-
ବିଳମ୍ବିତ ରାତିରେ ବିଜେଡ଼ି କର୍ମୀଙ୍କୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ସମର୍ଥକଙ୍କ ଧମକଚମକ ଓ ଆକ୍ରମଣ ଅଭିଯୋଗ
-
ନିର୍ବାଚନ କମିସନଙ୍କୁ ଭେଟି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଫେରାଦ ହେଲା ବିଜେଡ଼ି, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେଦିନ ବାକି ଥିବାବେଳେ ପରାଜୟ ଭୟରେ ବିଜେପି ରକ୍ତମୁଖା ହୋଇଉଠିଛି । କେତେବେଳେ ବିଜେପି ପ୍ରାର୍ଥୀ ରାତିଅଧରେ ପ୍ରଚାର ନାଁରେ ଗାଁ ଗାଁରେ ପଶି ଲୋକଙ୍କୁ ଭୟଭୀତ କରୁଛନ୍ତି ତ ଆଉ କେତେବେଳେ ବିଜେଡି କର୍ମୀଙ୍କୁ ଧମକଚମକ ଦେଇ ଓ ଆକ୍ରମଣ କରି ଲହୁଲୁହାଣ କରି ଦେଉଛନ୍ତି । ନିକଟରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ବିଳମ୍ବିତ ରାତିରେ ଜଣେ ବିଜେଡ଼ି କର୍ମୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆଜି ଏ ନେଇ ବିଜେଡିର ଏକ ପ୍ରତିନିଧିଦଳ ଭୁବନେଶ୍ୱର ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେବା ସହ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଏହା ପୂର୍ବରୁ ବିଜେପୁର ଓ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜେଡି କର୍ମୀ ଓ ସମର୍ଥକଙ୍କୁ ଟାର୍ଗେଟ କରି କିଭଳି ନିର୍ବାଚନୀ ହିଂସା କରିଥିଲା, ତାହା ଆମେ ଦେଖିଥିଲୁ । ଏବେ ଝାରସୁଗୁଡ଼ାରେ ମଧ୍ୟ ପରାଜୟ ଆଶଙ୍କାରେ ବିଜେପି ଠିକ୍ ସମାନ ଢଙ୍ଗରେ ହିଂସାକାଣ୍ଡ ଘଟାଉଛି । ଗତ ୫ ତାରିଖ ରାତି ପ୍ରାୟ ୨ଟାବେଳେ ବିଜେଡି କର୍ମୀ ଶୁଭମ୍ ସୋନକର ଏକ ଭୋଜିରେ ଯୋଗ ଦେଇ ଘରକୁ ଫେରୁଥିବାବେଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ । ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀ କିପରି ରାତିଅଧରେ ନିର୍ବାଚନ ପ୍ରଚାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି, ଗତକାଲି ତାହା ଆମେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଏଭଳି ରାତିଅଧିଆ ନିର୍ବାଚନ ପ୍ରଚାର ସାରି ଫେରିଲା ବେଳେ ହିଁ ସେମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଆକ୍ରମଣରେ ଆହତ ହୋଇଥିବା ଶ୍ରୀ ସୋନକର ଏ ନେଇ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଛି । ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ରହିଥିବାବେଳେ ଉପନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କା କରି ସେ ଓ ତାଙ୍କ ସମର୍ଥକମାନେ ବାରମ୍ବାର ବିଜେଡି କର୍ମୀଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ଜାରି ରଖିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ନିର୍ବାଚନ କମିସନଙ୍କ ପ୍ରତି ଶ୍ରୀ ତ୍ରିପାଠୀ ଏବଂ ତାଙ୍କ ଦଳର ସମର୍ଥକମାନଙ୍କ କୌଣସି ସମ୍ମାନ ନାହିଁ । ଏଭଳି ସ୍ଥିତିରେ ଝାରସୁଗୁଡ଼ାରେ କିଭଳି ଆଉ ଅଧିକ ନିର୍ବାଚନୀ ହିଂସା ନ ଘଟିବ, ସେଥିଲାଗି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛୁ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ, ପ୍ରିୟବ୍ରତ ମାଝୀ, ଇପସିତା ସାହୁ, ଲୋରା ମହାପାତ୍ର ଓ ମଧୁସ୍ମିତା ନାୟକ ପ୍ରମୁଖ ଏହି ପ୍ରତିନିଧିଦଳରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ।












