-
ଧର୍ମେନ୍ଦ୍ରଙ୍କ ଝାରସୁଗୁଡ଼ା ସଭା ପୋଷ୍ଟରରେ ଜି-୨୦ ଓ “ଆଜାଦି କା ଅମୃତ ମହୋତ୍ସବ”ର ଲୋଗୋ
-
ନିଜ ଟୁଇଟର ଆକାଉଣ୍ଟରୁ ଏହାକୁ ରି-ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
-
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ବିଜେଡ଼ି ପ୍ରତିନିଧି ଦଳର କାର୍ୟ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର: ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଆସୁଛି । ବଡ଼ କଥା ହେଲା, ଓଡ଼ିଶା ବିଜେପିର ବରିଷ୍ଠ ନେତା ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରସୁଗୁଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଛନ୍ତି । ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏଭଳି ଗୁରୁତର ଅଭିଯୋଗ କରାଯାଇଛି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ନିର୍ବାଚନ କମିଶନଙ୍କ ନିକଟକୁ ବିଜେଡି ପ୍ରତିନିଧିଦଳରେ ଯାଇଥିବା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ ଆଜି ନିର୍ବାଚନ ପ୍ରଚାରରେ ଝାରସୁଗୁଡ଼ା ଯାଇଥିବା ଶ୍ରୀ ପ୍ରଧାନ ତାଙ୍କ ନିଜ ଟୁଇଟର ଆକାଉଣ୍ଟରୁ ତାଙ୍କ ଜନସଭା ପାଇଁ ପ୍ରସ୍ତୁତ ଏକ ପୋଷ୍ଟରକୁ ରି-ଟୁଇଟ୍ କରିଛନ୍ତି । ଏହି ପୋଷ୍ଟରରେ ଜି-୨୦ ସମ୍ମିଳନୀ ପାଇଁ ଭାରତ ସରକାରଙ୍କ ଲୋଗୋ ଏବଂ ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ଉଦ୍ଦିଷ୍ଟ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ସ୍ଥାନ ପାଇଛି । ଏହାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରମାଣ ଭାବେ ଉପସ୍ଥାପନ କରିଛୁ । ଆଦର୍ଶ ନିର୍ବାଚନ ଆଚରଣ ବିଧି ଅନୁଯାୟୀ କୌଣସି ଜାତୀୟ କିମ୍ବା ଆଞ୍ଚଳିକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସରକାରୀ ଲୋଗୋ ବା ଚିହ୍ନକୁ ବ୍ୟବହାର କରିପାରିବ ନାହିଁ । କିନ୍ତୁ ବିଜେପି ବାରମ୍ଵାର ଏଭଳି ଆଚରଣ ବିଧି ଉଲ୍ଲଂଘନ କରି ଆସୁଛି । କେତେବେଳେ ଗୁଣ୍ଡାଗର୍ଦ୍ଦି ଓ ଆକ୍ରମଣ କରି ଭୋଟରଙ୍କୁ ଭୟଭୀତ କରୁଛି ତ ଆଉ କେତେବେଳେ ରାତି ଅଧରେ ପ୍ରଚାର କରି ପ୍ରଭାବିତ ଓ ପ୍ରଲୋଭିତ କରିବାକୁ ଉଦ୍ୟମ ହେଉଛି ।
ଶ୍ରୀ ଦାସ ଆହୁରି କହିଲେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ମନ୍ତ୍ରୀ ଏହା କେମିତି ଏଭଳି କଲେ ତାହା ଆମକୁ ବିସ୍ମିତ କରିଛି । ଭାରତର ଶିକ୍ଷାମନ୍ତ୍ରୀଙ୍କ ପକ୍ଷରେ ଏଭଳି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଶୋଭନୀୟ ନୁହେଁ । ତେଣୁ ଶ୍ରୀ ପ୍ରଧାନଙ୍କ ବିରୋଧରେ ନିର୍ବାଚନ କମିଶନ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ନିର୍ବାଚନ କମିଶନଙ୍କ ନିକଟରେ ଦୃଢ଼ ଦାବି କରୁଛୁ ।
ବିଜେଡିର ଏହି ପ୍ରତିନିଧି ଦଳରେ ଦଳୀୟ ମୁଖପାତ୍ର ତୁମ୍ବନାଥ ପଣ୍ଡା, ପ୍ରିୟବ୍ରତ ମାଝୀ, ଲୋରା ମହାପାତ୍ର, ଇପସିତା ସାହୁ ଓ ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ ।











