ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।
ସୂଚନାନୁସାରେ, କଟକ ଜିଲ୍ଲା ବାଙ୍କି ଅଞ୍ଚଳର ବାସିନ୍ଦା ଗାନ୍ଧିନ୍ ପ୍ରଧାନ(୫୯) ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ଗତ ୧୯୮୯ମସିହାରେ ସେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କ ବାମ ଗୋଡ଼ ଆଣ୍ଠୁର ତଳଭାଗ ହରାଇଥିଲେ । ସେ ଦୁଇ ଦୁଇ ଥର ଏକ ସଂସ୍ଥା ମାଧ୍ୟମରେ କୃତ୍ରିମ ଗୋଡ଼ ପାଇଥିଲେ କିନ୍ତୁ ତାହା ତାଙ୍କୁ ସନ୍ତୁଷ୍ଟକର ଲାଗିନଥିଲା । ତାଙ୍କୁ ଏକ ଉନ୍ନତମାନର କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ତ୍ରିପାଠୀ ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । ଠିକ୍ ସେହିପରି,ଅନ୍ୟ ଦୁଇଜଣ ଭିନ୍ନକ୍ଷମ, ଚିତ୍ତ ରଞ୍ଜନ ପଟ୍ଟନାୟକ (୫୫ବର୍ଷ) ଏବଂ ଏ. ହରେରାମ ପାତ୍ର(୬୦ବର୍ଷ) ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇ ବେସାହାରା ହୋଇଯାଇଥିଲେ ।
ଗୋଡ଼ ବିନା ଜୀବନ ବିତାଇବା ଯେ କେତେ କଷ୍ଟକର, ସେ କଥା ଏମାନଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ନିଜର ଦୈନନ୍ଦିନ କାମ କରିବା ପାଇଁ ଏମାନେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ। ଏହି ଭିନ୍ନକ୍ଷମ ବ୍ୟକ୍ତି ମାନେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ସୂଚନା ପାଇବା ପରେ କୌଣସି ପ୍ରକାରେ ଓଡ଼ିଶା-ମୋ ପରିବାର ହେଲ୍ପଲାଇନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ଏମାନଙ୍କର କରୁଣ କାହାଣୀ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ତିନିଜଣଙ୍କୁ ଆଜି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ(ଓଡ଼ିଶା-ମୋ ପରିବାର)ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ(ଓଡ଼ିଶା-ମୋ ପରିବାର)ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।
କୃତ୍ରିମ ଅଙ୍ଗ ଲାଗିବା ପରେ ତିନିଜଣ ଭିନ୍ନକ୍ଷମଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
ରାଜ୍ୟ
ତିନିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର
- Hits: 312












