ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ-୨୦୨୩ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ପ୍ରଗତିଶୀଳ ନୀତି ଢାଞ୍ଚା ଓଡ଼ିଶାକୁ ଏକ ପ୍ରମୁଖ ଟେକ୍ନୋଲୋଜି ହବରେ ପରିଣତ କରିବାରେ ସହାୟକ ହୋଇଛି –ମୁଖ୍ୟମନ୍ତ୍ରୀ

  • • ଓଡ଼ିଶାର ପ୍ରଗତିରେ ଶତମୁଖ ନିବେଶକ ଏବଂ ବୈଷୟିକ ବିଶେଷଜ୍ଞ

  • • ଇ-ଗଭର୍ଣ୍ଣାନ୍ସ, ଇଲେକ୍ଟ୍ରୋନିକ୍ସ, ଆଇଟି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ

  • • ସମ୍ମାନିତ ହେଲେ ୨୦ ରୁ ଉର୍ଦ୍ଧ୍ୱ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ

ଭୁବନେଶ୍ୱର: ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ୍ ଟାଇମ୍ସର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରେସ୍ଥିତ ହୋଟେଲ ‘ଭିଭାନ୍ତା’ ଠାରେ “ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ” ର ଦ୍ୱିତୀୟ ସଂସ୍କରଣ ଆୟୋଜନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍‍ଘାଟନ କରିବା ସହିତ ଭିଡ଼ିଓବାର୍ତ୍ତା ମାଧ୍ୟମରେ ଶୁଭେଛା ଜଣାଇଥିଲେ । ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସେ ସମସ୍ତ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମାରୋହରେ ଯୋଗଦେଇଥିବା ପ୍ରତିନିଧି ଓ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ଅଭିନବ କେନ୍ଦ୍ର ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର( ଟେକ୍ନୋଲୋଜି ହବ୍) ଭାବରେ ଉଭା ହୋଇଛି । ଇନଫୋସିସ୍, ଟିସିଏସ୍, ଟେକ୍ ମହିନ୍ଦ୍ରା ଭଳି ବଡ଼ ବଡ଼ ଆଇଟି କମ୍ପାନି ରାଜ୍ୟରୁ ସଫ୍ଟୱେର ରପ୍ତାନୀରେ ଯୋଗଦାନ କରୁଥିବାରୁ ବର୍ଷ ବର୍ଷ ଧରି ସେମାନେ କ୍ରମାଗତ ଭାବେ ଅଭିବୃଦ୍ଧି କରୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଅନେକ ଘରୋଇ ଆଇଟି କଂପାନି ବ୍ୟବସାୟିକ ପରିପକ୍ୱତା, ବଜାର ଅଧିଗ୍ରହଣ ଏବଂ ଗୁଣାତ୍ମକମାନ ଦୃଷ୍ଟିରୁ ମୂଲ୍ୟ ଶୃଙ୍ଖଳାରେ ଉନ୍ନତି ଆଣିଛନ୍ତି । ଏହା ରାଜ୍ୟର ଆଇଟି କ୍ଷେତ୍ରର ରୂପାନ୍ତରଣର ଏକ ସ୍ପଷ୍ଟ ସଙ୍କେତ । ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ଆମର ପ୍ରଗତିଶୀଳ ନୀତି ଢାଞ୍ଚା ଅନେକ ଆଗଧାଡ଼ିର ଆଇଟି ଏବଂ ଆଇବିଏମ, ଡେଲୋଇଟ୍ ଏବଂ କନସେଣ୍ଟ୍ରିକ୍ସ ଭଳି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ମୋ ସରକାର ଗୁରୁତ୍ୱ ଦେଉଛି । ରାଜ୍ୟକୁ ୧୦.୫ ଲକ୍ଷ କୋଟି ରୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିବାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ର ବଡ଼ ସଫଳତା, ପ୍ରକୃତରେ ଓଡ଼ିଶାର ପରିବର୍ତ୍ତନ ଏବଂ ନୂତନ ଓଡ଼ିଶାର ଆଗମନକୁ ଦର୍ଶାଉଛି । ବିଶ୍ୱସ୍ତରୀୟ ଦକ୍ଷତା, ନୂଆ ଦକ୍ଷତା ଏବଂ ଉନ୍ନତ ଦକ୍ଷତା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମର ପ୍ରତିଭା ସମ୍ୱଳମାନକୁ ଗୁଣାତ୍ମକ ଏବଂ ସଂଖ୍ୟାତ୍ମକ ଭାବରେ ସୁଦୃଢ଼ କରୁଛୁ, ଯାହା ଦ୍ୱାରା ଶିଳ୍ପକୁ ମାନବ ସମ୍ବଳ ନିଯୁକ୍ତି ପାଇଁ ଅଧିକ ଦୂରକୁ ଚାହିଁବାକୁ ପଡିବ ନାହିଁ । 'ସ୍କିଲ୍ଡ ଇନ୍ ଓଡ଼ିଶା' ଆଜି ଶିଳ୍ପ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଉଭୟ ସ୍ୱଳ୍ପ କାଳୀନ ଓ ଦୀର୍ଘମିଆଦୀ ପାଠ୍ୟକ୍ରମରେ ପ୍ରାୟ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯାଇଛି । ରାଜ୍ୟ ସରକାରଙ୍କଦ୍ୱାରା ଅନେକ ଲୋକାଭିମୁଖୀ ଯୋଜନାରେ ପ୍ରକୃତ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଡିଜିଟାଲ ମାଧ୍ୟମକୁ ଗୁରୁତ୍ଵ ଦିଆଯାଉଛି । ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାର ଅନ୍ତର୍ଭୁକ୍ତ କରାଇବା ପାଇଁ ରାଜ୍ୟସରକାର ନିରନ୍ତର ଚେଷ୍ଟିତ । ତୃଣମୂଳ ସ୍ତରରେ ସରକାରୀ ଯୋଜନା ଉପଲବ୍ଧ କରାଇ ଲୋକଙ୍କ ଜୀବନଶୈଳୀରେ ଅନେକ ଉନ୍ନତି ଓ ପରିବର୍ତ୍ତନ କରାଯାଉଛି । ସାଧାରଣ ଲୋକଙ୍କ ଜୀବନରେ ହେଉଥିବା ଏହି ବାସ୍ତବ ଉନ୍ନତି ଓ ପରିବର୍ତ୍ତନକୁ ସାମାଜିକ ପ୍ରଗତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଉଦ୍‍ଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ତଥା ଗୃହ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସ୍ଵତନ୍ତ୍ର ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟରର ସିଇଓ ଶ୍ରୀ ମନୋଜ ପଟ୍ଟନାୟକ, ଦି ଇକୋନୋମିକ୍ ଟାଇମ୍ସର ସମ୍ପାଦକ ଶ୍ରୀ ଅନୁପ ବର୍ମା ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଇଣ୍ଡିଆ ଇଲେକ୍ଟ୍ରୋନିକସ ସେମି କଣ୍ଡକ୍ଟର ଆସୋସିଏସନ ମଧ୍ୟରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା । ଏହାଦ୍ୱାରା ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି, ନବସୃଜନ ବୃଦ୍ଧି ଏବଂ ଓଡ଼ିଶାକୁ ଜାତୀୟ ସ୍ତରରେ ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା କ୍ଷେତ୍ରରେ ସହାୟକ ହେବ । ଆହୁରି ମଧ୍ୟ କନକ୍ଲେଭରେ ଭିଏଲଏସଆଇ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ଚାପ୍ଟର ଆରମ୍ଭ ଘୋଷଣା କରାଯାଇଥିଲା ।
ପରେ ପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ରାଜ୍ୟ ସରକାରଙ୍କ ଅନେକ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପ, ଜନସେବା ଯୋଗାଇବା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ, ଓଡ଼ିଶାରେ ନିବେଶ ପାଇଁ ସୁଯୋଗ ଏବଂ ଡିଜିଟାଲ ସ୍ୱାକ୍ଷରତା କ୍ଷେତ୍ରରେ ଜନ-ସଚେତନା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଏବଂ ସଫଳ ଆଲୋଚନା ହୋଇଥିଲା । ନୂତନ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିବା ସରକାରଙ୍କ ପ୍ରମୁଖ ନୀତି-ନିର୍ମାତା ଏବଂ ସର୍ବୋତ୍ତମ ଆଇସିଟି ଜ୍ଞାନକୌଶଳ ତଥା ପ୍ରୟୋଗ କ୍ଷେତ୍ରରେ ଥିବା ଉଦ୍ୟୋଗୀମାନଙ୍କୁ ଏକାଠି କରିବା ଏହି ଟ୍ରାନ୍ସଫର୍ମିଂ ଓଡ଼ିଶା କନକ୍ଲେଭର ଅନ୍ୟତମ ଉଦ୍ଦେଶ୍ୟ । ଆହୁରି ମଧ୍ୟ ସରକାର ଏବଂ ବୈଶ୍ୱିକ ଡିଜିଟାଲ ଶିଳ୍ପ ମଧ୍ୟରେ ହେବାକୁ ଯାଉଥିବା ସମନ୍ୱୟ ଦ୍ୱାରା ଶାସନ ପରିଚାଳନା ବ୍ୟବସ୍ଥାର ଉନ୍ନତିକରଣ ତଥା ଦକ୍ଷତା ବୃଦ୍ଧିରେ ଏହା ସହାୟକ ହେବ । ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ପ୍ରଯୁକ୍ତିବିଦ୍ୟା ନୀତି ଏବଂ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ ପ୍ରତିବର୍ଷ ହାରାହାରି ୧୦ ଲକ୍ଷ ଯୁବକ-ଯୁବତୀ ଉତ୍ତୀର୍ଣ୍ଣ ହେବାର ଫଳସ୍ୱରୂପ ସୃଷ୍ଟି ହୋଇ ଚାଲିଥିବା ଦକ୍ଷ ଶ୍ରମଶକ୍ତିର ବିଶାଳ ଭଣ୍ଡାର ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରୁଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।
ରାଜ୍ୟ ତଥା ରାଜ୍ୟବାହାରୁ ଅନେକ ପ୍ରତିଷ୍ଠିତ ଉଦ୍ୟୋଗୀ, ଶିକ୍ଷାବିତ୍‍, ବୈଷୟିକ ବିଶେଷଜ୍ଞ ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ। ଏଥିରେ ଯୋଗ ଦେଇଥିବା ପ୍ରମୁଖ ଅତିଥିମାନେ ନିଜର ସୂଚନାତ୍ମକ ଓ ପ୍ରେରଣାଦାୟୀ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ଆଗାମୀ ସମାଜ ପାଇଁ ବିଶାଳ ଡିଜିଟାଲ ପରିବର୍ତ୍ତନ ପ୍ରୟାସକୁ ଫଳପ୍ରଦ କରୁଥିବା ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ପ୍ରୋତ୍ସାହନ ଏବଂ ପ୍ରମୁଖ ଘରୋଇକ୍ଷେତ୍ରଗୁଡିକରେ ସର୍ବୋତ୍ତମ ଆଇସିଟି କାର୍ଯ୍ୟପ୍ରଣାଳୀ ବିଷୟରେପ୍ୟାନେଲ ଆଲୋଚନା ଏବଂ ଉପସ୍ଥାପନା ଅବସରରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ମଧ୍ୟପ୍ରଦେଶ, ଏବଂ ପଶ୍ଚିମ ବଙ୍ଗ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରତିନିଧି ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।ସମାବେଶରେ ରାଜ୍ୟ ତଥା ରାଜ୍ୟବାହାରୁ ୨୫ରୁ ଊର୍ଦ୍ଧ୍ୱ ବକ୍ତା ଏବଂ ୪୦୦ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । ଏହି ସମାବେଶରେ ୫ଗୋଟି ଆଲୋଚନା ଚକ୍ର, ଯଥା- ଓଡ଼ିଶାର ଡିଜିଟାଲ ସମ୍ପ୍ରସାରଣ କ୍ଷେତ୍ରରେ ଥିବା ଆହ୍ୱାନ ଓ ସୁଯୋଗ, ଆଇଟି ଏବଂ ଇଏସ୍‍ଡିଏମ୍‍ ଇକୋସିଷ୍ଟମର ବ୍ୟାପକ ସମ୍ପ୍ରସାରଣ, ସେମିକଣ୍ଡକ୍ଟର କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି, ସାଇବର ସୁରକ୍ଷା, ମୂଲ୍ୟବାନ୍‍ ସରକାରୀ ତଥ୍ୟର ସୁରକ୍ଷା, ଜନସେବାରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଥିବା ସୁଯୋଗ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏକ ସ୍ଵତନ୍ତ୍ର ଉପସ୍ଥାପନା କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଗୁଣାତ୍ମକ ମାନର ଉନ୍ନତି, ଆଇଟିଆଇ, ପଲିଟେକ୍ନିକ୍ସ, ଇଞ୍ଜିନିୟରିଂ କଲେଜ ମାଧ୍ୟମରେ ବୈଷୟିକ ଶିକ୍ଷା ତଥା ରାଜ୍ୟର ଉଦୀୟମାନ ଶିଳ୍ପାଞ୍ଚଳରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବିଷୟରେ ଉପସ୍ଥାପନା କରିଥିଲେ । କ୍ରୀଡା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭିନୀଲ କ୍ରିଷ୍ଣା ରାଜ୍ୟ ସରକାରଙ୍କ ସଫଳତା, ଆଭିମୁଖ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ସଂକ୍ଷେପରେ ଉପସ୍ଥାପନା କରିଥିଲେ ।
ଏହି କର୍ମଶାଳାରେ ୫ଗୋଟି ଶୀର୍ଷକରେ ଆଲୋଚନା କରାଯାଇଥିଲା । ୨୫ରୁ ଉର୍ଦ୍ଧ୍ୱ ବକ୍ତା ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ । ବକ୍ତାମାନଙ୍କ ମଧ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ର, ସ୍ଵତନ୍ତ୍ର ସଚିବ ଶ୍ରୀ ପଣ୍ଡା,ଶ୍ରୀ ଅମିତ ଲାଲ - ଫ୍ରେସ୍‍ଓ୍ୱାର୍କ, ଶ୍ରୀମତୀ ଅଦିତୀ ଓବରୟ -ଫ୍ରେସ୍‍ଓ୍ୱାର୍କ, ଡକ୍ଟର ଓମ୍‍କାର ରାଏ -ଷ୍ଟାର୍ଟଅପ ଓଡ଼ିଶା, ସବା କରିମ୍ – କ୍ଷେତ୍ର ମୁଖ୍ୟ, ଲିଙ୍କିଡ୍‍ଇନ୍‍ ଇଣ୍ଡିଆ, ହିତେଶ ବୈଦ୍ୟ – ଏସର୍‍, ମନୋଜ କୁମାର ପଟ୍ଟନାୟକ – ଓକାକ୍‍, ଓଡ଼ିଶା ସରକାର, ପ୍ରଫେସର ଶ୍ରୀପଦ କରମଲ୍‍କାର୍‍ – ଆଇ.ଆଇ.ଟି, ଭୁବନେଶ୍ୱର , ରାଜିବ୍‍ ଖୁସୁ – ଟେକ୍ସସ୍‍ ଇନଷ୍ଟ୍ରୁମେଣ୍ଟସ୍‍, କେ. କ୍ରିଷ୍ଣା ମୂର୍ତ୍ତି – ଆଇ.ଇ.ଏସ୍‍.ଏ, ଡକ୍ଟର ସତ୍ୟ ଗୁପ୍ତା –ଭି.ଏଲ.ଏସ୍‍.ଆଇ ସୋସାଇଟି ଅଫ୍‍ ଇଣ୍ଡିଆ, ସେଫିନ୍‍ ଅହମ୍ମଦ କେ – ଓଡ଼ିଶା ପୋଲିସ୍‍, ଏୟାର କମରେଡ୍‍ ଏନ୍‍.କେ ପର୍‍ହି – ଆଇ.ଆଇ.ଜି ଟେକ୍ନୋଲୋଜି, ସ୍ନିଗ୍ଧା ଆଚାର୍ଯ୍ୟ – ଏନ୍‍.ଆଇ.ସି, ଭୁବନେଶ୍ୱର, ସଜିଭ୍‍ ନାୟର୍‍ – ଇ.ଏସ୍‍.ଡି.ଏସ୍‍ ସଫ୍ଟଓ୍ୱେୟାର ସଲ୍ୟୁସନ୍‍ ଲିମିଟେଡ୍‍, ଦିଗ୍‍ବିଜୟୀ ସିଂ ଚୁଡାସାମା – ଡିଲୋଇଟି ଇଣ୍ଡିଆ, ସଞ୍ଚୟ କୁମାର ମିଶ୍ର – ଓ.ପି.ଟି.ସି.ଏଲ୍‍, ସଞ୍ଚୟ ରାକେଶ – ସି.ଏସ୍‍.ସି ଇ-ଗର୍ଭାନ୍‍ନାସ୍‍ ସର୍ଭିସେସ୍‍ ଇଣ୍ଡିଆ ଲିମିଟେଡ୍‍, ସତ୍ୟ ପ୍ରିୟା ରଥ – ଓଡ଼ିଶା ସରକାର, ଡକ୍ଟର ଅଶୋକ କୁମାର ହୋତା – ଏନ୍‍.ଆଇ.ସି, ଓଡ଼ିଶା, ଦେବପ୍ରିୟ ନନ୍ଦନ – ଓରାକଲ, ଇଣ୍ଡିଆ, ରେଘୁ ଜୀ – ଓଡ଼ିଶା ସରକାର, ଡକ୍ଟର ମନୋରଞ୍ଜନ ପୁଥଲ – ଓ.କେ.ସି.ଏଲ, ପ୍ରଫେସର ପି.କେ ନନ୍ଦ – ଶିକ୍ଷା ‘ଓ’ ଅନୁସନ୍ଧାନ ଡିମଡ୍‍, ହିତେଶ ବୈଦ୍ୟ – ଏସର୍‍, ଡକ୍ଟର ସରୋଜକାନ୍ତ ମିଶ୍ର – ସିଲିକନ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି, ଦେବେନ୍ଦ୍ର ମହନ୍ତ – ଇନାହୋ ଡିଜିଟାଲ ସଲ୍ୟୁସନ୍‍, ଜାପାନ, ସାକ୍ୟସିଂଘ ମହାପାତ୍ର – ସାକ୍‍ରୋବୋଟିକ୍ସ୍‍ ଲ୍ୟାବ ପ୍ରାଇଭେଟ୍‍ ଲିମିଟେଡ୍‍, ଅନୁଭବ ପଟ୍ଟନାୟକ – ଉପଦେଷ୍ଟା ଓଡ଼ିଶା ସରକାର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଏସଟିପିଆଇ ପକ୍ଷରୁ ଏକ ରପ୍ତାନି ପୁରସ୍କାର ଉତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା । ପୁରସ୍କାର ବିତରଣୀ ଅବସରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ସ୍ଵତନ୍ତ୍ର ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା, ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ, ଏସ୍‍.ଟି.ପି.ଆଇ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ କୁମାର ପଟ୍ଟନାୟକ ଉପସ୍ଥିତ ରହି କମ୍ପାନୀମାନଙ୍କୁ ପୁରସ୍କୃତ କରିଥିଲେ । ରାଜ୍ୟ ତଥା ରାଜ୍ୟବାହାରୁ ଅନେକ ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗୀ, ଅନୁସନ୍ଧାନକାରୀ, ନୀତି-ନିର୍ମାତା ଏବଂ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

0
0
0
s2sdefault