ଭକ୍ତମାନେ ଭଲ ଅନୁଭୂତି ନେଇ ଫେରନ୍ତୁ: ମୁଖ୍ୟମନ୍ତ୍ରୀ
ପୁରୀ/ ଭୁବନେଶ୍ୱର(ଅନିମେଶ ପଟ୍ଟନାୟକ) :"ମହାପ୍ରଭୂ ଓଡିଆ ଜାତିର ଶ୍ରେଷ୍ଠ ପରିଚୟ । ମହାପ୍ରଭୂଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ । ମହାପ୍ରଭୂଙ୍କ ରଥଯାତ୍ରା ସୁରୁଖୁରୁ ରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଠିକ୍ ସମୟରେ ମହାପ୍ରଭୂଙ୍କ ନୀତି ପାଳନ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ | ପୁରୀକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର" ବୋଲି ପୁରୀଠାରେ ଅନୁଷ୍ଠିତ ରଥଯାତ୍ରା ସମନ୍ୱୟ କମିଟି ବୈଠକକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି |
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ "ଏ ବର୍ଷ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର । ଦେଶ ,ବିଦେଶରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେବା ଦରକାର । ପୁରୀର ଜନସାଧାରଣ, ମହାପ୍ରଭୂଙ୍କ ସେବାୟତ, ପ୍ରଶାସନ ପୁଲିସ ସମସ୍ତେ ସେବା ଓ ସମର୍ପଣ ମନୋଭାବ, ମହାପ୍ରଭୂଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସଫଳ କରିବ। ମହାପ୍ରଭୂଙ୍କ ଆଶୀର୍ବାଦ ସବୁବେଳେ ଆମ ସାଥୀରେ ରହିଛି ।"

ସ୍ଥାନୀୟ ପୌରସଦନ ଠାରେ ମଙ୍ଗଳବାର ଚଳିତ ରଥଯାତ୍ରାର ସ୍ଵତନ୍ତ୍ର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁ ଓଡିଆ ଜାତିର ଇଷ୍ଟ ଦେବତା । ସମସ୍ତ ଭକ୍ତମାନେ ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ରେ ନିଜକୁ ସାମିଲ କରିବାକୁ ଚାହିଁ ବସିଥାନ୍ତି । ଏହି ଯାତ୍ରାକୁ ସଫଳ କରିବା ଆମ ସମସ୍ତଙ୍କ ଦାୟୀତ୍ବ । ସେବା ଓ ସମର୍ପଣ ଭାବନା ଏଥର ରଥଯାତ୍ରାକୁ ସଫଳ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ଶୃଙ୍ଖଳିତ ରଥଯାତ୍ରା, ଭକ୍ତଙ୍କ ସୁରକ୍ଷା ଓ ସୁବିଧା ଉପରେ ସ୍ଵତନ୍ତ୍ର ଆଲୋଚନା ହୋଇଥିଲା । ସେବାୟତମାନେ ନୀତି କାନ୍ତି ସଠିକ୍ ଭାବେ ଏବଂ ଠିକ୍ ସମୟରେ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭକ୍ତଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୫ଲକ୍ଷ ଟଙ୍କାର ବୀମା ବ୍ଯବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ୧୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଵାଗତ ଭାଷଣ କରିଥିଲେ । ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥମାନଙ୍କ କପଡା ସିଲାଇ କାର୍ଯ୍ୟକ୍ରମ ଚାଲୁଛି । ମହାପ୍ରଭୁଙ୍କ ଆଶିର୍ବାଦରୁ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ବୋଲି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରଞ୍ଜନ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ଯ ଶାସନ ସଚିବ ପ୍ରଦିପ କୁମାର ଜେନା କହିଛନ୍ତି, ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିତିକାନ୍ତି ନେଇ ଛତିଶାନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରି ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି ।
ଏହି ବୈଠକରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ,ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରକ୍ତ ଡିଜି ସଞ୍ଜୀବ ପଣ୍ଡା, କେନ୍ଦ୍ରାଞ୍ଜଳ ଆଇଜି ଆଶିଷ ସିଂହ, ଏସପି କେ.ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସମତେ ଅନ୍ୟ ବରିଷ୍ଠ ଅଧୁକାରୀମାନେ ଯୋଗ ଦେଇଥିଲେ ।











