୩୧ ତମ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ଵଜିତ ନାୟକ) -  ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ତଥା ମିଠା ଜଗତର ମଉଡ଼ମଣି  ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କାଟି ଅତିଥି ମାନେ ଜିଲ୍ଲା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।  ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ମହା ଆଡମ୍ବରରେ ଉଦଘାଟିତ ହୋଇଥିଲା। 

। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଉପାଧ୍ୟକ୍ଷା ବିଷ୍ଣୂପ୍ରିୟା ବେହେରା, ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୟାଗଡ଼ ଛେନାପୋଡ଼କୁ କଟାଯାଇ ଜିଲ୍ଲାର ଜନ୍ମଦିନ ପାଳନ କରାଯାଇଥିଲା । ଏହି ଅବସରରେ ପୈାର ପରିଷଦ ଅଧ୍ୟକ୍ଷା ଶ୍ରୀମତି ଖଟେଇ ସହରର ବିକାଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଜିଲ୍ଲା ପ୍ରତିଷ୍ଠା ହେବାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ । ଜିଲ୍ଲାର ସମୃଦ୍ଧି କରିବା ପାଇଁ ସମାଲୋଚନା ନୁହେଁ, ଗଠନ ମୂଳକ ଆଲୋଚନା ଆବଶ୍ୟକ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତ ବ୍ୟକ୍ତ କରିଥିଲେ ।

ଜନ୍ମଦିନ ପାଳନ କରିବା ସମ୍ପର୍କରେ ଉଦାହରଣ ଦେଇ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଜିଲ୍ଲାର ଜନ୍ମଦାତା ତଥା ପିତାଙ୍କୁ ସ୍ମରଣ କରିବାର ସମୟ ବୋଲି କହିଥିଲେ । ପ୍ରଶାସନକୁ ଲୋକଙ୍କ ନିକଟତ୍ତର କରିବା ପାଇଁ ଛୋଟ ଜିଲ୍ଲା ଗଠନ କରାଯାଇଛି । ଜିଲ୍ଲାରେ ଖଣିଜ ସମ୍ପଦ ନାହିଁ । ଆମର ଯାହା ଅଛି, ଅନ୍ୟ କାହାର ନାହିଁ ବୋଲି କହିଥିଲେ । ମହାନଦୀ ଅଛି, ଜଗନ୍ନାଥଙ୍କ ଆଦିକ୍ଷେତ୍ର ନୀଳମାଧବ ଅଛନ୍ତି । ରଣପୁର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଜିଲ୍ଲା ଗଠନର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସ୍ୱର୍ଗତ ଭାଗବତ ବେହେରାଙ୍କ ଅବଦାନକୁ ସ୍ମରଣ କରିଥିଲେ । ଏହା ସହିତ ନିଶା ମୁକ୍ତ ଜିଲ୍ଲା ଗଠନ ପାଇଁ ଆହ୍ୱାନ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ ଜିଲ୍ଲା ଗଠନରେ ପ୍ରମୂଖ ଭୂମିକା ନିର୍ବାହ କରିଥିବା ଦିବ୍ୟଗଂତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ଜୀବିତଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ଭିତରେ କର୍ମ ତତ୍ପରତା ସୃଷ୍ଟି ହେଲେ ଜିଲ୍ଲାର ବିକାଶ ହେବ ବୋଲି କହିଥିଲେ । ଜିଲ୍ଲାର ବିକାଶ ପାଇଁ ସାଧାରଣ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ । ଲୋକଙ୍କର ଆଶା ଓ ଆକାଂକ୍ଷା ବୃଦ୍ଧି ପାଉଛି, ଏହା ବଢ଼ିବା ଦରକାର ବୋଲି କହିଥିଲେ । ପରିବେଶ ଓ ପରିବେଷ୍ଟନିକୁ ନିଜର କରିବା ଶିଖିଲେ ସମାଜ ଆଗକୁ ଯାଇ ପାରିବ ବୋଲି ଆହ୍ୱାନ ଦେଇଥିଲେ । ନୟାଗଡ଼ ଜିଲ୍ଲାର କଣ୍ଟେଇ ମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ ମାନ୍ୟତା ପାଇବାକୁ ଯାଉଥିବା ବେଳେ ଛେନାପୋଡ଼କୁ ଜିଆର ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ । ଅପ୍ରେଲ ୧୧ ତାରିଖ ଛେନାପୋଡ଼ର ଆଦ୍ୟ ନିର୍ମାତା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଛେନାପୋଡ଼ ଦିବସ ଭାବେ ଚଳିତ ବର୍ଷ ଧୁମଧାମରେ ପାଳନ କରାଯିବ । ଆମର ଅସ୍ମିତା ସହତ ନିଜକୁ ଯୋଡ଼ିବା ଆବଶ୍ୟକ ବୋଲି କହିଥିଲେ ।

ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ ଓ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।   ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ଼ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶା ଶତପଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ଥାନୀୟ କଳାକାର ମାନଙ୍କଦ୍ୱାରା ନୟାଗଡ଼ ବନ୍ଦନା ଏବଂ ସ୍ୱଚ୍ଛ ନୟାଗଡ଼ ନୃତ୍ୟସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଶେଷରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault