ଓଡ଼ିଶା ବିଜେପି ନେତାଙ୍କ ଅପାରଗତା ବିରୋଧରେ ବର୍ଷିଲା ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଓଡ଼ିଶା ବିରୋଧୀ କାର୍ଯ୍ୟ କରୁଛନ୍ତି"

  •  ଏନ୍ଏଚ୍-୫୫ ସଂପ୍ରସାରଣରେ ଓଡ଼ିଶାବାସୀଙ୍କୁ ପ୍ରତାରଣା ଆଉ କେତେଦିନ?

  •  ୬ ବର୍ଷରେ ୬ଶହରୁ ଅଧିକ ମୁଣ୍ଡ ନେଲାଣି, ଓଡ଼ିଶା ବିଜେପି ନେତା ନିରବ କାହିଁକି?

  •  ଦେବଗଡ଼କୁ ଫୁଡ୍ ପ୍ରସେସିଂ ଉଦ୍ୟୋଗର କ୍ଲଷ୍ଟର କରିବା ପ୍ରତିଶ୍ରୁତି କୁଆଡେ଼ ଗଲା?

  •  ୨ ବର୍ଷରେ ତାଳଚେର-ବିମଳାଗଡ଼ ରେଳଲାଇନ ନିର୍ମାଣ କାର୍ଯ୍ୟ ସରିବ ବୋଲି କହିଥିଲେ

  •  ଲୋକଙ୍କ ଆଗରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ଶାସନର ମିଛ ସଫଳତାର କାହାଣୀ ବଖାଣୁଛନ୍ତି

ଭୁବନେଶ୍ୱର:କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାରେ ବିଜେପି ନେତାମାନେ ଜନସଂପର୍କ ଯାତ୍ରା ମାଧ୍ୟମରେ ସଫଳତାର ଡିଣ୍ଡିମ ପିଟୁଛନ୍ତି ।କିନ୍ତୁ ବାସ୍ତବତା ହେଲା, ଓଡ଼ିଶା ବିଜେପି ୯ ବର୍ଷହେଲା ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା, ଅବହେଳା ଓ ବିଶ୍ୱାସଘାତ କରି ଆସୁଛି । ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତାମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷାକରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ।ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା ଭାବୁଛନ୍ତି ଏବଂ ମିଛ ସଫଳତାର କାହାଣୀ ଗପି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଆଜି ଶଙ୍ଖଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏଭଳି ଗୁରୁତର ଅଭିଯୋଗ ଆଣି ଓଡ଼ିଶା ବିଜେପି ନେତାମାନଙ୍କ ବିରୋଧରେ ଖୁବ୍ ବର୍ଷୀଛି ବିଜେଡି ।
ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାରଙ୍କ ପ୍ରତାରଣାର ଏକ ଉଦାହରଣ ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ଏବଂ ରାଜଧାନୀସହଯୋଡ଼ୁଥିବା କଟକ-ସମ୍ୱଲପୁରଜାତୀୟରାଜପଥ-୫୫ ଉପରେ ଦେଢ଼କୋଟିରୁ ଅଧିକ ଲୋକ ନିର୍ଭରକରନ୍ତି । ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏହି ଏନ୍ଏଚ୍-୫୫ର ସଂପ୍ରସାରଣ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇ ତିନିବର୍ଷ ମଧ୍ୟରେ ଶେଷହେବାର ଥିଲା ।ମାତ୍ର ୬ ବର୍ଷବିତିବାକୁବସିଥିଲେ ମଧ୍ୟ ଏହିକାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି । ୨୬୩ କିମିରାସ୍ତାର ଚାରିଥାକିଆ ସଂପ୍ରସାରଣ ପାଇଁ ପ୍ରଥମେ ୨୩୬୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ।ତାହା ଏବେ ପ୍ରାୟ ଦୁଇଗୁଣ ବଢ଼ି ୪୪୮୨ କୋଟି ଟଙ୍କାରେ ପହଞ୍ଚିଲାଣି । କାମଶେଷ କରିବାକୁ ତିନିଥର ଡେଡ୍ଲାଇନ୍ ଦିଆଯିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ସାରି ପାରୁନାହାନ୍ତି ଏନ୍ଏଚ୍ କର୍ତ୍ତୃପକ୍ଷ ।
ଏନ୍ଏଚ୍-୫୫କୁ ଦେଶର ସର୍ବାଧିକ ବିପଦଜନକ ଜାତୀୟ ରାଜପଥ ବୋଲି ଅଭିହିତ କରି ଶ୍ରୀ ଦାସ କହିଲେ ଯେ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳାହୋଇ ପଡ଼ିଥିବାରୁ ଏବଂ ଏକାଧିକ ବ୍ରିଜ୍ ଅଧପନ୍ତରିଆ କରି ଛାଡ଼ି ଦିଆଯାଇଥିବାରୁ ଏହି ଜାତୀୟ ରାଜପଥ ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ଆମନ୍ତ୍ରଣ ଜଣାଉଛି । ମୃତ୍ୟୁ ଯନ୍ତା ପାଲଟି ଥିବା ଏହି ଜାତୀୟ ରାଜପଥରେ ୨୦୧୬ରୁ ୨୦୨୨ ଅର୍ଥାତ ଗତ ୬ ବର୍ଷ ମଧ୍ୟରେ ୧୩୧୫ଟି ଦୁର୍ଘଟଣାଘଟି ୬୦୩ ଜଣକ ଜୀବନ ଯାଇଛି ।ସେଥିରୁ ଶେଷ ୨ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଦୁର୍ଘଟଣା ଘଟି ପ୍ରାୟ ୨୦୦ ମୁଣ୍ଡ ଗଡ଼ିଲାଣି । ତଥାପି ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ବିଜେପି ନେତାମାନେ ଏଥିପାଇଁକେନ୍ଦ୍ର ଆଗରେ ପାଟି ଫିଟାଉ ନାହାନ୍ତି । ସାଇଲେଣ୍ଟ୍ କିଲର୍ ପାଲଟିଥିବା ଏହି ଏନ୍ଏଚ୍ ପାଇଁ ସତେ ଯେମିତି ଓଡ଼ିଶା ବିଜେପି ନେତାମାନେ ସାଇଲେଣ୍ଟ ପାଲଟି ଯାଇଛନ୍ତି ।ଏଭଳି ଓଡ଼ିଶା ବିରୋଧୀ ମନୋଭାବ ଥିବା କାରଣରୁ ରାଜ୍ୟବାସୀ ଓଡ଼ିଶା ବିଜେପି ନେତାମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।
ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତବିଜେଡିର ଅନ୍ୟତମ ମୁଖପାତ୍ର ଡ.ପ୍ରିୟବ୍ରତ ମାଝୀ ଓଡ଼ିଶା ବିଜେପିର ପ୍ରତାରଣାର ଆଉ ଏକ ନମୁନା ବିଷୟରେ ଉଲ୍ଲେଖ କରି କହିଲେ ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେବଗଡ଼ରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ବିଜେପିର ବଡ଼ବଡ଼ ନେତାମାନେ ଉଦ୍ବୋଧନ ଦେଇ ଦେବଗଡ଼ବାସୀଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ ।କେନ୍ଦ୍ରରେ ବିଜେପି ସରକାରକୁ ଆସିଲେ ଦେବଗଡ଼ରେ ଫୁଡ୍ ପ୍ରସେସିଂ ଉଦ୍ୟୋଗର କ୍ଲଷ୍ଟର କରାଯିବ, ଚାଷୀମାନେ କାରଖାନାର ମାଲିକ ହେବେ, ଦୁଇବର୍ଷ ଭିତରେ ଅଗ୍ରାଧିକାର ଭିତ୍ତିରେ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷହେବ, ନୀତିଶ ଗଙ୍ଗଦେବ ଏମ୍ପି ହେଲେ ଦିଲ୍ଲୀରୁ ଟଙ୍କା ଆଣି ଦେବଗଡ଼ର ବିକାଶ କରିବେ, ଦେବଗଡ଼କୁ ରାଜ୍ୟର ୧ ନମ୍ୱର ଜିଲ୍ଲାରେ ପରିଣତ କରାଯିବ ବୋଲି ଏହି ବିଜେପି ନେତାମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ଏଯାଏଁ ପୂରଣ ହୋଇନି ।ତେଣୁ ଓଡ଼ିଶା ବିଜେପିର ନେତାମାନେ କିପରି ମନଗଢ଼ା କାହାଣୀ ଶୁଣାଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି ଏବଂ ବାରମ୍ୱାର ପ୍ରତାରଣା କରୁଛନ୍ତି, ତାହା ଏଥିରୁଜଳଜଳ ଦିଶିଯାଉଛି ।ଏହି କାରଣରୁ ଓଡ଼ିଶାର ସ୍ୱାର୍ଥରକ୍ଷା ବଦଳରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାମ କରୁଥିବା ଓଡ଼ିଶା ବିଜେପି ନେତାମାନଙ୍କୁ ସଚେତନ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଡ.ମାଝୀ ସୂଚନା ଦେଇଥିଲେ ।

0
0
0
s2sdefault