ଭୁବନେଶ୍ୱର,: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ବାଇଜପଡା ଗ୍ରାମର ନିଃସହାୟ ଲତା ଦେହୁରୀଙ୍କୁ ଉଚ୍ଚମାନର ଚିକିତ୍ସା ମିଳିଛି । ୩୫ ବର୍ଷ ବୟସ୍କ ଲତା ଦେହୁରୀ ଅବିବାହିତା ଅଟନ୍ତି । ତାଙ୍କର ବାପା ଓ ମା’ଆରପାରିକୁ ଚାଲିଯିବା ପରେ ଲତା ସମ୍ପୂର୍ଣ୍ଣ ନିଃସହାୟ ହୋଇପଡିଥିଲେ । ପେଟରେ ଏକ ଅଜଣା ରୋଗ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା ଏବଂ ସେ ଏକ ପ୍ରକାର ଅଚଳ ହୋଇପଡିଥିଲେ ।
ଗଣ ମାଧ୍ୟମରୁ ଏକଥା ଜାଣିବା ମାତ୍ରେ, ବି.ଏସ.କେ.ୱାଇ. ଟିମ୍ ଲତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲେ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହରିଚନ୍ଦନପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରର ହେଲଥ୍ ଟିମ୍ ଲତାଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ପ୍ରାଥମିକ ଯାଞ୍ଚ କରିବା ସହ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଆଡ଼ମିଶନ କରାଇଥିଲେ । ପରୀକ୍ଷା ନିରୀକ୍ଷାରୁ ଜଣାପଡିଥିଲା ଯେ, ସେ ଓଭାରିଆନ୍ ସିଷ୍ଟ୍ ଓ ରକ୍ତହୀନତା ରୋଗରେ ଆକ୍ରାନ୍ତ ଥିଲେ ।
ବର୍ତ୍ତମାନ ଲତାଙ୍କୁ ସ୍ତ୍ରୀ ଓ ପ୍ରସୂତି ୱାର୍ଡର ବେଡ୍ ନଂ- ୭୨ ରେ ରଖାଯାଇ ଚିକିତ୍ସା କରାଯାଉଛି । ଇତି ମଧ୍ୟରେ ଆବଶ୍ୟକ ପଡିବାରୁ ଲତାଙ୍କୁ ରକ୍ତ ଦିଆଯାଇଛି ଏବଂ ତାଙ୍କ ପାଇଁ ଉଚ୍ଚମାନର ଔଷଧ ଓ ପୃଷ୍ଟିଯୁକ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଧିରେ ଧିରେ ତାଙ୍କର ଅବସ୍ଥା ସୁଧୁରୁଛି ଏବଂ ସେ ଶିଘ୍ର ଆରୋଗ୍ୟ ଲାଭ କରିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଶା ପ୍ରକାଶ କରିଛନ୍ତି ।
ବାପା ମା’ ଛେଉଣ୍ଡ ଅବିବାହିତ ଲତାଙ୍କୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । “ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା” ତାଙ୍କ ଜୀବନ ରକ୍ଷା କରିଥିବାରୁ ଲତା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏକ ନିଃସହାୟ ମହିଳାଙ୍କୁ ତତ୍ପରତାର ସହିତ ଚିକିତ୍ସା ବ୍ୟବସ୍ଥା କରାଯାଇଥିବାରୁ ସ୍ଥାନୀୟ ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜ୍ୟ
ନିଃସହାୟ ଲତାଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
- Hits: 215