ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ
ପୁରୀ (ଅନିମେଶ ପଟ୍ଟନାୟକ): ଘନ ଘନ ବିଦ୍ୟୁତ କାଟ୍ ଏବେ ବରଦାସ୍ତ ବାହାରେ । ତାପମାତ୍ରାରେ ବୃଦ୍ଧି ଓ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ପୁରୀବାସୀ । ସହରରେ ବିଦ୍ୟୁତ କାଟ ଏବେ ଶିଶୁ, ବୁଢାବୁଢି ଓ ରୋଗୀଙ୍କ ଉପରେ ଦାଉ ସାଧୁଛି । ବିଦ୍ୟୁତ କାଟ୍ ସମସ୍ୟା ଏବେ ସାରା ଓଡିଶାର ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ପୁରୀରେ ଏନେଇ ବିରୋଧ ଦେଖା ଦେଇଛି । ଜିଲ୍ଲା କଂଗ୍ରେସର ଏକ ଟିମ୍ ୧୦ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
ଅଘୋଷିତ ବିଦ୍ୟୁତ୍ କାଟ୍ ରାଜ୍ୟର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ୩୫ ଡିଗୀରୁ ୪୬ଡିଗୀ ତାପମାତ୍ରାରେ ଉତ୍ତପ୍ତ ଓଡ଼ିଶାରେ ଜନସାଧାରଣ ପ୍ରବଳ ହନ୍ତସନ୍ତ ହେଉଥିବା ବେଳେ ଅଂଶୁଘାତ ଜନଜୀବନ କୁ ଅସ୍ତବ୍ୟସ୍ତ କରିରଖୁଛି । ପ୍ରକୃତିର ଏପରି କରାଳ ରୂପ ସମୟରେ ଟାଟା ପାଓ୍ବାର ଅଘୋଷିତ ପାୱାର କଟ୍ କାରଣରୁ ରୋଗୀ , ବୟସ୍କ ତଥା ସାଧାରଣ ଲୋକ ବଞ୍ଚିବା କଷ୍ଟକର ହୋଇଯାଇଛି । ବିଦ୍ୟୁତ୍ କାଟ୍ ସମ୍ପର୍କ ଉପଭୋକ୍ତା ଅଭିଯୋଗ ଦେବା ପାଇଁ ପ୍ରତ୍ୟେକ ଡ଼ିଭିଜନରେ ଏକ ଲ୍ୟାଣ୍ଡଲାଇନ୍ ଫୋନ ଥାଏ । ଦେଖାଯାଇଛି ସେ ଲ୍ୟାଣ୍ଡଲାଇନ୍ ଫୋନ କାଢ଼ିତଳେ ଥୁଆଯାଉଛି । ଅନ୍ୟ ପକ୍ଷେ ଟାଟାପାୱାର ୧୯୧୨ ଗ୍ରାହାକ ସେବା ନମ୍ବର ଜାରିକରିବା କାରଣରୁ ସାଧାରଣ ଉପଭୋକ୍ତା ଏକ ଅଭିଯୋଗ ଦେବା ପାଇଁ ସମର୍ଥ ହେଉନାହାନ୍ତି । Delay Payement Surcharge ନାମରେ ଏକ ହଜାର ଟଙ୍କା ମୂଳ ବିଲରେ ଦଶ ରୁ ପନ୍ଦର ହଜାର ଟଙ୍କା ଜୋର ଜୁଲମ୍ କରି ଆଦାୟ କରାଯାଉଛି । One Time Settlement ( OTS ) ଏକ କାଳୀନ ବକେୟା ଦେୟ ଏହି ସରକାର ସୁବିଧା କରିଥିବା ବେଳେ ଟାଟା ପାୱାର ଉପଭୋକ୍ତାଙ୍କୁ ଓଟିଏସ୍ ସହଜରେ ଉପଲବ୍ଧ କରାଉନାହିଁ । ନୂତନ ବିଦ୍ୟୁତ ସଂଯୋଗ ପାଇଁ ସରକାର ୪୮ଘଣ୍ଟା ସମୟ ରଖୁଥିବା ବେଳେ ଟାଟା ପାୱାର ବିନା ଲାଞ୍ଚରେ ସଂଯୋଗ ଦେଉନାହାନ୍ତି ଏବଂ ଦିନଦିନ ଧରି ଉପଭୋକ୍ତାଙ୍କୁ ହଇରାଣ କରୁଛି । ଓଡ଼ିଶା ସରକାରଙ୍କ ମିଟର ଟେଷ୍ଟ ଲ୍ୟାବ ଥିବା ବେଳେ ବିନା କୌଣସି ଟେଷ୍ଟିଙ୍ଗ୍ ସାର୍ଟିଫିକେଟ୍ରେ ଟାଟା ପାୱାର ଜୋର ଜବରଦସ୍ତ ମିଟର ଲଗାଇ ମାସକୁ ୪୦ଟଙ୍କା ହିସାବରେ ୬୦ ମାସ ଏପରିକି ୨୪୦୦ଟଙ୍କା ଆଦାୟ କରୁଛି । ଯେତେବେଳେ ମିଟର ପ୍ରକୃତ ମୂଲ୍ୟ ୬୦୦ଟଙ୍କା । ବିନା ନୋଟିସ୍ରେ ଅଳ୍ପ ବକେୟା ଥାଇ ମଧ୍ୟ ଟାଟା ପାୱାର ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବା ଅତ୍ୟନ୍ତ ଦୁଃଖ ଦାୟକ । ୨୦୧୫ ନବକଳେବର ସମୟରେ ପୁରୀରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ଏବଂ ପ୍ରତେକ ବର୍ଷ ରଥ ଯାତ୍ରା ପୂର୍ବରୁ ମରାମତି କରାଯାଇ କୋଟିକୋଟି ଟଙ୍କା ବ୍ୟୟ କରାଯାଉଥିଲା । ମାତ୍ର ବିଭାଗୀୟ ଅଧିକାରୀ ଭିତ୍ତିଭୂମି ଖରାପଥବା କଥା କହିବା ଦର୍ଶାଉଛି ଯେ ଅତିତରେ ବହୁତଟଙ୍କା ହେର୍ଫେର୍ କରାଯାଇ ନିମ୍ନ ମାନର କାର୍ଯ୍ୟ କରାଯାଉଥିଲା । ସବୁଠାରୁ ବଡ଼ କଥା ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ , ଶକ୍ତି ସଚିବ , ଶକ୍ତି ମନ୍ତ୍ରୀ ତଥା ସ୍ଵତନ୍ତ୍ର ବିଭାଗ କର୍ଯ୍ୟକ୍ରମ ଥିବା ବେଳେ ରାଜ୍ୟ ସରକାର କେଉଁ ଅପାରଗ କାରଣରୁ ଦୀର୍ଘ ବର୍ଷହେବ ବିଦ୍ୟୁତ୍ ବିତରଣ ତଥା ପରିଚାଳନା ଦାୟିତ୍ଵ ଘରୋଇ କମ୍ପାନୀ ହାତକୁଟେକି ଦେଉଛନ୍ତି । ଯଦିଓ ସରକାର ଘରୋଇ କମ୍ପାନୀକୁ ଦାୟୀତ୍ବ ଦେଇଛନ୍ତି ତେବେ କ’ଣ ପାଇଁ ଘରୋଇ କମ୍ପାନୀ ଛୋଟଛୋଟ ଫ୍ରାଇଟ୍କୁ ଦେଇ କର୍ମଚାରୀ ଶୋଷଣ କରୁଛି , ଦରମା କମ୍ ହେଉଥିବା ବେଳେ ବିଭିନ୍ନ ସୁରକ୍ଷା ବିହୀନଭାବେ ୧୧କେଭି ଓ ୩୩କେଭି କାମ କରାଉଛି ଓ କର୍ମଚାରୀ ଦୁର୍ଘଟଣାରେ ମୃତ ବରଣ କରିବା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ଶେଷରେ ଝିଣ୍ଟିକା ମରି ବଣି ପୋଶିବା ନୀତି ଟାଟା ପାୱାର ତଥା ରାଜ୍ୟ ସରକାରଙ୍କୁ ଆସନ୍ତା ଦିନରେ ବହୁ ମୂଲ୍ୟ ଦେବାକୁ ହେବ । ସରକାର ଉପରୋକ୍ତ ସମସ୍ତ ଦିଗ ପ୍ରତି ସଠିକ୍ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ ନକଲେ ଆଗକୁ ପୁରୀ ଜିଲ୍ଲା କଂଗ୍ରେସ ସମସ୍ତ ବ୍ଲକ ପୌରାଞ୍ଚଳ ତଥା ଗାଁ ଗଣ୍ଡାରେ ଆନ୍ଦୋଳନ ତ୍ରୀବତର କରିବ ବୋଲି ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକ ଚେତାବନି ଦେଇଛନ୍ତି ।
ଆଜିର କାର୍ଯ୍ୟକ୍ରମ ରେ ପିସିସି ସଂପାଦକ ବିଶ୍ବନାଥ ଦାଶ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟନାରାୟଣ ପଟ୍ଟନାୟକ, ସୁଜିତ ମହାପାତ୍ର, ପୁରୀ ସଦର ବ୍ଲକ କଂଗ୍ରେସ ସଭାପତି ଅବିନାଶ ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭିମସେନ ପ୍ରଧାନ, ପୂର୍ବତନ ପୈାରସଦସ୍ୟ ସିତାକାନ୍ତ ମହାନ୍ତି, ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ନିରଞ୍ଜନ ରଥ, ବିଦ୍ୟୁତଲତା ଆଚାର୍ଯ୍ୟ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ଅମିୟ ମହାପାତ୍ର, ମାର୍କଣ୍ଡ ମହାନ୍ତି, ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର, ଓ୍ବାଡ ମେମ୍ବର ସରୋଜ ଜେନା, ଏବଂ ଗୋପାଳ ସ୍ବାଇଁ, ଚେତନ ମିଶ୍ର, ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।








