ଜଟଣୀ ଏଖରାଜତ ମାହାଲ ଭୂସଂପତି ପ୍ରସଙ୍ଗ
ଭୁବନେଶ୍ୱର :ଜଟଣୀ ବିଧାୟକ ଶ୍ରୀ ସୁର ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ଏଖରାଜତ ମାହାଲ ଭୂସଂପତିର ମାଲିକାନା ପରିବର୍ତନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ଭେଟିଲେ ଜଟଣୀ ନାଗରିକ କମିଟି । ପ୍ରସଙ୍ଗ ଏହିକିଯେ ଜଟଣୀ ମୁ୍ୟନିସ୍ପାଲଟି ଏବଂ ଏହାର ପାଶ୍ୱବର୍ତୀ ଗ୍ରାମ ଯଥା ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ଭଁସର, ହରିରାଜପୁର, କୁଦିଆରୀ, ବୁଢ଼ାପଡ଼ା, କଂଟିଆ, ରଥିପୁର, କୁସମାଟି, ଛଣଘର, ଓଗରସୁଆଁ, ରାମଚନ୍ଦ୍ରପୁର, ଗୋପିନାଥପୁର, ନୂଆଗାଁ ଏବଂ ଅନ୍ୟାନ୍ୟ କିଛି ଗ୍ରାମର ଜନସାଧାରଣଙ୍କ ପୈତୃକ ସଂପତି ୨୦୧୨ ମସିହାରେ ଜଣେ ସେଟଲମେଂଟ ଅଫିସରଙ୍କର ତୃଟି ଯୋଗୁଁ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଗଲା । ଏଥିଯୋଗୁଁ ଜଟଣୀର ପ୍ରାୟ ଲକ୍ଷ ଲକ୍ଷ ପରିବାର ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଲେ । ଏହାର ସମାଧାନ ପାଇଁ ବର୍ଷବର୍ଷଧରି ଆନେ୍ଦାଳନ ଚାଲିଲା, ପ୍ରତବାଦ ମଧ୍ୟ ଚାଲିଲା ।
ଏହାର ସମାଧାନ ପାଇଁ ରାଜ୍ୟ କ୍ୟାବିନେଟରେ ଚୂଡ଼ାନ୍ତ ନିଷ୍ପତି ନିଆଯିବାପରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜଟଣୀ ନାଗରିକ କମିଟି ଭେଟିଥିଲା । ଏଠାରେ ପ୍ରକାଶଥାଉକି ସେହି ସ୍ଥିତିବାନ ସଂପତିକୁ ଫେରିବାପାଇଁ ନାଗରିକ କମିଟି ପକ୍ଷରୁ ଶ୍ରୀ ରାଉତରାୟ ଏବଂ ସେଠିକାର ଅନ୍ୟାନ୍ୟ ମୁରବୀ ସ୍ଥାନୀୟ ବ୍ୟକ୍ତିବିଶେଷ ଏବଂ ଯେଉଁମାନେ ଏହି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବର୍ଷବର୍ଷ ଧରି ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ରେଭିନୁ୍ୟ ସଚିବ, ଜିଲ୍ଲାପାଳ ଏବଂ ଏଥିସହ ସଂପୃକ୍ତ ସମସ୍ତ ସରକାରୀ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କଲେ ।
କ୍ଷତିଗ୍ରସ୍ତ ଲୋକେ ଯେଉଁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ତାର ସୀମା ନାହିଁ । ପୁଅ ବାହାଘର, ଝିଅ ବାହାଘର, ସୁଧିକ୍ରିୟା, ବ୍ରତ, ପାଠପଢ଼ା, ରୋଗୀ ଚିକିତ୍ସା ପ୍ରଭୃତି କୌଣସି ସାମାଜିକ କାର୍ଯ୍ୟରେ ମଧ୍ୟ ପୈତୃକ ସଂପତିର ବିକ୍ରୟ କରିପାରିଲେ ନାହିଁ । ସେପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୌଣସି ଉନ୍ନୟନ ଯୋଜନା ଏହି ଅଂଚଳରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ରାସ୍ତାର ପୁନରୁଦ୍ଧାର, କମୁ୍ୟନିଟି ସେଂଟର, ଖେଳପଡ଼ିଆର ଉନ୍ନତିକରଣ, ଆବାସ ଯୋଜନା ପ୍ରଭୃତି କ୍ଷେତ୍ରରେ କୌଣସି ସରକାରୀ କାର୍ଯ୍ୟ ଏ ଅଂଚଳରେ ହୋଇପାରିଲା ନାହିଁ ।
ଏଥିପାଇଁ ରାଜଧାନୀରେ ବାରମ୍ବାର ଆନେ୍ଦାଳନ ହେଲା, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଶ୍ରୀ ରାଉତରାୟଙ୍କ ସମେତ ସମସ୍ତ କ୍ଷତିଗ୍ରସ୍ତ ଲୋକେ ସମୁହ ଆତ୍ମଦାହ କରିବେ ବୋଲି ନିଷ୍ପତି ନେଇଥିଲେ । ସରକାର ଏହି ଦାବିକୁ ବିଚାରକୁ ନେଲେ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ଅନେକଥର ଶ୍ରୀ ରାଉତରାୟଙ୍କ ସହ ଆଲୋଚନା ସମୟରେ ଘଟଣାର ସମାଧାନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସଂକେତ ଦେଇଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ ୧୫୬ ଗୋଟି ମୌଜା ଏଖରାଜତ ମାହାଲ ଥିଲା । ଓଡ଼ିଶା ସରକାର ଜମିଦାରୀର ଉଚ୍ଛେଦ ପରେ ୧୨୦ ଟି ମୌଜାର ୧୯୬୨-୬୫ ରେକର୍ଡଭୁକ୍ତ ରୟତ ମାନଙ୍କୁ ଚୂଡ଼ାନ୍ତ ପ୍ରକାଶିତ ରୟତି ପଟା ପ୍ରଦାନ କରିଛନ୍ତି । ଅର୍ଥାତ ୧୨୦ଟି ମୌଜାର ଲୋକମାନେ ତାଙ୍କର ପୈତୃକ ସଂପତି ଫେରିପାଇଛନ୍ତି । ମାତ୍ର ବାକି ୩୬ ଟି ମୌଜା ଉକ୍ତ ମାହାଲାର ଜମିଦାରୀ ଉଚ୍ଛେଦପରେ ନିଜର ପୈତୃକ ସଂପତିର ବିକାକିଣା କରିବାର ଅଧିକାର ପାଇଥିଲେ କିନ୍ତୁ ହଠାତ ଜଣେ ସେଟଲମେଂଟ ଅଫିସରଙ୍କ ତ୍ରୁଟି ଯୋଗୁଁ ୨୦୧୨ ମସିହାରୁ ଜମିର ବିକାକିଣା ସବୁ ବନ୍ଦ ହୋଇଗଲା । ଏହି ଜମିକୁ ଜଗନ୍ନାଥଙ୍କ ନାମରେ କରିଦିଆଗଲା । ମାନ୍ୟବର ମୁଖ୍ୟ ଶାସନ ସଚିବ ଏସବୁ ଘଟଣାକୁ ବୁଝି ଆଜି ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା ଖୁବଶୀଘ୍ର ହେବ ଏବଂ କ୍ଷତିଗ୍ରସ୍ତ ଲୋକଙ୍କର ସୁବିଧା ପାଇଁ ଖୁବ୍ଶୀଘ୍ର ଘଟଣାର ଆଶୁ ସମାଧାନ ହେବ । ଆଜିର ବୈଠକରେ ପଦ୍ମଚରଣ ସୁବୁଦ୍ଧି, ବିବେକାନନ୍ଦ ବଡ଼ଜେନା, ବୃନ୍ଦାବନ ସାହୁ, କଳିଙ୍ଗ ସାହୁ, ଲୁସେନ ରାୟ, ହଟକିଶୋର ପ୍ରଧାନ, ସୁନିଲ କୁମାର ରାଉତରାୟ, ନୌସରୀ ଅଲ୍ଲି, ଏମଡୀ ନଜିଦ ଓ ବସନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ











