ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସର ପ୍ରଶ୍ନ: ଝାରସୁଗୁଡ଼ା ବାସୀଙ୍କୁ କେବେ ମିଳିବ ନ୍ୟାୟ ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନୀବନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାରସୁଗୁଡ଼ା ସମସ୍ୟା ସଂକ୍ରାନ୍ତୀୟ କେତୋଟି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ନେତୃବୃନ୍ଦ | ତୁରନ୍ତ ସେ ସବୁର ଉତ୍ତର ଝାରସୁଗୁଡା ବାସୀ ଓ ଓଡ଼ିଶାବାସୀଙ୍କୁ ଦେବାପାଇଁ ଆହ୍ବାନ ଦେଇଛନ୍ତି |
ଆଜି ପ୍ରଦେଶ କଂଗ୍ରେସ କମିଟି ତରଫରୁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଅଫିସରେ ପିସିସି ମିଡିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ, କଂଗ୍ରେସ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ବରଗଡ଼ ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ଦେବତା ପ୍ରଶ୍ନ ପଚାରିଥିଲେ । ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ଯେ ଝାରସୁଗୁଡ଼ା ବାସୀଙ୍କୁ ନ୍ୟାୟ ମିଳିବ କେବେ? କେବେ ଜଣାପଡ଼ିବ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ? କେବେ ଚିହ୍ନଟ ହେବେ ହତ୍ୟାକାଣ୍ଡର ସଂପୃକ୍ତ ଷଡଯନ୍ତ୍ରକାରୀ? କେବେ ପ୍ରତିନିଧି ବିହୀନ ଝାରସୁଗୁଡ଼ା ବାସୀ ଅବଗତ ହେବେ ହତ୍ୟାକାଣ୍ଡର ତଦନ୍ତ ଅଗ୍ରଗତି? କେବେ ଭାଙ୍ଗିବ ଏପରି ଏକ ଅଭୂତପୂର୍ବ ହତ୍ୟା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିରବତା? ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କଂଗ୍ରେସ ଉତର ଚାହୁଁଛି । ଦ୍ୱିତୀୟରେ କାହିଁକି ନିଯୁକ୍ତିରୁ ବଂଚିତ ଝାରସୁଗୁଡ଼ା ଅଂଚଳର ବେକାର ଯୁବକ ଯୁବତୀ? କାହିଁକି ସେମାନଙ୍କ ପ୍ରତି ଅବିଚାର? କାହିଁକି ବେସରକାରୀ କଳକାରଖାନାରେ ୭୫ ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ଚୁକ୍ତିନାମା ସତ୍ୱେ ୭୫ ପ୍ରତିଶତ ନିଯୁକ୍ତି ମିଳୁନାହିଁ? ଦ୍ୱିତୀୟରେ କାହିଁକି ପରିବେଶ ଆଇନ ଓ ଶିଳ୍ପ ସଂସ୍ଥାମାନଙ୍କ ସହ ହୋଇଥିବା ଚୁକ୍ତିନାମାର ଖୋଲା ଉଲ୍ଲଙ୍ଘନ? କାହିଁକି ଶିଳ୍ପ ସଂସ୍ଥାରୁ ନିର୍ଗତ ପାଉଁଶ ଗଦାରେ ପୋତିହୋଇଗଲାଣି ଝାରସୁଗୁଡ଼ାର ପ୍ରାକୃତିକ ଜଳାଶୟ? ଲୋକଙ୍କ ଜୀବନ ଓ ଜୀବିକା ପ୍ରତି କାହିଁକି ସରକାରୀ ଉଦାସୀନତା? ଶେଷରେ ଶ୍ରୀଯୁକ୍ତ ବେହେରା ଚାଷୀମାନଙ୍କ ପ୍ରସଙ୍ଗରେ ପ୍ରଶ୍ନ ଉତର କରିଥିଲେ ଯେ କେଉଁ ଅପରାଧ ପାଇଁ ଦୀର୍ଘ ୨୩ ବର୍ଷ ଶାସନରେ ଦୂର ହେଲା ନାହିଁ ଚାଷୀଙ୍କ ଦୁର୍ଦ୍ଦଶା?
ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ ଯେ ରାଜ୍ୟରେ ଏବଂ ବିଶେଷକରି ଝାରସୁଗୁଡ଼ାରେ କାହିଁକି ଭୁଷୁଡ଼ି ପଡ଼ିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା? କାହିଁକି ପ୍ରାଣ ହରାଇଲେ ପୋଲିସ ଗୁଳିରେ ଜଣେ ବରିଷ୍ଠ ରାଜନେତା ତଥା ମନ୍ତ୍ରୀ? ଭୟ ଓ ଆତଙ୍କର ପରିବେଶ କାହିଁକି ରାଜୁତି କରୁଛି ଝାରସୁଗୁଡ଼ାରେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହାର ଜବାବ ଆମେ ଚାହୁଁ? ଏଥିସହ ଶ୍ରୀଯୁକ୍ତ ପଟ୍ଟନାୟକ ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସୁନ୍ଦରଗଡ଼ ଜିଲ୍ଲାରେ ଝାରସୁଗୁଡ଼ା ଜିଲ୍ଲା ଅଧିବାସୀଙ୍କୁ ବାହାର ଲୋକ କହି ଘୋଉଡାଇଦେଇଥିବା ବେଳେ ଆଜି କେଉଁ ଅଧିକାରରେ ସେହି ବାହାର ଲୋକଙ୍କ ଠାରୁ ସମର୍ଥନ ମାଗୁଛନ୍ତି?
କଂଗ୍ରେସର ଯୁବନେତା ତଥା ବରଗଡ଼ର ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା ଏହି ସମ୍ମିଳନୀରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଉପସ୍ଥାପନା କରି ଉଲ୍ଲେଖ କରିଥିଲେ ଯେ ଝାରସୁଗୁଡ଼ା ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ସରକାରୀ ମହାବିଦ୍ୟାଳୟ ନଥିବା ଦୁଃଖଦାୟକ । ଏତଦ୍‌ବ୍ୟତୀତ ବେଦାନ୍ତ ଶିଳ୍ପସଂସ୍ଥା ଶତକଡ଼ା ୯୦ ଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ତାହାର ଏକ ତୃତୀୟାଂଶ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲାନାହିଁ ଏହା କ’ଣ ଝାରସୁଗୁଡ଼ା ପ୍ରତି ଅନ୍ୟାୟର ନମୁନା ନୁହେଁ ।
ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ସମ୍ବାଦ ପତ୍ରରେ କଂଗ୍ରେସ ନିର୍ବାଚନୀ ଖବର ସ୍ଥାନ ପାଉନଥିବା ଚିନ୍ତା ପ୍ରକଟ କରିଥିଲେ । ସେ ଉଭୟ ବିଜେଡ଼ି ଓ ବିଜେପି ଦଳର ଅଭାବନୀୟ ବ୍ୟୟବହୁଳ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମର ତଦନ୍ତ ନିମନ୍ତେ ନିର୍ବାଚନ କମିଶନ ନିଜ ଆଡ଼ୁ ତଦନ୍ତ କରିବେ ବୋଲି ଦାବିକରିଥିଲେ ।
କଂଗ୍ରେସ ତରଫରୁ ସମସ୍ତ ନେତୃମଣ୍ଡଳୀ ମାଟିର ପୁଅ ତଥା ନିଷ୍କଳଙ୍କ ଯୁବପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ସମର୍ଥନ ଦେବାକୁ ଝାରସୁଗୁଡ଼ା ଭୋଟ ଦାତା ଭାଇଭଉଣୀମାନଙ୍କୁ ନିବେଦନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ସମେତ ପିସିସି ସାଧାରଣ ସଂପାଦକ ବିରେନ ସେନାପତି, ନିର୍ମଳ ନାୟକ, ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ନାରାୟଣ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ ।

 

0
0
0
s2sdefault