ଦେଶର ୧୦ ସ୍ମାର୍ଟସିଟି ସାମିଲ ହୋଇ ଅନୁଭୂତି ବଖାଣିଥିଲେ
ରାଉରକେଲା,(ବସନ୍ତ କୁମାର ଜେନା) : ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ପ୍ରତିଯୋଗିତା (Nurturing Neighborhood Challenge)ରେ ବିଜୟୀ ହୋଇଥିବା ଦେଶର ୧୦ଟି ସ୍ମାର୍ଟସିଟିର ଅଧିକାରୀମାନଙ୍କୁ ନେଇ ରାଉରକେଲାର ସ୍ଥାନୀୟ ହୋଟେଲରେ ଆରମ୍ଭ ହୋଇଥିବା ୨ ଦିନିଆ କର୍ମଶାଳା ଶୁକ୍ରବାର ଶେଷ ହୋଇଛି । ଏହି କର୍ମଶାଳାରେ ଆୟୋଜକ ରାଉରକେଲା ମହାନଗର ନିଗମ (ଆରଏମ୍ସି) କମିଶନର ତଥା ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ (ଆରଏସସିଏଲ୍) ସିଇଓ ଡ. ଶୁଭଙ୍କର ମହାପାତ୍ର ଯୋଗ ଦେଇ ପ୍ରତିନିଧିମାନଙ୍କ ଉଦ୍ଦେଶ୍ୟରେ ନିଜ ଉଦବୋଧନ ରଖିଥିଲେ । ଉଭୟ ଆରଏମସି ଏବଂ ଆରଏସସିଏଲ ଶିଶୁ ଅନୁକୂଳ ସହର ଗଠନ ଦିଗରେ ନିରନ୍ତର କାର୍ଯ୍ୟ କରୁଅଛି I ବିଶେଷକରି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ବସବାସ କରୁଥିବା ଅଞ୍ଚଳରେ ଶିଶୁଙ୍କୁ ସୁହାଇବା ଭଳି ପରିବେଶ ସୃଷ୍ଟି ଦିଗରେ ଗୁରୁତ୍ୱ ଦିଆଯାଉଛି I ସ୍ଥାନୀୟ ଲୋକ ଓ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ସମେତ ରାଜ୍ୟ ସରକାରଙ୍କ ଅନ୍ୟ ଅନୁଦାନରେ ମିଳୁଥିବା ଅର୍ଥ ରାଶି ସହାୟତାରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବା ସେ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଦ୍ବିତୀୟ ସତୀର୍ଥ ଶିକ୍ଷା କର୍ମଶାଳାକୁ ରାଉରକେଲା ଆୟୋଜନ କରୁଥିବାରୁ ଏହା ଆମ ମାନଙ୍କ ପାଇଁ ଗର୍ବର ବିଷୟ । ଏହି କର୍ମଶାଳାରେ ଆମେ ସମସ୍ତେ ସମସ୍ତଙ୍କ ଠାରୁ ଶିଖିବା, ଯାହା ଆମକୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାରେ ସହାୟକ ହେବ ଶ୍ରୀ ମହାପାତ୍ର ଆଶା ବ୍ୟକ୍ତ କରିଛନ୍ତି ।
ଇନ୍ଦୋର, ଜବଲପୁର, କାକିନାଡ଼ା, ୱାରଙ୍ଗଲ, ବେଙ୍ଗାଲୁରୁ, ହୁବ୍ବାଳି-ଧରୱାଡ, କୋଚି, ଭଦୋଦରା ଏବଂ କୋହିମା ସ୍ମାର୍ଟସିଟିର ପ୍ରତିନିଧିଙ୍କୁ ନେଇ ଆୟୋଜିତ ଏହି କର୍ମଶାଳାରେ ଉପସ୍ଥିତ ପ୍ରତିନିଧିମାନେ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ପ୍ରତିଯୋଗିତା ଅଧୀନରେ କାର୍ଯ୍ୟକାରୀ କରିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଉପଯୋଗିତା ଏବଂ ଏହାର କାର୍ଯ୍ୟକାରିତା ସମୟରେ ସମ୍ମୁଖୀନ ହୋଇଥିବା ଆହ୍ୱାନ ସମ୍ପର୍କିତ ଅନୁଭୂତି ବଖାଣିଥିଲେ I ବିଶେଷକରି ଅଙ୍ଗନୱାଡି କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ, ପାର୍କ ଭଳି ସ୍ଥାନରେ ଶିଶୁଙ୍କ ମାନସିକତା ଏବଂ ଶାରୀରିକ ବିକାଶ ଏବଂ ସେମାନଙ୍କୁ ସୁହାଇବା ଭଳି ଯେଉଁ ସବୁ କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଇଥିଲେ। । ଅନ୍ୟପକ୍ଷରେ ସ୍ବଳ୍ପ ଆୟକାରୀ ବର୍ଗର ଲୋକଙ୍କ ପିଲାଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା, ପ୍ରକଳ୍ପକୁ ଏକାଠି କରି ସ୍ମାର୍ଟସିଟି ସିଇଓ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାକୁ ପ୍ରଶଂସା କରିଥିଲେ ସ୍ମାର୍ଟ ସିଟି ମିଶନ୍, ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟ ଉପଦେଷ୍ଟା ଜିନ୍ନାଲ୍ ସାୱଲା ।
ସେହିପରି ଦେଶର ୧୦ ସ୍ମାର୍ଟସିଟିରେ ଶିଶୁ ଅନୁକୂଳ ପରିବେଶ ବିକଶିତ କରିବା ପାଇଁ ବେର୍ଣ୍ଣାଡ ଭାନ୍ ଲୀର ଫାଉଣ୍ଡେସନ୍ର ପକ୍ଷରୁ ଦିଆଯାଇଥିବା ବୈଷୟିକ ପରାମର୍ଶକୁ ପ୍ରଶଂସା କରିଛନ୍ତି ପୋଗ୍ରାମ ସପୋର୍ଟ ଆଣ୍ଡ ଲର୍ନିଂ ନିର୍ଦ୍ଦେଶିକା ଆନ୍ଦ୍ରେ ଟୋରେସ୍ । ଅନୁଷ୍ଠିତ କର୍ମଶାଳାରେ ସସ୍ଟେନବଲ୍ ସିଟିସ୍ ଆଣ୍ଡ ଟ୍ରାନ୍ସପୋର୍ଟ ପୋଗ୍ରାମ ନିର୍ଦ୍ଦେଶକ (ଡବ୍ଳ୍ୟୁଆରଆଇ ଇଣ୍ଡିଆ) ଶ୍ରୀକୁମାର ସ୍ବାମୀ ଶିବିରରେ ଯୋଗଦେଇ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ପ୍ରତିଯୋଗିତା ଆରମ୍ଭର ଆଭିମୁଖ୍ୟ ସଫଳ ହେଉଥିବା କହିଥିଲେ । ତେବେ ଶିବିରରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତିନିଧିମାନେ ରାଉରକେଲା ସହରର ରୁପୁଟୋଲା, ବାସନ୍ତୀ କଲୋନୀ ସ୍ଥିତ ଡିଏଭି ଏମସି, ଲେପରସି କଲୋନୀ ଓ ସେନ୍ସରୀ ପାର୍କରେ ଶିଶୁ ଅନୁକୂଳ ପ୍ରତିଯୋଗିତା ଅଧୀନରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ଏହାର ପ୍ରଶଂସା କରିଥିଲେ । ଏହା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଜାତୀୟ ଉପ କନିଷ୍ଠ ପ୍ରତିଯୋଗିତାର ହକି ମ୍ୟାଚ ଦେଖିଥିଲେ |
ସେହିଭଳି କର୍ମଶାଳାର ଦ୍ବିତୀୟ ଦିବସରେ ୧୦ ସ୍ବାର୍ଟସିଟି ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ସମୟରେ ସମ୍ମୁଖୀନ ହେଉଥିବା ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ଶେଷରେ ବେର୍ଣ୍ଣାଡ ଭାନ୍ ଲୀର ଫାଉଣ୍ଡେସନ୍ର (ଭାରତ) ପ୍ରତିନିଧି ଇପ୍ସିତା ସିହ୍ନା କର୍ମଶାଳାରେ ଯୋଗଦେଇଥିବାରୁ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ ।











