପାଳ ରାମଚନ୍ଦ୍ର ଜାନୀ, ବନରକ୍ଷୀ ହରେକୃଷ୍ଣ ନାୟକଙ୍କ ସମେତ ଉମରକୋଟ ଓ ଝରିଗାଁ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।
ରାଜ୍ୟ
ବାଘଛାଲ ଓ ହରିଣ ଶିଙ୍ଗ ଜବତ, ୩ ଗିରଫ
- Hits: 340








