ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ''ଜାତୀୟ ଡେଙ୍ଗୁ ଦିବସ''-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଡେଙ୍ଗୁ ଜ୍ଵର ପ୍ରତି ସତର୍କ ଓ ସାବଧାନତା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପ୍ରଚାର ଅଭିଯାନ ରଥ ବାହାରିଥିଲା। ଏହାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଗହଣରେ ସିଡ଼ିଏମ-ପିଏଚଓ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ପରେ ସହରର ୧୨ ନଂ-ୱାର୍ଡ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିସରରୁ ଏହି ଦିବସ ପାଳନ ଅବସରରେ ଏ ଏନ୍ ଏମ୍ ଶ୍ରୀମତୀ ବନଜା ବାସିନୀ ସେନାପତିଙ୍କ ନେତୃତ୍ୱରେ ଡେଙ୍ଗୁ ଜ୍ଵର ପ୍ରତି ସତର୍କ ଓ ସାବଧାନତା ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା।
ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଆରୋଗ୍ୟ ସମିତିର ସଭ୍ୟା ମାନଙ୍କ ସମେତ ଏ ଏନ୍ ଏମ୍ , ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ହେଲପର ମାନେ ସାମିଲ ଥିଲେ। ଶୋଭାଯାତ୍ରା ବେଳେ ମାଇଲ ଯୋଗେ ଅଞ୍ଚଳବାସୀଙ୍କୁ ଡେଙ୍ଗୁ ପ୍ରତି ସତର୍କ ଓ ସାବଧାନତା ସହ ତାର ଲକ୍ଷଣ ଓ ପ୍ରତିକାର ଉପରେ କହି ସଚେତନ କରାଇଥିଲେ।
ଏଥି ସମେତ ଅପରିଷ୍କାର ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଇବା ସହ ଯିବା ଆସିବା କରୁଥିବା ଲୋକ ମାନଙ୍କୁ ଡେଙ୍ଗୁ ରୋଗ ଉପରେ ସଚେତନତା ପାମ୍ପାଲେଟ ମାନ ବଣ୍ଟନ କରିଥିଲେ।
ପରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ଡେଙ୍ଗୁ ସହ ଲଢ଼ିବା ପାଇଁ ଭାଗିଦାରୀକୁ ଉପଯୋଗ କରିବା ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥି ସମେତ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଡେଙ୍ଗୁ ଉପରେ ବିଷଦ ଜ୍ଞାନ ଦେବା ଉଦ୍ଦେଶ୍ୟରେ ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ କାଶୀନଗର , ଗୋଷାଣୀ ଓ ଗୁମ୍ମା ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ ମାନଙ୍କର ସିଆରସିସି ଓ ଶିକ୍ଷକ ମାନଙ୍କୁ ନେଇ ଡେଙ୍ଗୁ ଜ୍ଵର ଉପରେ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସିଡିଏମ୍ -ପିଏଚଓ ଡ଼ାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମରେ ଡିପିଏଚଓ ଡ଼ାଃ ଏମ୍ ମୁବାରକ ଅଲ୍ଲୀ , ଡିଏମଓ-ଡିଏଚ୍ ଏଚ୍ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ- ଲେପ ଡ଼ାଃ ଇନ୍ଦିରା ମହାପାତ୍ର , ଏଡିପିଏଚଓ-ଡିସି ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ ଏବଂ ଡିପିଏମ୍ -ଏନ୍ ଏଚ୍ ଏମ୍ ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।
ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଡେଙ୍ଗୁ କଣ ଓ ଏହା କିପରି ବ୍ୟାପିଥାଏ , ଡେଙ୍ଗୁର ଲକ୍ଷଣ , ସତର୍କ ଓ ସାବଧାନତା ସହ ଏହାର ପ୍ରତିକାରର ବିଭିନ୍ନ ଦିଗ ସମ୍ପର୍କରେ କହି ସ୍ୱଚ୍ଛ ପରିବେଶ , ନିୟମିତ ମଶାରୀ ବ୍ୟବହାର ଏବଂ ଲକ୍ଷଣ ଦେଖା ଦେଲେ ତୁରନ୍ତ ନିକଟସ୍ତ ଚିକିତ୍ସାଳୟକୁ ଯାଇ ପରୀକ୍ଷା ଓ ଚିକିତ୍ସା କରାଇ ନେଲେ ଡେଙ୍ଗୁ କବଳରୁ ଆମେ ନିଜକୁ ସୁରକ୍ଷିତ ରଖିପାରିବା ବୋଲି କହିଥିଲେ।
ଏହି ସଚେତନତା ଶିବିର କାର୍ଯ୍ୟକ୍ରମରେ ଏଡିପିଏଚସିଓ ଶ୍ରୀ ନେତ୍ରାନନ୍ଦ ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ କାର୍ଯ୍ୟକ୍ରମର ଭିବିଡି କନସୁଲଟାଣ୍ଟ ଶ୍ରୀ ସିଦ୍ଧାର୍ଥ ଦାସ ପାୱାର ପଏଣ୍ଟ ମାଧ୍ୟମରେ ଡେଙ୍ଗୁର ବିଭିନ୍ନ ଦିଗ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦର୍ଶନ କରାଇ ସଚେତନ କରାଇବା ସହ କାର୍ୟ୍ୟକ୍ରମରେ ସଂଯୋଜନା କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ''ଜାତୀୟ ଡେଙ୍ଗୁ ଦିବସ''-୨୦୨୩ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 251











