ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପୋକ୍ସ କୋର୍ଟରେ ଏକ ସ୍କୁଲ ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ଆସାମୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହିତ ୩୦ହଜାର ଟଙ୍କା ଜୋରିମାନା ହୋଇଛି। ପୋକ୍ସ କୋର୍ଟର ବିଚାରପତି ନିରଞ୍ଜନ ପଣ୍ଡା ଘଟଣାର ବିଚାର କରି ଆସାମୀ ବୁଲୁ ନାୟକ, ୨୭ ବର୍ଷ, ପି-କୈଳାସ ନାୟକ, ଘର-ଚଡେୟାପଲ୍ଲୀ, ଥା-ଶରଣକୁଳ, ଜି-ନୟାଗଡ଼ଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ସରକାରୀ ଓକିଲ ଅମିୟ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ଗତ ୧୦.୧୦.୨୦୧୮ ରେ ଓଡ଼ଗାଁ ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଆଧାରରେ ଓଡ଼ଗାଁ ପୁଲିସ ଏକ ମାମଲା ନଂ ୨୦୪/୧୮ ରୁଜୁ କରିଥିଲା । ଅଭିଯୋଗ ଅନୁଯାୟୀ ନାବାଳିକା ଛାତ୍ରୀ ଜଣକ ସ୍କୁଲ ଯାଉଥିବା ଳବେଳେ ଆସାମୀ ବୁଲୁ ତାର ସାଇକେଲ ସହ ତାକୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଦିନସାରା ଅଟକ ରଖି ତାସହ ଦୁଷ୍କର୍ମ କରିଥିଲା । ରାତି ହେବାରୁ ତାକୁ ନିଜ ଘରକୁ ନେଇ ଯାଇ ଘରେ ମଧ୍ୟ ରଖିଥିଲା । ଘଟଣାର ତଦନ୍ତ କରି ଓଡ଼ଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆସାମୀ ସହ ଉକ୍ତ ନାବାଳିକାକୁ ଆସାମୀ ଘରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ପରେ ପରେ ଘଟଣାର ଚାର୍ଜସିଟ କରି ଆସାମୀକୁ କୋର୍ଟକୁ ପଠାଇଥିଲା। କିଛି ଦିନ ଆସାମୀ ଜେଲରେ ରହିବା ପରେ ହାଇକୋର୍ଟରୁ ଜାମିନ ପାଇ ଘରକୁ ଫେରିଥିଲା । ସେହିଦିନ ଠାରୁ ଏହି କେସର ବିଚାର ଚାଲିଥିଲା । ୧୪ ଜଣ ସାକ୍ଷୀଙ୍କ ବୟାନ,ଡାକ୍ତରୀ ମାଇନା ରିପୋର୍ଟ ଏବଂ ପ୍ରତିପକ୍ଷ ଓ ସରକାରୀ ଓକିଲଙ୍କ ଜବାବ ସୁଆଲକୁ ତର୍ଜମା କରି ମାନ୍ୟବର କୋର୍ଟ ଳଆଜି ଆସାମୀ ବୁଲୁ ନାୟକଙ୍କୁ ଦଫା ୩୬୩ ରେ ୩ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜୋରିମାନା, ଦଫା-୩୬୬ରେ ୫ବର୍ଷ ଜେଲ ଏବଂ ୧୦ ହଜାର ଟଙ୍କା ଜୋରିମାନା ଏବଂ ଦଫା ୩୭୬ ଏ.ବି. ରେ ୨୦ ବର୍ଷ ଜେଲ ଦଣ୍ଡ ଏବଂ ୧୫ ହଜାର ଟଙ୍କା ଜୋରିମାନାର ରାୟ ଶୁଣାଇଛନ୍ତି । ଅନ୍ୟ ପକ୍ଷରେ ପିଡୀତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତି ପୁରଣ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ଅମିୟ ପଟ୍ଟନାୟକପରିଚଳନା କରୁଥିଲେ ।
ରାଜ୍ୟ
ସ୍କୁଲ ଛାତ୍ରୀ ଅପହରଣ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
- Hits: 370











