ଦୁବାଇରୁ ଓଡ଼ିଶା ଫେରିଲା ପ୍ରବାସୀ ଓଡ଼ିଆଙ୍କ ମୃତ ଶରୀର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଦୁବାଇରେ ପ୍ରାଣ ହରାଇଥିବା ପ୍ରବାସୀ ଓଡ଼ିଆଙ୍କ ମୃତଶରୀର ଓଡ଼ିଶା ଫେରାଇ ଆଣିଛି ଓଡ଼ିଶା-ମୋ ପରିବାର, ତା’ ସହିତ କମ୍ପାନୀ ପକ୍ଷରୁ କ୍ଷତିପୂରଣ ପାଇବାରେ ମଧ୍ୟ ପରିବାରକୁ ସାହାଯ୍ୟ କରାଯାଇଛି ।

ଗଞ୍ଜାମ ଜିଲ୍ଲା ମାର୍ଡାକୋଟ ରୁ ଜଣେ ୫୨ବର୍ଷୀୟ ପ୍ରବାସୀ ଶ୍ରମିକ ଧ୍ରୁବ ଚରଣ ବରାଡ ଗତ ଏପ୍ରିଲ ୨୬ ତାରିଖରେ ଦୁବାଇରେ ହୃଦ୍ ଘାତରେ ପ୍ରାଣ ହରାଇଥିଲେ । ସେ ଜିସିସି କଣ୍ଟ୍ରାକ୍ଟିଂ କମ୍ପାନୀରେ କାମ କରୁଥିଲେ । ଧ୍ରୁବଙ୍କର ଏହି ଅଚାନକ ମୃତ୍ୟୁରେ ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ଏବଂ ଶେଷ ସମୟରେ ତାଙ୍କ ମୁହଁ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ । ଅର୍ଥାଭାବ ଯୋଗୁଁ ପରିବାରବର୍ଗ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କର ସହାୟତା ଲୋଡ଼ିଥିଲେ ।
ଶ୍ରୀମତୀ ପ୍ରଧାନ ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ସୂଚନା ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ତଥା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡ଼ଃ ଅରୁଣ କୁମାର ପ୍ରହରାଜଙ୍କୁ ଧ୍ରୁବଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥିଲା । ଡ଼ଃ ପ୍ରହରାଜ ତୁରନ୍ତ ଭାରତୀୟ ଦୂତାବାସ ଏବଂ ଜିସିସି କମ୍ପାନୀ ସହିତ ସମନ୍ଵୟ ରକ୍ଷା କରି ସମସ୍ତ ପୋଷ୍ଟମୋର୍ଟମ ରିପୋର୍ଟ, ଫୋରେନ୍ସିକ ରିପୋର୍ଟ, ଭାରତୀୟ ଦୂତାବାସ କ୍ଲିୟରାନ୍ସ ପାଇବାରେ ସାହାଯ୍ୟ କରିବା ସହିତ ଗତ ମେ’ ୧୦ତାରିଖରେ ତାଙ୍କୁ ବିମାନ ଯୋଗେଁ ବିଶାଖାପାଟଣା ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ଗ୍ରାମକୁ ଫେରାଇ ଆଣିଛନ୍ତି । ତାଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ଧ୍ରୁବଙ୍କ ମୃତ୍ୟୁର କ୍ଷତିପୂରଣ ପାଇବାରେ ମଧ୍ୟ ସହାୟତା ଯୋଗାଇ ଦିଆଯିବା ସହିତ ପରବର୍ତ୍ତୀ ସମୟରେ ତାଙ୍କ ପୁଅଙ୍କୁ, କୌଣସି ଏକ ସ୍ଥାନରେ ନିଯୁକ୍ତି ଯୋଗାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି ଡ଼ଃ ପ୍ରହରାଜ ।
ମୃତଦେହ ଦୁବାଇରୁ ବିମାନ ଯୋଗେ ବିଶାଖାପାଟଣାରେ ପହଞ୍ଚିବା ପରେ, ସେଠାରୁ ଓଡ଼ିଶା ଫେରିବା ନିମନ୍ତେ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ପ୍ରକାଶ ଆବଶ୍ୟକୀୟ କାଗଜପତ୍ର ପୂରଣ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ । ଏହି ସମସ୍ତ ପ୍ରକ୍ରିୟା ସରିବା ପରେ ଧ୍ରୁବଙ୍କ ମୃତଶରୀର ଓଡ଼ିଶା ଫେରିଥିଲା ଏବଂ ଗଞ୍ଜାମସ୍ଥିତ ତାଙ୍କ ଜନ୍ମସ୍ଥାନରେ ପହଞ୍ଚିବା ପରେ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନ ସମୟରେ ପରିବାର ସହ ଛିଡ଼ା ହୋଇଥିଲେ ।

0
0
0
s2sdefault