ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ "ଓଡିଶା ଦିବସ" ସମାରୋହରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ୍ ଆର୍ଟସ୍ ର କଳାକାର ମାନେ ନୃତ୍ୟ ପରିବେଷଣ କରିଛନ୍ତି।
କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ବିଧାନସଭା ବାଚସ୍ପତି ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ସଚୀବ ମାନେ ଉପସ୍ଥିତ ଥିଲେ।
ଓଡ଼ିଶାର ଏକ ମାତ୍ର ନୃତ୍ୟଦଳକୁ ଏହି କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରିବା ପାଇଁ ସୁଯୋଗ ଦିଆ ଯାଇଥିବା ବେଳେ ଅନ୍ୟ ଜିଲ୍ଲାରୁ ଆସିଥିବା କଳାକାର ଓଡ଼ିଶୀ ନୃତ୍ୟ ଓ ସୁଗମ ସଙ୍ଗୀତ ପରିବେଷଣ କରିଥିଲେ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନୁଷ୍ଠାନର ବରିଷ୍ଠ ନୃତ୍ୟ କଳାକାର ସୁଦାମ ବରାଡଙ୍କ ନେତୃତ୍ଵରେ ଶିବ ପ୍ରଧାନ , କିଶୋର ଦାସ , ସତ୍ୟ ଆପଟ , ମୋନଜ ପାଣି ଓ ଅନ୍ୟାନ୍ୟ କଳାକାର ମାନେ ଲାଞ୍ଜିଆ ସଉରା ନୃତ୍ୟ ପରିବେଷଣ କରିଥିବା ବେଳେ ହରିହର ପଟ୍ଟନାୟକ , ଜ୍ଞାନ ରଞ୍ଜନ ଦାସ , ପ୍ରତ୍ୟୁଷ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରାଜ୍ୟସ୍ତରୀୟ ସମାରୋହରେ ଓଡ଼ିଶାରୁ ଏକ ମାତ୍ର ସାଂସ୍କୃତିକ ଦଳ ଗଜପତିରୁ ଯାଇ ଆଦିବାସୀ ନୃତ୍ୟ ପରିବେଷଣ କରିଥିବା ଯୋଗୁଁ ସ୍ଥାନୀୟ କଳାକାରଙ୍କ ମହଲରେ ଖୁସୀ ପ୍ରକାଶ ପାଇଛି। କଳାକାର ମାନଙ୍କୁ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି।









