ଝାଙ୍ଗିରାମ ହାଇସ୍କୁଲ ଗୌଡପୁଟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭକ୍ତରଞ୍ଜନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଭକ୍ତ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ ଏବଂ ଗୁରୁପୂଜନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ସ୍ବର୍ଗତ ମହାରଣାଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଅନାବରଣ କରିଥିଲେ ।

ଅବସର ପ୍ରାପ୍ତ ଶିକ୍ଷକ ଅନାଦି ଚରଣ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ପୂର୍ବତନ ଶିକ୍ଷକ ବନମାଳୀ ଦାଶଙ୍କ ଅଧ୍ଯକ୍ଷତାରେ ଗୌଡପୁଟ କଲ୍ୟାଣୀ ମଣ୍ଡପଠାରେ ଭକ୍ତ ରଞ୍ଜନ ସ୍ମୃତି କମିଟି ଦ୍ବାରା ଆୟୋଜିତ ସାଧାରଣ ସଭାରେ ନୟାଗଡ଼ ବିଧାୟକ ଯୋଗଦେଇ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କର ନିଷ୍ଠାପର ଗୁରୁଭକ୍ତିର ପରାକାଷ୍ଠା ଦେଖି ପ୍ରଶଂସା କରିଥିଲେ । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ବାଣ୍ଠପୁର ସରପଞ୍ଚ ସୁନିତା ବାରିକଙ୍କ ସହିତ ଗୌଡପୁଟ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଜିର ଏହି ପବିତ୍ର ମୁହୁର୍ତ୍ତରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟର ପୁରାତନ ଓ ନୂତନ ପ୍ରତିଭୁ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସାହୁ ପୁରସ୍କୃତ କରିଥିଲେ । ନୂତନ ଭାବେ ଓଇଏସ ପରୀକ୍ଷାରେ ସଫଳତା ହାସଲ କରିଥିବା ଗୋତିରିଡା ଗ୍ରାମର ଭକ୍ତ ବିନୋଦ ସଲ୍ଲ ସମ୍ବର୍ଦ୍ଧିତ ହୋଇଥିଲେ । ଶ୍ରୀଧର ନିତ୍ୟାନନ୍ଦଙ୍କ ନେତୃତ୍ୱରେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

0
0
0
s2sdefault