ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ ୟୁନିଟ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନସିଡ଼ି ସେଲ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସିଡିଏମ୍ - ପିଏଚଓ ଙ୍କ କାର୍ଯ୍ୟାଳୟ ପରିସରରୁ ଉଚ୍ଚ ରକ୍ତଚାପ ଠାରୁ ଦୂରେଇ ରହିବା ପାଇଁ ଏକ ସଚେତନତା ପ୍ରଚାର ଅଭିଯାନ ଗାଡ଼ିର ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ପ୍ରଚାର ଅଭିଯାନ ଗାଡ଼ିର ଶୁଭାରମ୍ଭ ବେଳେ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ଗଣ ଏବଂ ଏ ଏନ୍ ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ଥିଲେ।
ପରେ ପୂର୍ବାହ୍ନରେ ଏହି ଅବସରରେ ସିଡ଼ିଏମ୍-ପିଏଚଓ କାର୍ଯ୍ୟାଳୟର ପ୍ରଶିକ୍ଷଣ ୟୁନିଟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଚ୍ଚ ରକ୍ତଚାପ କଣ , ଏହା ମଣିଷ ଦେହରେ କାହିଁକି ହୋଇଥାଏ , ଏହାର କାରଣ , ନିରାକରଣ ଓ ସାବଧାନତା ଉପରେ କହି ଏହା ଏକ ନୀରବ ଘାତକ , ଏହି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଶାରିରୀକ ପରିଶ୍ରମ କରିବା ସହ ଲୁଣ ଓ ଚର୍ବି ଜାତୀୟ ଖାଦ୍ୟ କମାଇବା ସହ ଧୂମପାନ , ମଦ୍ୟପାନ ଓ ମାନସିକ ଅବସାଦ ଠାରୁ ଦୂରେଇ ରୁହନ୍ତୁ , ଏହା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା କରାଇ ଔଷଧ ଖାଇ ସୁସ୍ଥ ରହିବାକୁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚଓ ଡିସି- ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ , ଏଡିପିଏଚଓ - ଲେପ ଡ଼ାଃ ଇନ୍ଦିରା ମହାପାତ୍ର ଏବଂ ଡିପିମ୍ ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ଉଚ୍ଚ ରକ୍ତଚାପ କାହିଁକି ହୋଇଥାଏ , ଏହାର ଭୟାବହତା ଏବଂ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ କଣ ସବୁ ସତର୍କତା ଓ ସାବଧାନତା ପାଳନ କରିବାକୁ ହେବ , ସେ ସବୁର ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ , ଏ ଏନ ଏମ ପ୍ରଶିକ୍ଷଣ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 242











